Latest Odisha News

ଇଡି ହରଡଘଣାରେ ଆଉ ଜଣେ ଆପ୍ ନେତା

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ଆଉ ଜଣେ ନେତାଙ୍କୁ ବାନ୍ଧିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ –ଇଡି । ଦିଲ୍ଲୀ ଓଖଲା ବିଧାୟକ ଅମାନତୁହ୍ଲା ଖାନଙ୍କୁ ଦିଲ୍ଲୀ ୱାକଫ୍ ବୋର୍ଡ ସହ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଗିରଫ କରିଛି ଇଡି । ଇଡି ଅଧିକାରୀମାନେ ଆସି ତାଙ୍କୁ ଗିରଫ କରିବେ ବୋଲି ଆପ୍ ବିଧାୟକ ପୂର୍ବରୁ ଏକ୍ସରେ ଭିଡିଓ ପୋଷ୍ଟ କରି ସୂଚନା ଦେଇଥିଲେ । ଅମାନତୁହ୍ଲା ଖାନ୍ କହିଥିଲେ ଯେ, ଏକଛତ୍ରବାଦୀର ଇଶାରାରେ କାଠକଣ୍ଢେଇ ଇଡି ମୋ ଘରେ ପହଂଚିସାରିଲାଣି । ମୋତେ ଓ ଅନ୍ୟ ଆପ୍ ନେତାମାନଙ୍କୁ ହଇରାଣ କରିବା ପାଇଁ ଏକଛତ୍ରବାଦୀ କୌଣସି ସୁଯୋଗ ହାତଛଡା କରୁନାହାନ୍ତି । ଅମାନତୁହ୍ଲାଙ୍କ ଏପରି ଉତ୍ତେଜକ ଭିଡିଓ ପୋଷ୍ଟ ପରେ ଦିଲ୍ଲୀ ପୋଲିସର ଅତିରିକ୍ତ ଫୋର୍ସ ତାଙ୍କ ବାସଭବନରେ ପହଂଚିଥିଲେ ।

କାହିଁକି ଗିରଫ ହେଲେ ଅମାନତୁହ୍ଲା ଖାନ୍ ?

ଦିଲ୍ଲୀ ୱାକଫ ବୋର୍ଡ ସଂପର୍କିତ ଆର୍ଥିକ ଅନିୟମିତତା ଓ ମନି ଲଣ୍ଡ୍ରିଂ ଅଭିଯୋଗରେ ଅମାନତୁହ୍ଲା ଖାନଙ୍କ ବିରୋଧରେ ତଳ କୋର୍ଟରେ ମାମଲା ଚାଲିଛି । ଏହି ମାମଲାରେ ଇଡିର ସମନ ସତ୍ତ୍ୱେ ହାଜର ହୋଇନଥିଲେ ଅମାନତୁହ୍ଲା ଖାନ୍ । ଅତି କମରେ ଇଡିର ୧୦ଟି ସମନର ଜବାବ ଦେଇନଥିଲେ ଆପ୍ ବିଧାୟକ । ତେଣୁ ତଳ କୋର୍ଟରେ ତାଙ୍କ ବିରୋଧରେ ମାମଲା ଚାଲିଥିଲା । ମାମଲା ଉପରେ ରହିତାଦେଶ ପାଇଁ ଅମାନତୁହ୍ଲାଙ୍କ ଆବେଦନକୁ ଅଗ୍ରାହ୍ୟ କରିଥିଲେ ଦିଲ୍ଲୀ ହାଇକୋର୍ଟ । ଏହି ମାମଲାରେ ଏ ବର୍ଷ ଏପ୍ରିଲରେ ଅମାନତୁହ୍ଲାଙ୍କୁ ପଚରାଉଚରା କରିଥଲା ଇଡି । ଏହାପରେ ଇଡି ସମନ ପରେ ମଧ୍ୟ ସେ ହାଜର ହୋଇନଥିଲେ ।

ୱାକଫ ବୋର୍ଡ ଦୁର୍ନୀତିରେ ଅମାନତୁହ୍ଲାଙ୍କ ହାତ?

ଅମାନତୁହ୍ଲା ଖାନ ଦିଲ୍ଲୀ ୱାକଫ ବୋର୍ଡର ଅଧ୍ୟକ୍ଷ ଥିବା ବେଳେ ଆର୍ଥିକ ଅନିୟମିତତା ଅଭିଯୋଗ ଆସିଥିଲା । ଖାନ୍ ୨୦୧୮ରୁ ୨୦୨୨ ଯାଏଁ ଦିଲ୍ଲୀ ୱାକଫ ବୋର୍ଡର ଅଧ୍ୟକ୍ଷ ଥିଲେ । ବୋର୍ଡରେ ରିକ୍ରୁଟମେଂଟ ନେଇ ମଧ୍ୟ ହୋଇଥିଲା ଅଭିଯୋଗ । ଏ ବର୍ଷ ଜାନୁଆରୀରେ ଆର୍ଥିକ ଅନିୟମିତତା ନେଇ ଚାର୍ଜସିଟ୍ ଦାଖଲ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଚାର୍ଜସିଟରେ ୪୯ ବର୍ଷିୟ ଅମାନତୁହ୍ଲାଙ୍କ ନାମ ନଥିଲା । ଗତବର୍ଷ ଅକ୍ଟୋବର ୨୩ରେ ଖାନଙ୍କ ଘରେ ଚଢାଉ କରାଯାଇଥିଲା ।  ୱାକଫ ବୋର୍ଡର ସଂପତ୍ତି ଲିଜ୍ ବାବଦରେ ହୋଇଥିବା ଅନିୟମିତତା ନେଇ ମଧ୍ୟ ଯାଂଚ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ୱାକଫ ବୋର୍ଡରେ ଦୁର୍ନୀତି ନେଇ ପ୍ରଥମେ ଏତଲା ଦାୟର କରିଥିଲା ସିବିଆଇ ।

ଖାନ୍‌ଙ୍କ ଗିରଫଦାରୀକୁ ଆପ୍‌ର ସମାଲୋଚନା

ଅମାନତୁହ୍ଲା ଖାନ୍‌ଙ୍କ ଗିରଫଦାରୀକୁ କଡା ସମାଲୋଚନା କରିଛି ଆପ୍ । କୌଣସି ହୀନ ଉଦ୍ଦେଶ୍ୟ ଥାଇ ତଦନ୍ତ ନ କରିବାକୁ ସୁପ୍ରିମକୋର୍ଟଙ୍କ ବାରମ୍ବାର ତାଗିଦ ସତ୍ତ୍ୱେ ଇଡି ଅମାନତୁହ୍ଲାଙ୍କୁ ଗିରଫ କରିଛି । ଖାନଙ୍କ ଶାଶୂ କ୍ୟାନସରରେ ପୀଡିତ ଓ ତାଙ୍କର ଅସ୍ତ୍ରୋପଚାର ହୋଇଛି । ଖାନ୍ ସମୟ ମାଗିଥିଲେ ତାଙ୍କୁ ଗିରଫ କରାଯାଇଛି ବୋଲି ଆପ୍ ନେତାମାନେ କହିଛନ୍ତି । ସିବିଆଇ ଖାନଙ୍କ ବିରୋଧରେ କୌଣସି ପ୍ରମାଣ ପାଇନଥିଲା । ସିବିଆଇ ବିଫଳତା ପରେ ମଧ୍ୟ ଇଡି ମାମଲା ବନ୍ଦ କରୁନାହିଁ ।

ଦୁର୍ନୀତି ମାମଲାରେ ଏକ କେନ୍ଦ୍ରୀୟ ଏଜେନସୀ ଦ୍ୱାରା ଗିରଫ ହେବାରେ ଅମାନତୁହ୍ଲା ଖାନ ଆପ୍‌ର ଚତୁର୍ଥ ହାଇପ୍ରୋଫାଇଲ୍ ନେତା । ଅବକାରୀ ଦୁର୍ନୀତି ମାମଲାରେ ପ୍ରଥମେ ଗିରଫ ହୋଇଥିଲେ ମନୀଷ ସିସୋଦିଆ । ପରେ ରାଜ୍ୟସଭା ଏମପି ସଂଜୟ ସିଂହ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମଧ୍ୟ ଗିରଫ ହୋଇଥିଲେ । ସଂଜୟ ସିଂହ ଓ ମନୀଷ ସିସୋଦିଆଙ୍କୁ ଜାମିନ ମିଳିଛି ।

 

 

 

Comments are closed.