Latest Odisha News

BREAKING NEWS

ନବରାତ୍ରୀ ୨୦୨୪: ପୂଜା ପାଇବେ ସ୍କନ୍ଦଙ୍କ ମାତା ସ୍କନ୍ଦମାତା

ଭୁବନେଶ୍ଵର: ପର୍ବତ ଉପରେ ରହି ସାଂସାରିକ ଜୀବଙ୍କ ମଧ୍ୟରେ ନବଚେତନାର ନିର୍ମାଣ କରୁଥିବା ମା’ ହେଉଛନ୍ତି ଦେବୀ ସ୍କନ୍ଦମାତା । ନବରାତ୍ରୀର ପଞ୍ଚମ ଦିନରେ ସ୍କନ୍ଦମାତା ରୂପରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଛି । ସ୍କନ୍ଦ କୁମାର କାର୍ତ୍ତିକେୟଙ୍କ ମାତା ହୋଇଥିବା କାରଣରୁ ମା’ଙ୍କ ନାମ ସ୍କନ୍ଦମାତା । ମା’ଙ୍କ ବିଗ୍ରହରେ ଭଗବାନ ସ୍କନ୍ଦ ବାଳକ ରୂପରେ କୋଳରେ ବିରାଜମାନ କରିଥାନ୍ତି ।

ପୌରାଣିକ କଥା ଅନୁସାରେ ତାରକା- ସୁର ନାମରେ ଏକ ରାକ୍ଷସ ଥିଲା। ଯିଏ ତ୍ରିପୁରକୁ ନିଜର କଠୋର ସାଧନା ବଳରେ ଜୟ କରିପାରି ଥିଲା। କିନ୍ତୁ ଏହାର ମୃତ୍ୟୁ କେବଳ ଭଗବାନ ଶଙ୍କରଙ୍କ ପୁତ୍ର କାର୍ତ୍ତିକେୟଙ୍କ ଦ୍ୱାରା ସମ୍ଭବ ଥିଲା। ଏହା ଜାଣିବା ପରେ ମାଁ ପାର୍ବତୀ ପୁତ୍ର କାର୍ତ୍ତିକେୟଙ୍କୁ ଯୁଦ୍ଧ ପାଇଁ ପ୍ରଶିକ୍ଷିତ କରିବା ସହ ସ୍କନ୍ଦ ମାତାଙ୍କ ରୂପ ଧାରଣ କରିଥିଲେ। ସ୍କନ୍ଦମାତାଙ୍କ ଠାରୁ ଯୁଦ୍ଧ ପ୍ରଶିକ୍ଷିଣ ନେବା ପରେ ଭଗବାନ ସ୍କନ୍ଦ ତାରକା ସୁରର ବଦ୍ଧ କରିଥିଲେ।

ଦେବୀ ସ୍କନ୍ଦମାତା ବିଶୁଦ୍ଧ ଚକ୍ରର ଅଧିଷ୍ଠାତ୍ରି ଦେବୀ। ନବରାତ୍ର ବ୍ରତ ରଖିଥିବା ସାଧକଙ୍କ ମନ ଏହିଦିନ ବିଶୁଦ୍ଧ ଚକ୍ରରେ ସ୍ଥିର ରହିଥାଏ। ସ୍କନ୍ଦମାତାଙ୍କୁ ମଧ୍ୟ ବିଦ୍ୟବାସିନୀ ମଧ୍ୟ କୁହାଯାଇଥାଏ। ଶାସ୍ତ୍ରରେ ସ୍କନ୍ଦଙ୍କ ଅନ୍ୟନାମ ହେଉଛି କୁମାର କାର୍ତ୍ତିକେୟ । ଥରେ ଇନ୍ଦ୍ର କାର୍ତ୍ତିକେୟଙ୍କୁ ଉପହାସ କରି କହିଥିଲେ ଯେ ତୁମେ ଭଗବାନ ଶଙ୍କର ଏବଂ ମାତା ପାର୍ବତୀଙ୍କ ସନ୍ତାନ ନୁହଁ । ଏହାଦ୍ୱାରା କୁମାର କାର୍ତ୍ତିକେୟ ବହୁତ ଦୁଃଖି ହୋଇଥିଲେ। ଏହାପରେ ମାତା କାର୍ତ୍ତେକେୟଙ୍କ ଦୁଃଖ ବୁଝିପାରିଥିଲେ ଏବଂ ସିଂହ ଉପରେ ବିରାଜମାନ କରି ପ୍ରକଟ ହୋଇ ନିଜ କୋଳରେ କାର୍ତ୍ତିକେୟଙ୍କୁ ଉଠାଇ ନେଇ ବସାଇଥିଲେ। ଏହାପରେ ଦେବରାଜ ଇନ୍ଦ୍ରଙ୍କ ଗର୍ବ ଚୂର୍ଣ୍ଣ ହେବା ସହିତ ଭଗବାନ କାର୍ତ୍ତିକେୟଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଥିଲେ।

ମା’ଙ୍କ ଏହି ବେଶରେ ଚାରୋଟି ହସ୍ତ ଥାଏ । ଗୋଟିଏ ହାତରେ ମା’ ସ୍କନ୍ଦଙ୍କୁ ଧରିଥିବା ବେଳେ ଅନ୍ୟ ହାତରେ ପଦ୍ମଫୁଲ ସହ ବରଦାନ ମୁଦ୍ରାରେ ରହିଥାନ୍ତି । ମା’ଙ୍କ ବର୍ଣ୍ଣ ଶୁଭ୍ର ହୋଇଥିବା ବେଳେ ସେ ପଦ୍ମ ଆସନରେ ସିଂହ ଉପରେ ବିରାଜମାନ କରିଥାନ୍ତି । ଏଥିପାଇଁ ମା’ଙ୍କୁ ପଦ୍ମାସନା ମଧ୍ୟ କୁହାଯାଏ । ମା’ଙ୍କର ଏପରି ସ୍ବରୂପ ଭକ୍ତଙ୍କ ପାଇଁ ମଙ୍ଗଳକାରୀ ହୋଇଥାଏ ।ପୌରାଣିକ କଥା ଅନୁସାରେ, ମା ହିମାଳୟ ପୁତ୍ରୀ । ମା’ ମାହେଶ୍ୱରୀ ଓ ଗୌରୀ ନାମରେ ମଧ୍ୟ ନାମିତ । ସ୍କନ୍ଦମାତା ପଦ୍ମ ଫୁଲରେ ଅଭୟ ମୁଦ୍ରାରେ ବିରାଜମାନ । ମା’ଙ୍କ ରୂପ ଅତ୍ୟନ୍ତ ସୁନ୍ଦର। ତାଙ୍କ ମୁଖରେ ଏକ ଉଜ୍ଜ୍ୱଲ୍ୟ ଦେଖିବାକୁ ମିଳିଥାଏ । ସେଥିପାଇଁ ତାଙ୍କୁ ମା’ ଗୌରୀ ମଧ୍ୟ କୁହାଯାଏ ।

Leave A Reply

Your email address will not be published.