Latest Odisha News

ଆଦିବାସୀଙ୍କ ଆଶା, ବିଶ୍ୱାସ ଓ ସଂସ୍କୃତିର ପ୍ରତୀକ ଛତର ଯାତ୍ରା, ପୂଜା ପାଇବେ ଧରଣୀ ପେନୁ

କଳାହାଣ୍ଡି: ଓଡ଼ିଶାର ସଂସ୍କୃତି ଓ ପରମ୍ପରା ବହୁତ୍ ପୁରୁଣା ଓ ଗଭୀର। ଏହାର ଅନେକ କିମ୍ବଦନ୍ତୀ ରହିଛି, ଯାହାକି ଦେଶର କୋଣ ଅନୁକୋଣରୁ ଅନେକ ଲୋକଙ୍କୁ ଏହାର କଳା, କୀର୍ତ୍ତି ଓ ସଂସ୍କୃତି ପ୍ରତି ଆକର୍ଷିତ କରିଥାଏ। ୧୨ ମାସରେ ତେର ପର୍ବ ପୁଣି ଆୟୋଜନ ହୁଏ ଅନେକ ଯାନିଯାତ୍ରା। କଳାହାଣ୍ଡି ଜିଲ୍ଲା ହେଉଛି ଆଦିବାସୀ ବହୁଳ ଜିଲ୍ଲା। ଆଦିବାସୀଙ୍କ ଆଶା, ବିଶ୍ୱାସ ଓ ସଂସ୍କୃତିକୁ ନେଇ ରହିଛି ବହୁ କିମ୍ବଦନ୍ତୀ। ଆଦିବାସୀ ପରମ୍ପରାର ଏକ ଉଦାହରଣ ହେଉଛି ପ୍ରସିଦ୍ଧ ଛତର ଯାତ୍ରା।

କଳାହାଣ୍ଡିରେ ଶାରଦୀୟ ଦଶହରା କହିଲେ ଇଷ୍ଟଦେବୀ ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା କୁ ହିଁ ବୁଝାଇଥାଏ । ଭବାନୀପାଟଣା ରେ ଅବସ୍ଥିତ ମାଣିକେଶ୍ୱରୀଙ୍କ ପୀଠରେ ବୈଦିକ ରୀତି ରେ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ସହିତ ଆଦିବାସୀ ସଂସ୍କୃତି ର ମିଶ୍ରଣରେ ବିଶେଷ ପୂଜାର୍ଚ୍ଚନା ଏକ ନିଆରା ପରମ୍ପରା ବେଶ ପ୍ରାଚୀନ । ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ଷୋହଳ ଦିନ ବ୍ୟାପି ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ମହାନବମୀ ତିଥିରେ ଅନୁଷ୍ଠିତ ହେଇଥାଏ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଆଦିବାସୀ ବହୁଳ ଏହି ଅଞ୍ଚଳର ଆଦିବାସୀ ମାନେ କାଠର ଖମ୍ବ, ପ୍ରସ୍ତର ଖଣ୍ଡକୁ ମାଟିରେ ପୋତି ଧରଣୀ ପେନୁ, ମାଇଲି, ଡୋକରି, ଖମ୍ବେଶ୍ୱରୀ ନାମରେ ପୂଜା କରି ଆସୁଥିବା ବେଳେ ବୁଢ଼ାରଜା, କଳାପାହାଡ଼, ଭୈରବ, ବାଲି ଭୈରବ, ଅଗ୍ନି ଆଦି ଦେବତା ଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ।

ଶାକ୍ତ ଭୂମି କଳାହାଣ୍ଡି ଜିଲ୍ଲାରେ ମା’ ମାଣିକେଶ୍ୱରୀଙ୍କ ପୂଜା, ତନ୍ତ୍ର, ମନ୍ତ୍ର ଓ ଯନ୍ତ୍ର ରେ ପୂଜାପାଇ ଥାନ୍ତି। ଶ୍ରଦ୍ଧାଳୁ ବର୍ଷ ତମାମ ମା’ ମାଣିକେଶ୍ୱରୀଙ୍କୁ ମନ୍ଦିରର ଗର୍ଭଗୃହ ମଧ୍ୟରେ ଦର୍ଶନ ଲାଭ କରିଆସୁଥିବା ବେଳେ ଛତର ଯାତ୍ରାରେ ମା’ ମାଣିକେଶ୍ୱରୀ ଭକ୍ତଙ୍କୁ ରାଜପଥ ବିଜେ କରି ଚାଲି ଚାଲି ଦର୍ଶନ ଦେଉଥିବା ଏକ ନିଆରା ଯାତ୍ରା ଛତ୍ରର ଯାତ୍ରା। ପ୍ରତିବର୍ଷ ଆଶ୍ୱିନ, ମୂଳାଷ୍ଟମୀ ତିଥିରେ ମାଣିକେଶ୍ୱରୀ ଙ୍କ ମାଟି ନିର୍ମିତ ନୂତନ ମୁଣ୍ଡ ସ୍ଥାପନ ପୂର୍ବକ ନବ କଳେବର ଅନୁଷ୍ଠିତ କରାଯାଇଥାଏ । ଜେନାଖାଲ ଠାରୁ ମାଣିକେଶ୍ୱରୀଙ୍କ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୪ କିମି ରାସ୍ତାରେ ଲକ୍ଷାଧିକ ଭକ୍ତଙ୍କ ସମାବେଶରେ ମାଙ୍କର ବିଜୟ ପ୍ରତିମା ଛତରକୁ ଧୂପ ଦୀପ ନୈବେଦ୍ୟ ସହ ନିଜର ସୁଖ ଓ ସମୃଦ୍ଧି କାମନା କରି ହଜାର ହଜାର ଛାଗଳ ବଳି ଦେଇ ଦେବୀଙ୍କ ସ୍ୱାଗତ କରି ଥାନ୍ତି । ଏହା ବ୍ୟତୀତ ବିଶ୍ୱ ଶାନ୍ତି, ମୈତ୍ରୀ ଓ ଭାତୃଭାବ ର ପ୍ରତୀକ ଶକ୍ତିର କପୋତ(ପାରା)କୁ ମା ଙ୍କ ଛତର ଉପରକୁ ଉଡାଇଥାନ୍ତି ।

ବିଜୟ ଦଶମୀ ତିଥିରେ ମା ଙ୍କର ଛତର କୁ ଭବାନୀପାଟଣା ସହର ର ପଶ୍ଚିମ ଉପକଣ୍ଠ ରେ ନକଟିଗୁଡା ଠାରେ ଥିବା ଲାଖମରା ପଡିଆ କୁ ନିଆଯାଇଥାଏ । ସେଠାରେ ପୂଜାର୍ଚ୍ଚନା କରି ଲାଖବିନ୍ଧା ପର୍ବ ହେଇଥାଏ । ପୂଜା ମଣ୍ଡପ ନିକଟରେ ଥିବା ଆମ୍ବଗଛ ଉପରେ ଏକ ଛୋଟ ମାଟି ହାଣ୍ଡି ରେ ନିର୍ମିତ ଲାଖ ବନ୍ଧା ଯାଇଥାଏ । ବନ୍ଧୁକ ଦ୍ୱାରା ଲାଖ ବିନ୍ଧିବା ପ୍ରତିଯୋଗିତାରେ ବହୁ ଯୁବକ ଭାଗ ନେଇଥାନ୍ତି । ଲାଖମରା ସରିବା ପରେ ମା ଙ୍କର ଛତର କୁ ଘୁମୁରା ବାଦ୍ୟ ବିର କାହାଳୀ ଓ ନିଶାନ୍ ବାଦ୍ୟର ତାଳେତାଳେ ମନ୍ଦିର କୁ ଅଣାଯାଇଥାଏ । ଯାହାକୁ ବାହୁଡା ଛତର ଯାତ୍ରା କୁହାଯାଇଥାଏ । ମୂଳାଷ୍ଟମୀ ତିଥିରେ ମୁଣ୍ଡବସା ଠାରୁ ଆରମ୍ଭ ହେଇଥିବା ମାଣିକେଶ୍ୱରୀ ଙ୍କ ଦଶହରା ବା ଛତର ଯାତ୍ରା ବିଜୟ ଦଶମୀ ତିଥିରେ ଶେଷ ହେଇଥାଏ।

Leave A Reply

Your email address will not be published.