Latest Odisha News

BREAKING NEWS

ଅଚ୍ୟୁତ ସାମନ୍ତଙ୍କୁ ‘ମହାତ୍ମା ସମ୍ମାନ’ ୨୦୨୪ ପ୍ରଦାନ

ଭୁବନେଶ୍ୱର: ଶିକ୍ଷାବିତ ଓ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନଜନକ ମହାତ୍ମା ପୁରସ୍କାର ପ୍ରଦାନ କରାଯାଇଛି।

ନୂଆଦିଲ୍ଲୀଠାରେ ମଙ୍ଗଳବାର ବିର୍ଲା ଗ୍ରୁପ୍‍ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଚ୍ୟୁତ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ତାଙ୍କୁ ମହାତ୍ମା ପୁରସ୍କାର ପ୍ରଦାନ କରାଯାଇଛି।

ପ୍ରତିବର୍ଷ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପରିପ୍ରେକ୍ଷୀରେ ଆଦିତ୍ୟ ବିର୍ଲା ଗ୍ରୁପ୍ ପକ୍ଷରୁ ପ୍ରଦାନ କରାଯାଇଥାଏ ମହାତ୍ମା ପୁରସ୍କାର। ଗାନ୍ଧୀ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଭାରତର ବିଶିଷ୍ଟ ସିଏସଆର୍ ମ୍ୟାନ କୁହାଯାଉଥିବା ଅମିତ ସଚଦେବାଙ୍କ ଉଦ୍ୟମରେ ଏହି ମହାତ୍ମା ସମ୍ମାନ ଆରମ୍ଭ କରାଯାଇଥିଲା। ୨୦୧୬ରୁ ଦିଆଯାଇ ଆସୁଥିବା ଏହି ସମ୍ମାନ ରତନ ଟାଟା, ଅଜିମ ପ୍ରେମଜୀ, ବିନ୍ଦେଶ୍ୱର ପାଠକ, ସବାନା ଆଜମୀଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନକୁ ପ୍ରଦାନ କରାଯାଇଛି।

ଏହି ସମ୍ମାନ ପ୍ରଦାନ ପାଇଁ ଏକ ଚୟନ କମିଟି ରହିଛି । ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତର୍ଜମା କରିବା ପରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ଦୀର୍ଘ ୩୩ ବର୍ଷ ଧରି ଅଚ୍ୟୁତ ସାମନ୍ତ ଶିକ୍ଷା ଓ ସମାଜସେବାରେ ନିଜକୁ ନିୟୋଜିତ କରିଆସିଛନ୍ତି।

ଜନଜାତି ଓ ସମାଜର ଅବହେଳିତ ବର୍ଗଙ୍କ ବିକାଶ ତଥା ସମାଜରେ ଅସମାନତା ଦୂର ନେଇ ମହାତ୍ମା ଗାନ୍ଧୀଙ୍କ ଯେଉଁ କାର୍ଯ୍ୟଧାରା ଥିଲା କିସ୍ ଜରିଆରେ ସେ ସେହି କାର୍ଯ୍ୟକୁ ଗତ ତିନି ଦଶନ୍ଧୀ ଧରି ତ୍ୱରାନ୍ୱିତ କରିଆସୁଛନ୍ତି। ତାଙ୍କର ଏହି ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟ ପାଇଁ ତାଙ୍କୁ ଆଜି ମହାତ୍ମା ସମ୍ମାନ ପ୍ରଦାନ କରାଯାଇଛି।

ଆଜି ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ଓ ଲେଖକ ସୁଧା ମୂର୍ତ୍ତିି, ଓଡ଼ିଶୀ ଓ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଓ ଗୁରୁ ସୋନାଲ ମାନସିଂହଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନଙ୍କୁ ଏହି ସମ୍ମାନ ଦିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରାଜଶ୍ରୀ ବିର୍ଲା ଓ ପୁଡୁଚେରୀର ପ୍ରାକ୍ତନ ଲ୍ୟୁଟନାଣ୍ଟ ଗଭର୍ଣ୍ଣର କିରଣ ବେଦୀ ପ୍ରମୁଖ ଉପସ୍ଥିତ ଥିଲେ।

ଅଚ୍ୟୁତ ସାମନ୍ତ ଏହି ଅବସରରେ ସିଏସଆର୍ ଗୁଡ଼ ବୁକ୍ ସମ୍ପାଦକ ତଥା ମହାତ୍ମା ଆୱାର୍ଡ ନିର୍ଦ୍ଦେଶକ ମୁଗଧା ଆରୋରା ଏବଂ ଆୟୋଜକ କମିଟିକୁ କୃତଜ୍ଞତା ଜଣାଇଛନ୍ତି। ଏହି ସମ୍ମାନକୁ ସେ କିଟ୍ ଓ କିସ୍ ପରିବାରକୁ ଉତ୍ସର୍ଗ କରିଛନ୍ତି।

Leave A Reply

Your email address will not be published.