Latest Odisha News

‘ଡ୍ରାଗନ’ରେ ଆସିବେ ସୁନୀତା ୱିଲିୟମସ

ନୂଆଦିଲ୍ଲୀ: ମହାକାଶରୁ ସୁନୀତା ଓ ବୁଚ୍ ୱିଲମୋରଙ୍କୁ ଫେରାଇ ଆଣିବା ପାଇଁ ପଠାଯାଇଛି ଆଉ ଏକ ମହାକାଶ ଯାନ । ସଫଳତାର ସହ ମହାକାଶକୁ ଛଡା ଯାଇଛି ସ୍ପେସଏକ୍ସ କ୍ରିଉ-୯ ମିଶନ କ୍ୟାପସୁଲ । ସ୍ପେସଏକ୍ସର ଏହି ମିଶନ ଜରିଆରେ ସୁନୀତା ଓ ୱିଲମୋରଙ୍କୁ ପୃଥିବୀକୁ ଆଣିବ ନାସା । ସେପଟେମ୍ବର ୨୪ ତାରିଖରେ ସ୍ପେସଏକ୍ସ କ୍ରିଉ-୯ ମିଶନ ଲଂଚ୍ ହୋଇଥାଆନ୍ତା । ପାଗ ଅନୁକୂଳ ନଥିବାରୁ ମିଶନକୁ ଘୁଂଚାଇ ଦିଆଯାଇଥିଲା । ଫ୍ଲୋରିଡାର କେପ୍ କେନଭେରେଲରୁ ସ୍ପେସଏକ୍ସ କ୍ରିଉ-୯ କ୍ୟାପସୁଲକୁ ଫାଲକନ -୯ ରକେଟ୍ ଜରିଆରେ ମହାକାଶକୁ ଛଡାଯାଇଛି । ସୁନୀତା ଓ ୱିଲମୋର ବର୍ତ୍ତମାନ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର -ଆଇଏସଏସରେ ଅନ୍ୟ ମହାକାଶଚାରୀଙ୍କ ସହ ରହି ଗବେଷଣାରେ ବ୍ୟସ୍ତ । କିଛି ଦିନ ତଳେ ସୁନୀତା ୱିଲିୟମସଙ୍କୁ ମିଳିଥିଲା ଆଇଏସଏସର କମାଣ୍ଡ୍ ।

ମିଶନରେ ଚାରି ବଦଳରେ ଦୁଇ ମହାକାଶଚାରୀ

ନାସାର ସ୍ପେସଏକ୍ସ କ୍ରିଉ-୯ ମିଶନରେ ପ୍ରଥମେ ଚାରି ମହାକାଶଚାରୀଙ୍କୁ ଆଇଏସଏସକୁ ପଠାଯିବା ଯୋଜନା ଥିଲା । କିନ୍ତୁ ଯାଇଛନ୍ତି ଦୁଇ ମହାକାଶ ଯାତ୍ରୀ । ସୁନୀତା ଓ ବୁଚ୍ ୱିଲମୋର ଫେରିବାକୁ ଥିବାରୁ ସ୍ପେସଏକ୍ସ କ୍ୟାପସୁଲରେ ଦୁଇ ମହାକାଶଚାରୀଙ୍କୁ ହିଁ ପଠାଯାଇଛି । ଅନ୍ୟ ଦୁଇ ମହାକାଶଚାରୀଙ୍କୁ ପରବର୍ତ୍ତୀ ମିଶନରେ ଆଇଏସଏସ ପଠାଯିବ । କ୍ରିଉ -୯ ମିଶନର ଡ୍ରାଗନ କ୍ୟାପସୁଲକୁ ସ୍ପେସ ଷ୍ଟେସନ ସହ ଯୋଡିବା ପାଇଁ ପୂର୍ବରୁ ହିଁ ସ୍ଥାନ ଖାଲି କରାଯାଇଥିଲା । ଏଥିପାଇଁ ପୂର୍ବରୁ ଯାଇଥିବା ଷ୍ଟାରଲାଇନର କ୍ୟାପସୁଲକୁ ଆଗରୁ ହିଁ ପୃଥିବୀକୁ ପଠାଇ ଦିଆଯାଇଛି । ଷ୍ଟାରଲାଇନର ସ୍ଥାନରେ ଏବେ ଡ୍ରାଗନ କ୍ୟାପସୁଲ୍ ଆଇଏସଏସ ସହ ଯୋଡି ହେବ । ଜୁନରେ ଷ୍ଟାରଲାଇନର କ୍ୟାପସୁଲରେ ହିଁ ସୁନୀତା ଓ ୱିଲମୋର ନାସା ମିଶନରେ ମହାକାଶ ଯାଇଥିଲେ । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଠିକ୍ ସମୟରେ ଫେରି ପାରିନଥିଲେ । ସୁନୀତା ଓ ୱିଲମୋର ଆସନ୍ତାବର୍ଷ ଫେବ୍ରୁଆରୀରେ ହିଁ ପୃଥିବୀକୁ ଫେରିବେ । ସ୍ପେସଏକ୍ସ କ୍ରିଉ-୯ ମିଶନର ଡ୍ରାଗନ କ୍ୟାପସୁଲରେ ଫେରିବେ ଦୁଇ ମହାକାଶଚାରୀ ।

କ୍ରିଉ-୯ ସ୍ପେସ ମିଶନ କ’ଣ ?

ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ବ୍ୟବସାୟିକ ମହାକାଶ କାର୍ଯ୍ୟକ୍ରମର ଅଂଶବିଶେଷ ହେଉଛି କ୍ରିଉ-୯ ସ୍ପେସ ମିଶନ । ନାସା ଏଲନ ମସ୍କଙ୍କ ସ୍ପେସଏକ୍ସ ସହ ମିଶି ସ୍ପେସ ଷ୍ଟେସନର ୯ଟି ରୋଟେସନାଲ ମିଶନ କରିବ । ଆଇଏସଏସରେ ନିରନ୍ତର ଗବେଷଣା ମିଶନର ଲକ୍ଷ୍ୟ । ଗବେଷଣା ଦ୍ୱାରା ପୃଥିବୀକୁ ପାଣିପାଗର ସଠିକ୍ ସୂଚନା ମିଳିବ । ୨୦ ବର୍ଷରୁ ଅଧିକ ସମୟ ଧରି ଆଇଏସଏସରେ ସବୁବେଳେ କେହି ନା କେହି ମହାକାଶଚାରୀ ରହି ଗବେଷଣା କରିଆସୁଛନ୍ତି । ଆଇଏସଏସ୍ କେବେ ବି ଖାଲି ରହେ ନାହିଁ ।

ଚର୍ଚ୍ଚାରେ ସ୍ପେସଏକ୍ସ କମ୍ପାନିର ଡ୍ରାଗନ କ୍ୟାପସୁଲ

ନିର୍ମାଣ ହେବା ପରଠାରୁ ସ୍ପେସଏକ୍ସ କମ୍ପାନିର ଡ୍ରାଗନ କ୍ରିଉ କ୍ୟାପସୁଲ ୪୬ ଥର ମହାକାଶକୁ ଲଂଚ୍ ହୋଇସାରିଛି । ୪୨ ଥର ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ବା ଆଇଏସଏସକୁ ଯାତ୍ରା କରିଛି କ୍ରିଉ ଡ୍ରାଗନ୍ । ଏଥିସହ ୨୫ ଥର ଏହି କ୍ୟାପସୁଲ ରିଫ୍ଲାଇଟ ହୋଇଛି । ଡ୍ରାଗନ କ୍ୟାପସୁଲରେ ଏକାଥରକେ ୭ ଜଣ ମହାକାଶ ଯାତ୍ରୀ ବସିପାରିବେ । ବିଶ୍ୱର ପ୍ରଥମ ଘରୋଇ ସ୍ପେସକ୍ରାଫଟ ଭାବେ କ୍ରିଉ ଡ୍ରାଗନ ଲଗାତର ସ୍ପେସ ଷ୍ଟେସନକୁ ମହାକାଶଯାତ୍ରୀ ଓ କାର୍ଗୋ ଧରି ଯିବା ଆସିବା କରେ । ଖାଲି କ୍ୟାପସୁଲର ଓଜନ ୭ ହଜାର ୭୦୦ କିଲୋଗ୍ରାମ । ଯଦି ଏହି କ୍ୟାପସୁଲ ନିଜ ଦମରେ ପୃଥିବୀର ନିମ୍ନ କକ୍ଷରେ ଉଡାଣ ଭରେ, ତାହା ହେଲେ ୧୦ ଦିନ ମହାକାଶରେ ରହିପାରିବ । ଆଇଏସଏସ ସହ ଯୋଡି ହେଲେ ୨୧୦ ଦିନ ଯାଏଁ ଅନ୍ତରୀକ୍ଷରେ ରହିପାରିବ ଡ୍ରାଗନ କ୍ୟାପସୁଲ୍ । କ୍ରିଉ ଡ୍ରାଗନ କ୍ୟାପସୁଲର ପ୍ରଥମ ମାନବରହିତ ଉଡାଣ ୨୦୧୯ ମାର୍ଚ୍ଚ ୨ ତାରିଖରେ ହୋଇଥିଲା । ୨୦୨୦ ମେ’ ମାସରେ ହୋଇଥିଲା କ୍ରିଉ ଡ୍ରାଗନ କ୍ୟାପସୁଲର ପ୍ରଥମ ମାନବଯୁକ୍ତ ଉଡାଣ ।

 

 

Leave A Reply

Your email address will not be published.