Latest Odisha News

ରାଜ୍ୟରେ ଖୋଲିବ ୫୮ଟି ଶୀତଳ ଭଣ୍ଡାର, ଚାଷୀଙ୍କଠାରୁ ଧାନ କ୍ବିଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ

ଭୁବନେଶ୍ଵର: ଜିଲ୍ଲାପାଳ ସମ୍ମିଳନୀରେ ଧାନ ସଂଗ୍ରହ ନେଇ ସୂଚନା ଦେଲେ ମନ୍ତ୍ରୀ । ଧାନର ଗୁଣବତ୍ତା ଯାଂଚ ପାଇଁ ଗ୍ରେନ୍ ଆନାଲାଇଜର ବ୍ୟବହାର କରାଯିବ । ଧାନର ଓଜନ ଜାଣିବା ପାଇଁ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ହେବ । ସେହିପରି ସଂଗୃହିତ ଧାନର ସଂରକ୍ଷଣ ପାଇଁ ଆବଶ୍ୟକୀୟ ଗୋଦାମ ଗୃହ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ଷୁଦ୍ର, ମଧ୍ୟମ ଓ ବୃହତ ବର୍ଗରେ ରାଜ୍ୟରେ ସର୍ବମୋଟ ୪୦୦୬ଟି ମଣ୍ଡିରେ ଖରିଫ ଋତୁ ପାଇଁ ଧାନ ସଂଗ୍ରହ କରାଯିବ ।

ଯେଉଁ ଜିଲ୍ଲାର ମଣ୍ଡିରେ ଧାନ ସଂଗ୍ରହ ହୋଇପାରୁନି, ପାଖ ଜିଲ୍ଲାରେ ଦେଇପାରିବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ଧାନ ନେଇ ଯାଉଥିବା ଗାଡ଼ିଗୁଡ଼ିକର ଜିପିଏସ୍‌ ଟ୍ରାକିଂ କରାଯିବ । ମିଲରମାନଙ୍କ ତରଫରୁ ଚାଷୀଙ୍କୁ ଝୋଟ ବସ୍ତା ଓ ସୁତୁଲି ଯୋଗାଇ ଦିଆଯିବ । ଗଚ୍ଛିତ ଫସଲର ସୁରକ୍ଷା ପାଇଁ ୫୮ଟି ଶୀତଳ ଭଣ୍ଡାର ରାଜ୍ୟରେ ଖୁବ ଶୀଘ୍ର ଖୋଲାଯିବ । ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି କୃଷି ବିଭାଗ ପକ୍ଷରୁ ଏଗ୍ରି ଷ୍ଟାକ (AGRI STACK) ଆପ ହୋଇଛି । ଏଥିରେ ଚାଷୀ ଓ ଚାଷ ଜମିର ପଞ୍ଜୀକରଣ ତଥ୍ୟ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ।

ଏଆଇ ପ୍ରୟୋଗରେ ସ୍ବୟଂ ଚାଳିତ ଯନ୍ତ୍ରରେ ଧାନ ଓଜନ ହେବ । ଫଳରେ ଚାଷୀ ତାର ଉପଯୁକ୍ତ ପାଉଣା ପାଇବ ବୋଲି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ । ଧାନ ସଂଗ୍ରହ କେନ୍ଦ୍ରର ଭିତ୍ତିଭୂମିରେ ବ୍ୟାପକ ରୂପାନ୍ତର ଆସିବ । ଶତପ୍ରତିଶତ ସିସିଟିଭି ତଦାରଖ ବ୍ୟବସ୍ଥା ସହ ସ୍ଵଚ୍ଛ ପାନୀୟ ଜଳ, ଶୌଚାଳୟ, ଆବଶ୍ୟକୀୟ ଆଲୋକ, ପିଣ୍ଡି ଉପରେ ଛାତ, ବିଶ୍ରାମ ଗୃହ ଆଦି ମୌଳିକ ସୁବିଧା ସୁନିଶ୍ଚିତ କରାଯିବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ।

ସେହିପରି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ଦୁଇ ମାସ ମଧ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ । ଧାନ କିଣା ପ୍ରକ୍ରିୟାରେ କୌଣସି ମଧ୍ୟସ୍ଥି କିମ୍ବା କଟନୀଛଟନୀକୁ ବରଦାସ୍ତ କରାଯିବନି । ଚାଷୀଙ୍କଠାରୁ ଧାନ କ୍ବିଣ୍ଟାଲ ୩୧ଶହରେ କିଣାଯିବ, ୪୮ ଘଣ୍ଟାରେ ଟଙ୍କା ଖାତାକୁ ଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।

Leave A Reply

Your email address will not be published.