Latest Odisha News

BREAKING NEWS

ଭକ୍ତଙ୍କ ଗାଳିଗୁଲଜରେ ଶାନ୍ତ ହୁଅନ୍ତି ଦେବୀ ମା’

ଥିରୁଅନନ୍ତପୁରମ୍: ରାସ୍ତାରେ ଲାଲ ସମୁଦ୍ରର ସ୍ରୋତ । ଭକ୍ତମାନେ ଲାଲ୍ ପୋଷାକ ପରିଧାନ କରି ଦେବୀଙ୍କ ଉଦ୍ଦେଶ୍ୟରେ ଗୀତ ଗାଉଛନ୍ତି । ତେବେ ସେହି ଭକ୍ତିଗୀତରେ ଦେବୀଙ୍କ ନାଁ ଉଚ୍ଚାରଣ କରିବାର ଚଳଣି ନାହିଁ । ବାରଂ ଗୀତରେ ଭରି ରହିଛି ବହୁ କଟି କଥା ଗାଳିଗୁଲଜ । କେରଳର ଏକ ମନ୍ଦିରରେ ଦୀର୍ଘ ବର୍ଷଧରି ଏହି ପ୍ରଥା ଚଳିଆସିଛି । କେରଳର କଦୁଙ୍ଗାଲ୍ଲୁର ଭଗବତୀ ମନ୍ଦିରରେ ଦେଖିବାକୁ ମିଳେ ଏହି ପ୍ରଥା ।

ଏହି ମନ୍ଦିରରେ ମା’ କାଳୀଙ୍କ ଉପାସନା କରାଯାଇଥାଏ । ସ୍ଥାନୀୟ ଲୋକେ ମା’ କାଳୀଙ୍କର ଏହି ରୂପକୁ ‘ଶ୍ରୀ କୁରୁମ୍ବା’ ନାମରେ ଆରାଧନା କରିଥାଆନ୍ତି । ପ୍ରାଚୀନ ଲୋକକଥା ଅନୁସାରେ ଦେବୀ କୁରୁମ୍ବା ପ୍ରକୃତରେ ମା’ କାଳୀଙ୍କ ଉଗ୍ର ସ୍ବରୂପ । ଶିବଙ୍କ ତୃତୀୟ ନେତ୍ରରୁ କୁରୁମ୍ବାଙ୍କର ସୃଷ୍ଟି । କଥିତ ଅଛି ଦାରୁକା ନାମକ ଜଣେ ଅତିକାୟ, ଶକ୍ତିଶାଳୀ ଦାନବକୁ ନିଧନ କରିବା ଉଦ୍ଦେଶ୍ୟରେ ଦେବୀ କୁରୁମ୍ବାଙ୍କୁ ସୃଷ୍ଟି କରିଥିଲେ ମହାଦେବ । କୁରୁମ୍ବା ଦବୀଙ୍କ ମୂର୍ତ୍ତି ସାତ ଫୁଟ ଲମ୍ବା । ମୋଟ ଆଠଟି ହାତ ମଧ୍ୟରୁ ଗୋଟିଏରେ ଛିନ୍ନ ମସ୍ତକ, ଗୋଟିଏରେ ତରବାରୀ । ବାକି ୬ ହାତରେ ୬ପ୍ରକାରର ଅସ୍ତ୍ର ଧାରଣ କରିଥାଆନ୍ତି ମା’ କୁରୁମ୍ବା । ଉତ୍ତର କେରଳର ଅଧିବାସୀମାନେ ଏହି ଦେବୀଙ୍କୁ ଅଧିକ ଜାଗ୍ରତ ବୋଲି ମନେ କରନ୍ତି।

ପ୍ରତିବର୍ଷ ଏପ୍ରିଲ ମାସ ବେଳକୁ କୁରୁମ୍ବା ଦେବୀଙ୍କର ଜନ୍ମତିଥି ‘ଭବାନୀ ଉତ୍ସବ’ ପାଳନ କରାଯାଏ । ମାଲୟାଲମ କ୍ୟାଲେଣ୍ଡର ଅନୁସାରେ ବର୍ଷର ଏହି ଦିନକୁ ‘ମୀନମ’ ବୋଲି କୁହାଯାଏ । କୁହାଯାଏ ଯେ, ଏହି ସମୟରେ ଦେବୀଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ଭକ୍ତମାନେ ଦେବୀଙ୍କ ଭଳି ଲାଲ୍ ରଙ୍ଗର ପୋଷାକ ପରିଧାନ କରି ମୁଣ୍ଡରେ ଏକ ଜୀବନ୍ତ କୁକୁଡାକୁ ବାନ୍ଧି ରାସ୍ତାରେ ଚାଲିଥାଆନ୍ତି । ପରେ ସେହି କୁକୁଡାକୁ ଦେବୀଙ୍କ ଆଗରେ ବଳି ଦିଆଯାଏ । ବିଶ୍ଵାସ ଯେ, ଏହା ଦ୍ଵାରା ଦେବୀ ସନ୍ତୁଷ୍ଟ ହେବା ସହ ଭକ୍ତଙ୍କ ମନବାଞ୍ଛିତ ବର ପ୍ରଦାନ କରିଥାଆନ୍ତି ।

ଏହାପରେ ଆରମ୍ଭ ହୁଏ ‘କାଭୁ ଥୀଣ୍ଡଲ’ । କଦୁଙ୍ଗାଲ୍ଲୁରର ରାଜା କ୍ରାଙ୍ଗାନୋର ରାଜ ପରିବାରର ସଦସ୍ୟମାନେ ମନ୍ଦିର ଆଗରେ ଥିବା ବଟବୃକ୍ଷ ତଳେ ଥିବା ବେଦୀ ଉପରେ ଛିଡା ହୋଇ ଗୋଟିଏ ସିଲ୍କର ପାରାସଲ୍ ଖୋଲିବା ପରେ ମନ୍ଦିରର ପ୍ରବେଶ ଦ୍ଵାର ଖୋଲିଥାଏ । ଭକ୍ତମାନେ ମନ୍ଦିରରେ ପ୍ରବେଶ କରିବା ଆଗରୁ ହାତରେ ବାଡି ଧରି ମନ୍ଦିର ଚାରିପାର୍ଶ୍ଵରେ ତିନି ଥର ପ୍ରଦକ୍ଷିଣ କରି ମନ୍ଦିର ମଧ୍ୟରେ ପ୍ରବେଶ କରିଥାଆନ୍ତି । ଅନେକ ସମୟରେ ଭକ୍ତମାନେ ହାତରେ ତରବାରୀ ଧରି ଧାରୁଆ ଅସ୍ତ୍ର ନେଇ ମନ୍ଦିରରେ ପ୍ରବେଶ କରିଥାଆନ୍ତି । ଦେବୀ କୁରୁମ୍ବାଙ୍କ ଉଦ୍ଦେଶ୍ୟରେ ସେମାନେ ଯେଉଁ ଭକ୍ତି ଗୀତ ଗାଇଥାଆନ୍ତି ତାହା କଟୁ କଥାରେ ଭରା ହୋଇଥାଏ । ଏବେବି ବିଶ୍ଵାସ ରହିଛି ଭକ୍ତଙ୍କ ମୁହଁରୁ କଟୁକଥା ଶୁଣିଲେ ଦେବୀ କୁରୁମ୍ବା ଶାନ୍ତ ହୋଇଥାଆନ୍ତି ।

Leave A Reply

Your email address will not be published.