Latest Odisha News

ସର୍ତ୍ତ ସହିତ କେଜ୍ରିଓ୍ବାଲଙ୍କୁ ଛାଡିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ବଡ ଆଶ୍ୱସ୍ତି । ଅବକାରୀ ଦୁର୍ନୀତି ମାମଲାରେ କେଜରୀୱାଲଙ୍କୁ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ । ସିବିଆଇ ଯାଂଚ କରୁଥିବା ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମିଳିଛି ଜାମିନ । ପ୍ରବର୍ତ୍ତ ନିର୍ଦ୍ଦେଶାଳୟ ମାମଲାରେ ପୂର୍ବରୁ ହିଁ କେଜରୀୱାଲଙ୍କୁ ଜାମିନ ମିଳିସାରିଥିଲା । ସିବିଆଇ ମାମଲାରେ କିଛି ସର୍ତ୍ତ ସହ ସୁପ୍ରିମକୋର୍ଟ କେଜରୀୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି । ୧୫୬ ଦିନ ଜେଲରେ ରହିବା ପରେ କେଜରୀୱାଲଙ୍କୁ ମିଳିଛି ଜାମିନ ।

ମାର୍ଚ୍ଚ ୨୧ ତାରିଖରେ ଗିରଫ ହୋଇଥିଲେ କେଜରୀୱାଲ

ଅବକାରୀ ଦୁର୍ନୀତିରେ ସଂପୃକ୍ତି ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଏବର୍ଷ ମାର୍ଚ୍ଚ ୨୧ ତାରିଖରେ ଗିରଫ କରାଯାଇଥିଲା । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମେ’ ୧୦ ତାରିଖରେ କେଜରୀୱାଲଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ ସୁପ୍ରିମକୋର୍ଟ । ଜୁନ୍ ୨ ତାରିଖରେ କେଜରୀୱାଲ ପୁଣି ଜେଲ୍ ଯାଇଥିଲେ । ଅବକାରୀ ଦୁର୍ନୀତି ମାମଲାର ତଦନ୍ତ ଉଭୟ ଇଡି ଓ ସିବିଆଇ କରୁଛନ୍ତି । ଇଡି ମାମଲାରେ ଜୁଲାଇ ୧୨ ତାରିଖରେ କେଜରୀୱାଲଙ୍କୁ ଜାମିଲ ମିଳିଥିଲା ।

ଜାମିନ ଦେଲେ, ସର୍ତ୍ତ ବି  ରଖିଲେ ସୁପ୍ରିମକୋର୍ଟ

ଅରବିନ୍ଦ କେଜରୀୱାଲଙ୍କୁ କିଛି ସର୍ତ୍ତ ସହ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ । କେଜରୀୱାଲ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ କି ସଚିବାଳୟ ଯାଇପାରିବେ ନାହିଁ । ଅତି ଜରୁରୀ ନଥିଲେ କୌଣସି ସରକାରୀ ଫାଇଲରେ ଦସ୍ତଖତ କରିପାରିବେ ନାହିଁ । ନିଜର ଟ୍ରାଏଲ ନେଇ ସାର୍ବଜନୀନ ଟିପ୍ପଣୀ ଦେଇପାରିବେ ନାହିଁ । କୌଣସି ସାକ୍ଷୀ ସହ କୌଣସି ପ୍ରକାର କଥାବାର୍ତ୍ତା କରିବେ ନାହିଁ । ଦରକାର ପଡିଲେ ଟ୍ରାଏଲ କୋର୍ଟରେ ହାଜର ହୋଇ ଯାଂଚରେ ସହଯୋଗ କରିବେ ।

ଦିଲ୍ଲୀ ଅବକାରୀ ଦୁର୍ନୀତି କ’ଣ ?

୨୦୨୧ ନଭେମ୍ବର ୨୭ ତାରିଖରେ ନୂଆ ଅବକାରୀ ନୀତି ଲାଗୁ କରିଥିଲେ କେଜରୀୱାଲ ସରକାର । ନୂଆ ନୀତି ଅନୁସାରେ ମଦ ବେପାରରେ ସରକାରୀ ନିୟନ୍ତ୍ରଣ ରହିଲା ନାହିଁ । ମଦ କାରବାର ଘରୋଇ ହାତକୁ ଟେକିଦିଆଯାଇଥିଲା । ଦିଲ୍ଲୀ ସରକାରଙ୍କର ଯୁକ୍ତି ଥିଲା ଯେ, ନୂଆ ଅବକାରୀ ନୀତି ଦ୍ୱାରା ମାଫିଆ ରାଜ ଶେଷ ହେବା ସହ ସରକାରଙ୍କୁ ମିଳୁଥିବା ରାଜସ୍ୱ ବଢିବ । ବିରୋଧ ଜୋରଦାର ହେବାରୁ ୨୦୨୨ ଜୁଲାଇ ୨୮ ତାରିଖରେ ଅବକାରୀ ନୀତି ରଦ୍ଦ କରିଥିଲେ କେଜରୀୱାଲ ସରକାର । ବ୍ୟାପକ ଅବକାରୀ ଦୁର୍ନୀତି ହୋଇଛି ବୋଲି ଦିଲ୍ଲୀର ତତ୍କାଳୀନ ମୁଖ୍ୟ ସଚିବ ନରେଶ କୁମାରଙ୍କ ରିପୋର୍ଟରୁ ଖୁଲାସା ହୋଇଥିଲା । ରିପୋର୍ଟରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ଆମ ଆଦମୀ ପାର୍ଟିର ବଡ ନେତାଙ୍କ ବିରୋଧରେ ହୋଇଥିଲା ସଂଗୀନ ଅଭିଯୋଗ । ସିସୋଦିଆଙ୍କ ହାତରେ ଅବକାରୀ ମନ୍ତ୍ରାଳୟ ମଧ୍ୟ ଥିଲା । ନୂଆ ଅବକାରୀ ନୀତି ଯୋଗୁଁ ଲାଇସେନ୍ସପ୍ରାପ୍ତ ମଦ ବେପାରୀଙ୍କୁ ଅନୁଗ୍ରହ ଦେଖାଯାଇଥିଲା । କୋଭିଡ ଆଳରେ ମନଇଛା ଭାବେ ୧୪୪ କୋଟିରୁ ଅଧିକ ଟଙ୍କାର ଲାଇସେନ୍ସ ଫି’ ଛାଡ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା । ୨୦୨୨ ଅଗଷ୍ଟ ୧୭ ତାରିଖରେ ଦିଲ୍ଲୀ ଉପରାଜ୍ୟପାଳ ବିଜୟ ସକ୍ସେନା ମାମଲାର ସିବିଆଇ ଯାଂଚ ନିର୍ଦ୍ଦେଶ ଦେଇଥିଲେ । ମନି ଲଂଡ୍ରି ଅଭିଯୋଗ ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ପ୍ରଥମେ ଗିରଫ ହୋଇଥିଲେ ମନୀଷ ସିସୋଦିଆ

ଅବକାରୀ ଦୁର୍ନୀତି ମାମଲାରେ ପ୍ରଥମେ ଗିରଫ ହୋଇଥିଲେ କେଜରୀୱାଲ ସରକାରଙ୍କ ନମ୍ବର ଟୁ ମନୀଷ ସିସୋଦିଆ । ୨୦୨୩ ଫେବ୍ରୁଆରୀ ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ । ଏ ବର୍ଷ ଅଗଷ୍ଟ ୯ରେ ସିସୋଦିଆଙ୍କୁ ମିଳିଥିଲା ଜାମିନ । ଗତବର୍ଷ ଅକ୍ଟୋବର ୪ ତାରିଖରେ ଗିରଫ ହୋଇଥିଲେ ସଂଜୟ ସିଂହ । ବିଆରଏସ ନେତ୍ରୀ କେ. କବିତାଙ୍କ ନାଁ ଦିଲ୍ଲୀ ଅବକାରୀ ଦୁର୍ନୀତିରେ ଆସିବାରୁ ତାଙ୍କୁ ଏହି ବର୍ଷ ମାର୍ଚ୍ଚ ୧୫ ତାରିଖରେ ଗିରଫ କରାଯାଇଥିଲା । ଶେଷରେ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଏ ବର୍ଷ ମାର୍ଚ୍ଚ ୨୧ତାରିଖରେ ଗିରଫ କରିଥିଲା ଇଡି । କେଜରୀୱାଲଙ୍କ ପୂର୍ବରୁ ସଂଜୟ ସିଂହ, ସିସୋଦିଆ ଓ କେ. କବିତାଙ୍କୁ ଜାମିନ ମିଳିସାରିଛି ।

 

 

Comments are closed.