Latest Odisha News

ଏକସିଡେଟାଂଲ୍ ଫାୟରିଂ : ଗୋବିନ୍ଦା ସ୍ଥିର, ଫ୍ୟାନ ଆଶ୍ୱସ୍ତ 

ମୁମ୍ବାଇ: ବଡ ଅଘଟଣରୁ ବର୍ତ୍ତିଲେ ଅଭିନେତା ଗୋବିନ୍ଦା । ସକାଳୁ ସକାଳୁ ଖବର ଆସିଲା ଯେ, ଗୋବିନ୍ଦାଙ୍କୁ ଗୁଳି ଲାଗିଛି । ସ୍ତବ୍ଧ ହୋଇଯାଇଥିଲେ ସିନେପ୍ରେମୀ । ପ୍ରକୃତ ଘଟଣା କ’ଣ, ତାହା ଧୀରେ ଧୀରେ ସ୍ପଷ୍ଟ ହୋଇଥିଲା । ମୁମ୍ବାଇର ଜୁହୁ ସ୍ଥିତ ବାସଭବନରେ ଗୋବିନ୍ଦା ନିଜର ଲାଇସେନ୍ସପ୍ରାପ୍ତ ରିଭଲଭର ସଫା କରି କପବୋର୍ଡରେ ରଖୁଥିବା ବେଳେ ତଳେ ପଡି ଆକସ୍ମିକ ଗୁଳି ଫୁଟି ଥିଲା । ଗୁଳି ଗୋବିନ୍ଦାଙ୍କ ଆଂଠୁରେ ଲାଗିଥିଲା । ଗୋବିନ୍ଦା କୋଲକାତା ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଘଟିଥିଲା ଏହି ଘଟଣା । ଭୋର୍ ୪ଟା ୪୫ ମିନିଟରେ ଘଟିଥିଲା ଏହି ଘଟଣା । ଗୁଳି ଲାଗିବା ପରେ ୬୦ ବର୍ଷିୟ ଗୋବିନ୍ଦା କୋଲକାତାରେ ଥିବା ପତ୍ନୀ ସୁନୀତା ଓ ମ୍ୟାନେଜରଙ୍କୁ ଫୋନ୍ କରିଥିଲେ । ମ୍ୟାନେଜର ଶଶି ସିହ୍ନାଙ୍କ କହିବା ଅନୁସାରେ ଏକ ଶୋ’ କରିବା ପାଇଁ ଗୋବିନ୍ଦା କୋଲକାତା ଯିବା କାର୍ଯ୍ୟକ୍ରମ ଥିଲା । ସକାଳ ୬ଟାରେ ଥିଲା ଫ୍ଲାଇଟ୍ । ଗୋବିନ୍ଦାଙ୍କ ଆଗରୁ ସେ ଏୟାରପୋର୍ଟରେ ପଂହଚି ସାରିଥିଲେ ବୋଲି ମ୍ୟାନେଜର ଶଶି ସିହ୍ନା କହିଛନ୍ତି । ଘଟଣା ପରେ ପୋଲିସ ପହଂଚି ଗୋବିନ୍ଦାଙ୍କୁ ତୁରନ୍ତ ଜୁହୁ ସି୍ଥତ କ୍ରିଟିକେର୍ ହସପିଟାଲ ନେଇଥିଲା । ଡାକ୍ତର ଗୋବିନ୍ଦାଙ୍କ ଗୋଡରୁ ବୁଲେଟ ବାହାର କରିଛନ୍ତି । ଗୋବିନ୍ଦାଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଜଣାପଡିବା ପରେ ଆଶ୍ୱସ୍ତ ହୋଇଛନ୍ତି ଅଭିନେତାଙ୍କ ଲକ୍ଷ ଲକ୍ଷ ପ୍ରଶଂସକ । ଆଶ୍ୱସ୍ତ ହୋଇଛି ସିନେ ଜଗତ । ୬୦ ବର୍ଷିୟ ଗୋବିନ୍ଦାଙ୍କ ଦ୍ରୁତ ଆରୋଗ୍ୟ କାମନା କରିଥିଲେ ତାଙ୍କର ଅସଂଖ୍ୟ ପ୍ରଶଂସକ ।

ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଲେ ଗୋବିନ୍ଦା

ନିଜର ପ୍ରିୟ ଅଭିନେତାଙ୍କୁ ଗୁଳି ଲାଗିଥିବା ଖବର ପ୍ରଚାରିତ ହେଲା ପରେ ବ୍ୟସ୍ତ ହୋଇପଡିଥିଲେ ପ୍ରଶଂସକ । ଅବସ୍ଥା ସ୍ଥିର ହେଲା ପରେ ଗୋବିନ୍ଦା ଏକ ଅଡିଓ ବାର୍ତ୍ତା  ଜାରି କରି ପ୍ରଶଂସକଙ୍କୁ ସେମାନଙ୍କର ପ୍ରାର୍ଥନା ପାଇଁ ଧନ୍ୟବାଦ ଜଣାଇଛନ୍ତି । ସେ ଏବେ ବିପଦମୁକ୍ତ ଅଛନ୍ତି । ଭୁଲବଶତଃ ଗୁଳି ଲାଗିଥିଲା । ସବୁ ବାବାଙ୍କ ଆଶୀର୍ବାଦ । ମୁଁ ଡାକ୍ତରମାନଙ୍କୁ ଧନ୍ୟବାଦ ଦେଉଛି ବୋଲି ଅଡିଓ ବାର୍ତ୍ତାରେ କହିଛନ୍ତି ଗୋବିନ୍ଦା । ଆସନ୍ତା ୪୮ ଘଂଟା ମଧ୍ୟରେ ଗୋବିନ୍ଦା ହସପିଟାଲରୁ ଡିସଚାର୍ଜ ହେବେ ।

ନବେ ଦଶକରେ ବଲିଉଡର ବଡ ଷ୍ଟାର ଥିଲେ ଗୋବିନ୍ଦା

ଅଶୀ ଦଶକର ପ୍ରାରମ୍ଭରେ ଫିଲ୍ମ ଜଗତରେ ପାଦ ରଖିଥିଲେ ଗୋବିନ୍ଦା ଆହୁଜା । ଆକସନ, କମେଡି ଓ ଫିଲ୍ମ ଡ୍ରାମାରେ ଅଭିନୟ କରି ପ୍ରଶଂସା ସାଉଁଟିଛନ୍ତି ଗୋବିନ୍ଦା । ଡ୍ୟାନ୍ସ ଓ କମେଡି ଦ୍ୱାରା ଦର୍ଶକଙ୍କୁ ମତୁଆଲା କରୁଥିଲେ ଗୋବିନ୍ଦା । ନବେ ଦଶକରେ ଗୋବିନ୍ଦା ଥିଲେ ବଲିଉଡର ସଫଳ ତାରକାଙ୍କ ମଧ୍ୟରେ ଅନ୍ୟତମ । ବିଶେଷକରି ନିଜର ଅନେକ କମେଡି କ୍ଲାସିକ ପାଇଁ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ ଗୋବିନ୍ଦା । ଆଜିକାଲି ଗୋବିନ୍ଦାଙ୍କ କ୍ରେଜ୍ ଆଉ ନାହିଁ । ବିଭିନ୍ନ ଟିଭି ରିୟଲିଟି ଶୋ’ରେ ଜଜ୍ ଭାବେ ଦେଖାଯାଉଛନ୍ତି ଗୋବିନ୍ଦା । ରାଜନୀତିରେ ବି ଭାଗ୍ୟ ଆପଣାଇଛନ୍ତି ଚିଚି ନାଁରେ ଲୋକପ୍ରିୟ ଏହି ଅଭିନେତା । ୨୦୦୪ ଲୋକସଭା ନିର୍ବାଚନରେ ଗୋବିନ୍ଦା କଂଗ୍ରେସ ଟିକେଟରେ ମୁମ୍ବାଇରୁ ନିର୍ବାଚିତ ହୋଇଥିଲେ । ରାମ ନାଏକଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କୁ ହରାଇଥିଲେ ଗୋବିନ୍ଦା । ୨୦୦୮ରେ ସେ ରାଜନୀତି ଛାଡିଥିଲେ । ଏବେ ପୁଣି ରାଜନୀତିରେ ଅଛନ୍ତି ଗୋବିନ୍ଦା । ଶିବସେନା ଏକନାଥ ସିନ୍ଦେ ଗୋଷ୍ଠୀର ସଦସ୍ୟ ଅଛନ୍ତି ଗୋବିନ୍ଦା ।

 

Leave A Reply

Your email address will not be published.