Latest Odisha News

ଓଡ଼ିଶାରେ ହେବ ୩୫ତମ ଇଷ୍ଟ ଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ

ଭୁବନେଶ୍ୱର : ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ଆଥଲେଟିକ୍ସ ଆସୋସିଏସନ୍‌ ଏବଂ ଆଥଲେଟିକ୍ସ ଫେଡେରେସନ୍‌ ଅଫ୍ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଆସନ୍ତା ଅକ୍ଟୋବର ୭ରୁ ୯ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଠାରେ ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ମେଘାଳୟ, ନାଗାଲାଣ୍ଡ, ସିକିମ, ଅରୁଣାଚଳ ପ୍ରଦେଶ, ଆସାମ ଓ ମଣିପୁରରୁ ୬୦୦ରୁ ଉର୍ଦ୍ଧ୍ୱ ଯୁବ କ୍ରୀଡ଼ାବିତ୍‌ମାନେ ବିଭିନ୍ନ ଟ୍ରାକ୍ ଏବଂ ଫିଲ୍ଡ ଇଭେଣ୍ଟରେ ଅଂଶଗ୍ରହଣ କରିବେ । ବିହାରରୁ ସର୍ବାଧିକ ୧୩୪ ଜଣ ଅଂଶଗ୍ରହଣ କରୁଥିବା ବେଳେ ନାଗାଲାଣ୍ଡରୁ ସର୍ବନିମ୍ନ ୫ ଜଣ  ଭାଗନେବେ।

ଓଡିଶାରୁ ଚଳିତବର୍ଷ ୧୧୫ଜଣ କ୍ରୀଡାବିତ୍‌ ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପରେ ଅଂଶଗ୍ରହଣ କରିବେ । ଓଡ଼ିଶା ଆଥଲେଟିକ୍ସ ଆସୋସିଏସନ୍‌ର ଟେକନିକାଲ୍ ଚେୟାରମ୍ୟାନ୍‌ ପ୍ରବୋଧ କୁମାର ମହାନ୍ତି କହିଛନ୍ତି ଯେ, ଚାମ୍ପିୟନଶିପ ମାଧ୍ୟମରେ କ୍ରୀଡାବିତ୍ ମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବା ନିମନ୍ତେ ଉତ୍କୃଷ୍ଟ ପ୍ଲାଟଫର୍ମ ପାଇପାରୁଛନ୍ତି । ନ୍ୟାସନାଲ୍ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍ ପାଇଁ କ୍ରୀଡାବିତ୍‌ ମାନେ ନିଜର ପ୍ରସ୍ତୁତିର ଅନୁଶୀଳନ ମଧ୍ୟ କରିପାରିବେ ବୋଲି ସେ ମତପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତା ଅକ୍ଟୋବର ୨୫ରୁ ୨୯ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ ଠାରେ ୩୯ତମ ନ୍ୟାସନାଲ୍ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ ଅନୁଷ୍ଠିତ ହେବ । ଓଡ଼ିଶା କ୍ରୀଡା ଓ ଯୁବସେବା ବିଭାଗ ମନ୍ତ୍ରୀ  ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଓଡ଼ିଶାରେ ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟାନସିପ୍ ଅନୁଷ୍ଠିତ ହେବା ଅତ୍ୟନ୍ତ ଖୁସି ଏବଂ ଗର୍ବର ବିଷୟ । ପ୍ରତିଯୋଗିତାରେ ଭାଗ ନେଉଥିବା କ୍ରୀଡ଼ାବିତ୍‌ମାନଙ୍କୁ ମୁଁ ଶୁଭେଚ୍ଛା ଜଣାଇବା ସହ ସମସ୍ତେ ଭଲ ପ୍ରଦର୍ଶନ କରିବେ ବୋଲି ମୁଁ ଆଶା କରୁଛି । ଆଗକୁ ମଧ୍ୟ ଓଡ଼ିଶାରେ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆୟୋଜନ ହେବାର ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.