Latest Odisha News

ଭାରତର ଅମୂଲ୍ୟ ରତନ

ନୂଆଦିଲ୍ଲୀ: ଗୋଟିଏ ଯୁଗର ଅବସାନ । ଜଣେ ରତ୍ନଙ୍କୁ ହରାଇଛି ଭାରତ । କିମ୍ବଦନ୍ତୀ ଶିଳ୍ପପତି ରତନ ଟାଟା ଆଉ ନାହାନ୍ତି । ୮୬ ବର୍ଷ ବୟସରେ ପରପାରିକୁ ଚାଲିଯାଇଛନ୍ତି ଭାରତୀୟ ଉଦ୍ୟୋଗ ଜଗତର ମହାନ ବ୍ୟକ୍ତିତ୍ୱ । ଭାରତର ଶିଳ୍ପକୁ ବିଶ୍ୱମଂଚରେ ପ୍ରତିଷ୍ଠିତ କରିବାରେ ରତନ ଟାଟାଙ୍କ ଭୂମିକା ଥିଲା ଅତୁଳନୀୟ । ରତନ ଟାଟାଙ୍କ ଅବର୍ତ୍ତମାନରେ ସୃଷ୍ଟି ହୋଇଛି ବିରାଟ ଶୂନ୍ୟସ୍ଥାନ ।

ଭାରତୀୟ ଶିଳ୍ପକୁ ଦେଇଥିଲେ ସ୍ୱତନ୍ତ୍ର ପରିଚୟ

ଜଣେ ସଫଳ ଶିଳ୍ପପତି ସହ ବଦାନ୍ୟ ବ୍ୟକ୍ତି ଭାବେ ଦେଶବିଦେଶରେ ଲୋକପ୍ରିୟ ରତନ ଟାଟା କମ୍ପାନିକୁ ଖ୍ୟାତି ଶୀର୍ଷରେ ପହଂଚାଇଥିଲେ । ବ୍ୟବସାୟ ସହ ଦାତବ୍ୟ କାମରେ ସଂପୃକ୍ତି ରତନ ଟାଟାଙ୍କୁ ଆହୁରି ପ୍ରତିଷ୍ଠିତ କରିଥିଲା। ରତନ ଟାଟାଙ୍କ ନେତୃତ୍ୱରେ ୧୦ ହଜାର କୋଟି ଡଲାର କମ୍ପାନିରେ ପରିଣତ ହୋଇଥିଲା ଟାଟା ଗ୍ରୁପ୍ । ରତନଙ୍କ ଅମଳରେ ହିଁ ଟାଟା ମୋଟର୍ସ ବିଶ୍ୱ ପ୍ରସିଦ୍ଧ ଜାଗୁଆର ଓ ଲ୍ୟାଣ୍ଡରୋଭର ଅଟୋମୋବାଇଲ କମ୍ପାନି ଅଧିଗ୍ରହଣ କରିଥିଲା। ଟାଟା ଷ୍ଟିଲ୍ ବିଶ୍ୱସ୍ତରୀୟ ଷ୍ଟିଲ କମ୍ପାନି କୋରୋସର ଅଧିଗ୍ରହଣ ମଧ୍ୟ ରତନ ଟାଟାଙ୍କ ଅମଳରେ ହୋଇଥିଲା । ବିଶ୍ୱ ଦରବାରରେ ଏକ ଭାରତୀୟ କମ୍ପାନିକୁ ସଫଳତାର ଶିଖରତମ ସୋପାନରେ ପଂହଚାଇବାରେ ରତନ ଟାଟାଙ୍କୁ ଭୂମିକାକୁ କିଏ ବା ଭୁଲିପାରିବ ? ଭାରତର ସାଧାରଣ ଲୋକଙ୍କ ଚାରିଚକିଆ ଗାଡିର ସ୍ୱପ୍ନ ସାକାର କରିବାକୁ ଉଦ୍ୟମ କରିଥିଲେ ରତନ ଟାଟା । ଅଟୋମୋବାଇଲ ବଜାରକୁ ଆଣିଥିଲେ ଶସ୍ତା କାର୍ ନାନୋ । ଭାରତୀୟ ବଜାରରେ ପାଶ୍ଚାତ୍ୟ ଅଟୋ କମ୍ପାନିଗୁଡିକର ବର୍ଚ୍ଚସ୍ୱ ରହିଥିବା ରତନ ଟାଟା ଆଣିଥିଲେ ଇଣ୍ଡିକା କାର୍ । ଭାରତରେ ଡିଜାଇନ୍ ହୋଇଥିବା ପ୍ରଥମ କାର୍ ଥିଲା ଇଣ୍ଡିକା ।

୧୯୬୨ରୁ ଟାଟା ଗ୍ରୁପ୍ ସହ ସଂପୃକ୍ତି

୧୯୩୭ ଡିସେମ୍ବର ୨୮ରେ ଏକ ପାର୍ସି ପରିବାରରେ ଜନ୍ମିଥିଲେ ରତନ ଟାଟା । ମୁମ୍ବାଇ, ସିମଲା ଓ ନ୍ୟୁୟର୍କରେ ହୋଇଥିଲା ପାଠ ପଢା । ୧୯୬୨ରେ ଟାଟା ଗ୍ରୁପରେ ଯୋଗ ଦେଇଥିଲେ ରତନ । ଜାମସେଦପୁରେ ଟାଟା ଷ୍ଟିଲରେ ପ୍ରଥମ କାମ କରିଥିଲେ । ୬ ବର୍ଷ ଆପ୍ରେଂଟିସିପ୍ ପରେ ପ୍ରୋଜେକ୍ଟ ମ୍ୟାନେଜର ହୋଇଥିଲେ ରତନ ଟାଟା । ପରେ ଜେନେରାଲ ମ୍ୟାନେଜର ଏସ.କେ ନାନାବତୀଙ୍କ ସ୍ୱତନ୍ତ୍ର ସହାୟକ ଭାବେ ରତନଙ୍କୁ ମିଳିଥିଲା ନିଯୁକ୍ତି । ରତନଙ୍କ ପରିଶ୍ରମ ଓ କାର୍ଯ୍ୟଦକ୍ଷତା ଜାଣିବା ପରେ ଜେଆରଡି ଟାଟା ତାଙ୍କୁ ମୁମ୍ବାଇ ଡକାଇଥିଲେ । ସେଂଟ୍ରାଲ ଇଣ୍ଡିଆ ମିଲ୍ସ ଓ ନ୍ୟାସନାଲ ରେଡିଓ ଆଣ୍ଡ୍ ଇଲେକ୍ଟ୍ରୋନିକ୍ସ- ନେଲ୍କୋ ଭଳି ରୁଗ୍‌ଣ କମ୍ପାନିକୁ ସୁଧାରିବା ଦାୟିତ୍ୱ ରତନଙ୍କୁ ଦିଆଯାଇଥିଲା । ରତଙ୍କ ନେତୃତ୍ୱରେ ନେଲ୍କୋର କାୟା ବଦଳି ଯାଇଥିଲା । ମାତ୍ର ତିନି ବର୍ଷ ମଧ୍ୟରେ ଲାଭ କରିବା ଆରମ୍ଭ କରିଥିଲା ନେଲ୍କୋ । ୧୯୮୧ରେ ଟାଟା ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ ରତନ ।

୧୯୯୧ରେ ଜେଆରଡି ଟାଟାଙ୍କ ଉତ୍ତରାଧିକାରୀ

ଟାଟା ଗ୍ରୁପ୍ ମାଲିକ ଜେଆରଡି ଟାଟାଙ୍କ ପୁଅ ଝିଅ ନଥିବାରୁ ଉତ୍ତରାଧିକାରୀ ପାଇଁ ନାନି ପାଲଖିୱାଲା, ଋଷି ମୋଦି ପ୍ରମୁଖ ରେସରେ ଥିଲେ । ଶେଷରେ ରତନ ଟାଟାଙ୍କୁ ହିଁ ଉତ୍ତରାଧିକାରୀ ବାଛିଥିଲେ ଜେଆରଡି ଟାଟା । ୨୫ ମାର୍ଚ୍ଚ ୧୯୯୧ରେ ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଥିଲେ ରତନ ଟାଟା ।

ଟାଟାକୁ ନିର୍ଭରଯୋଗ୍ୟ ବ୍ରାଣ୍ଡ୍ କରିଥିଲେ ରତନ

ଟାଟାଗ୍ରୁପ୍ ଅଧ୍ୟକ୍ଷ ଭାବେ ରତନଙ୍କ କିଛିଟା ନିଷ୍ପତ୍ତି ବିବାଦୀୟ ଥିଲା । ଜାଗୁଆର ଅଧିଗ୍ରହଣ ନିଷ୍ପତ୍ତିକୁ ସମାଲୋଚନା ହୋଇଥଲା । ଭାରତୀୟ ଟେଲିକମ କ୍ଷେତ୍ରରେ ଥିବା ସୁଯୋଗକୁ ହାତଛଡା କରିଥିବାରୁ ମଧ୍ୟ ସମାଲୋଚିତ ହୋଇଥିଲେ ଟାଟା । ଜାଗୁଆର କିଣିବା ଯୋଗୁଁ ଆର୍ଥିକ ଭାବେ ବିଶେଷ କ୍ଷତି ସହିଥିଲା ଟାଟା କମ୍ପାନି । ହେଲେ ରତନଙ୍କ ନେତୃତ୍ୱରେ ଟାଟା କନସଲଟେନ୍ସୀ ସର୍ଭିସ-ଟିସିଏସ ବିଶ୍ୱରେ ଟାଟା ଗ୍ରୁପର ଅଗ୍ରଣୀ କମ୍ପାନିରେ ପରିଣତ ହୋଇଥିଲା । କିଛି ବିବାଦୀୟ ନିଷ୍ପତ୍ତି ସତ୍ତ୍ୱେ ରତନ ଟାଟା ଭାରତୀୟ ଶିଳ୍ପ ଜଗତର ଜଣେ ନିର୍ଭରଯୋଗ୍ୟ ଶିଳ୍ପପତି ଭାବେ ବିବେଚିତ ହୁଅନ୍ତି । କୋଭିଡ ମହାମାରୀ ବେଳେ ଲକଡାଉନରୁ ସୃଷ୍ଟି ହୋଇଥିବା ଆର୍ଥିକ ସମସ୍ୟାର ମୁକାବିଲା ପାଇଁ ୧୫୦୦ କୋଟି ଟଙ୍କାର ସହାୟତା ଦେଇଥିଲେ ରତନ ଟାଟା । କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସୌଖିନ ହୋଟେଲରେ ରହିବା ପାଇଁ ପ୍ରସ୍ତାବ ଦେଇଥିଲେ ରତନ ଟାଟା । ଆଜି ବି ଭାରତୀୟ ଟ୍ରକ୍ ଚାଳକ ଟ୍ରକ୍ ପଥରେ ଓକେ ଟାଟା ଲେଖନ୍ତି । ଏଥିରୁ ଟାଟା କମ୍ପାନିର ନିର୍ଭରେଯାଗ୍ୟତା ସ୍ପଷ୍ଟ ଜଣାପଡେ । ଆଜି ଟାଟାର ବିଶାଳ ବୈଶ୍ୱିକ ଫୁଟପ୍ରିଂଟ ରହିଛି । ଜାଗୁଆର ଓ ଲ୍ୟାଣ୍ଡରୋଭର ନିର୍ମାଣ କରୁଛି ଟାଟା । ଆଜି ଟିସିଏସ୍ ଦୁନିଆର ନାମୀଦାମୀ ସଫଟୱେୟାର କମ୍ପାନି ମଧ୍ୟରେ ଅନ୍ୟତମ । ଏସବୁ ପାଇଁ ରତନ ଟାଟାଙ୍କ ଭୂମିକା ସର୍ବଦା ସ୍ମରଣୀୟ ।

Leave A Reply

Your email address will not be published.