ଭୁବନେଶ୍ୱର: ଶରତର ଆଗମନରେ ସଜେଇ ହେଲାଣି ପ୍ରକୃତିରାଣୀ, ଶସ୍ୟ ଶ୍ୟାମଳା ଧରିତ୍ରୀ ଉପରେ ଧୋବ ଫରଫର କାଶତଣ୍ଡୀ ଫୁଲ ପବନର ଝିପି ଝିପି ବର୍ଷାରେ ସତେ ଯେମିତି ଦୋଳି ଖେଳୁଛି। ମା’ଙ୍କ ଆଗମନରେ ପୁଲକିତ ଧରଣୀ ରାଣୀ । ଶସ୍ୟ ଶ୍ୟାମଳା ଧରଣୀରେ ନିଜ ପତିଆରା ବିସ୍ତାର କରି ନୀଳ ଆକାଶ ତଳେ ଖିଲିଖିଲି ହସୁଛି କାଶତଣ୍ଡୀ ଫୁଲ । ନଦୀ ପଠା ଠାରୁ ଆରମ୍ଭ କରି ରାସ୍ତାକଡ ପର୍ଯ୍ୟନ୍ତ ସବୁଠି ଭରିଦେଇଛି ସୌନ୍ଦର୍ଯ୍ୟର ଗାରିମା ।
ଦୋଳାୟିତ କାଶତଣ୍ଡି ଚାମର ସଦୃଶ ଦେଖାଯାଏ । ଏଇ ଚାମର ହଲାଇ ସେ ଆଦିଶକ୍ତିଙ୍କୁ ସ୍ଵାଗତ କରିଥାଏ । କାରଣ ମାଆକୁ ସ୍ଵାଗତ ଜଣାଇବା ପାଇଁ ସେ ବରଦାନ ପାଇଛି । କାଶତଣ୍ଡି ଫୁଲର ସମ୍ଭାର ପ୍ରକୃତିପ୍ରେମୀକୁ ଆକୃଷ୍ଟ କରେ । ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯାଏ ଏହାର କମନୀୟ ସୁଷମା ଭିତରେ । ଏହା ସହିତ ସେଲଫି ନେବାକୁ ସେ ବ୍ଯାକୁଳ ହୋଇଉଠେ । କବି ଏହି ଫୁଲକୁ ଦେଖି ବିଭୋର ହୋଇଯାଏ । ତା’ କଲମ ମୁନରୁ ସୁନ୍ଦର କବିତାରାଜି ଝରିପଡେ । କାଶତଣ୍ଡି ଖୁସି ବାଣ୍ଟି ବାଣ୍ଟି ପ୍ରକୃତି କୋଳରେ ଝାଉଁଳି ପଡେ ଏବଂ ଅପେକ୍ଷା କରିଥାଏ ଆଗାମୀ ଶରତକୁ ।
ଏହିଫୁଲ ଓଡ଼ିଆ ସଂସ୍କୃତି ସହ ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ରେଖା ପାଞ୍ଚମୀରେ କାଶତାଣ୍ଡି ଫୁଲର ବେଣୀ ଘର କବାଟରେ ବାନ୍ଧି ପୂଜା କରାଯାଏ । ଆଉ କାଶତଣ୍ଡିର ବେଳାୟିତ ଚାମରରେ ମା ଦୁର୍ଗା ଧରବତାରଣ କରନ୍ତି ବୋଲି ବିଶ୍ୱାସ ରହିଛି । ଶରତ ଋତୁରେ ଆଗମନ ଠାରୁ ଆରମ୍ଭ କରି ଶାରଦୀୟ ଦୁର୍ଗାପୂଜାର ପ୍ରତୀକ କାଶତଣ୍ଡି ଫୁଲ ଧରାପୃଷ୍ଠରେ ନିଜ ସୌନ୍ଦର୍ଯ୍ୟ ସଦା ବିକିରଣ କରିଥାଏ । ଶାରଦୀୟ ସମ୍ଭାର ନେଇ ଆସିଥାଏ କାଶତଣ୍ଡୀ । ପବନର ଛୁଆଁରେ ଖିଲି ଖିଲି ହସ ସହିତ ଦେବୀ ଦୂର୍ଗାଙ୍କ ନିକଟରେ ନିଜକୁ ସମର୍ପିବା ଲାଗି କରିଥାଏ ଅପେକ୍ଷା ।ବହୁ କମ ସମୟ ଅନ୍ୟକୁ ସୌନ୍ଦର୍ଯ୍ୟ ବାଣ୍ଟି ନିଜର ସତା ହରାଇ ବସେ । କିଏ ଏହାକୁ ନେଇ କାଇଁସ ଡଲା ବୁଣୁଛିତ ପୁଣି କିଏ ଝାଡୁ ତିଆରି କରିଥାଏ । ପୁଜାରେ ଏହି ଡଲାକୁ ବିକି ବେସ ଦ୍ୱିପଇସା ରୋଜଗାର କରିଥାଆନ୍ତି ବେପାରୀ ମାନେ ।
କାହାଣୀ କୁହେ, ଗରୀବ ଘରର କାଶତଣ୍ଡି ନାମକ ଏକ ସୁନ୍ଦର ଝିଅଟିଏ ସବୁବେଳେ ନଦୀ ପଠା ରେ ବୁଲୁଥାଏ । ଯାହାର ସୌନ୍ଦର୍ଯ୍ୟରେ ବଶୀଭୂତ ହୋଇ ତାକୁ ପ୍ରେମ କରି ବସିଥିଲେ ସେଇ ରାଜ୍ୟର ରାଜକୁମାର। ଦୁହେଁଙ୍କ ମଧ୍ୟରେ ଧୀରେ ଧୀରେ ନିବିଡ଼ ହେଉଥିଲା ଏହି ପ୍ରେମ । ସବୁଦିନ ନଦୀ ପଠାରେ ସେ ଦୁହେଁ ଦେଖାହୁଅନ୍ତି । ଯେତେବେଳେ ଏହି ଖବର ରାଜାଙ୍କ ପାଖରେ ପହଁଚିଲା କାଶତଣ୍ଡି ପରି ଗରିବ ଓ ଛୋଟ ଜାତିର ଝିଅ ଟିକୁ ନିଜର ବୋହୁ ଭାବେ ଗ୍ରହଣ କରିବା ପାଇଁ ଅରାଜି ହେଲେ ରାଜା । ରାଜାଙ୍କ ଆଦେଶରେ ରାଜାଙ୍କ ସୈନ୍ୟ ସାମନ୍ତମାନେ ରାଜକୁମାର ଓ କାଶତଣ୍ଡୀଙ୍କୁ ଅଲଗା କରିବା ପାଇଁ ରାଜକୁମାରଙ୍କ ଆଖି ଆଗରେ କାଶତଣ୍ଡିକୁ ଜିଅନ୍ତା ପୋତି ଦେଲେ l ଛାତି ଫଟାଇ ଚିତ୍କାର କରି କାନ୍ଦୁଥିବା ରାଜକୁମାରଙ୍କୁ ଶେଷ ସମୟରେ କଥା ଦେଇଥିଲା କାଶତଣ୍ଡୀ “ହେ ରାଜନ ଆମର ଏଇ ଶାଶ୍ଵତ ପ୍ରେମକୁ ଉଦ୍ଜୀବିତ ରଖିବା ପାଇଁ ତୁମକୁ ବଞ୍ଚି ବାକୁ ପଡ଼ିବ । ମୁଁ ପ୍ରତିବର୍ଷ ଶରତ ଋତୁରେ କାଶତାଣ୍ଡି ଫୁଲ ରୂପରେ ଏ ଧରା ପୃଷ୍ଠରେ ଜନ୍ମ ନେବି । ମୋର ଗନ୍ଧ ହିନ ସୌନ୍ଦର୍ଯ୍ୟ ସମସ୍ତଙ୍କ ମନରୁ କ୍ରୋଧ, ହିଂସାକୁ ଦୂରେଇ ଦେଇ ପ୍ରେମର ରଙ୍ଗ ଭରିଦେବ । ପ୍ରତିଟି ଶରତ ଆମ ପାଇଁ ମିଳନ ର ଋତୁ ହେବା” । ଏହାପରେ ରାଜକୁମାର ମଧ୍ୟ ଚିର କୁମାର ହେଇ ରହିଗଲେ।
କିମ୍ବଦନ୍ତୀ ଯାହା ବି ହଉନା ନା କାହିଁକି ନିଜର ସୁନ୍ଦର ରୂପ ରେ ସମସ୍ତ ଙ୍କୁ ବିମୋହିତ କରୁଥିବା ଏଇ ଘାସ ଫୁଲ ଟି ଯେବେ ଶୀତଳ ପବନର ଛୁଆଁ ରେ ଦୋଳାୟମାନ ହେଉଥାଏ ଲାଗେ ସତେ ଯେମିତି ପ୍ରେମିକା ଟିଏ ଧଳା ଓଢ଼ଣି ପକାଇ ଧାଇଁ ଯାଉଛି ତାର ପ୍ରେମିକ ପାଖକୁ । କବି ଟିଏ ତାର କବିତା ମାଧ୍ୟମରେ ହେଉ ବା ଲେଖକଟିଏ ତାର ଲେଖନୀ ମାଧ୍ୟମରେ କାସତଣ୍ଡି ର ସୁନ୍ଦରତାକୁ ଭିନ୍ନ ଭିନ୍ନ ଢଙ୍ଗରେ ପରିପ୍ରକାଶ କରିଥାନ୍ତି।
Comments are closed.