Latest Odisha News

ଧରା ପଡିଲା ମହାଦେବ ଅନଲାଇନ୍‌ ବେଟିଂ ଆପ୍‌ର ମାଲିକ

ନୂଆଦିଲ୍ଲୀ: ଦୁବାଇରୁ ଧରା ପଡିଲା ମହାଦେବ ଅନଲାଇନ୍‌ ବେଟିଂ ଆପ୍‌ର ମାଲିକ । ଇଣ୍ଟରପୋଲର ରେଡ୍‌ କର୍ଣ୍ଣର ନୋଟିସ ପରେ ଦୁବାଇରୁ ମାଷ୍ଟରମାଇଣ୍ଡ ସୌରଭ ଚନ୍ଦ୍ରକରଙ୍କୁ ଅଟକ ରଖିଛି ପୋଲିସ । ସପ୍ତାହେ ଭିତରେ ସୌରଭଙ୍କୁ ଭାରତ ଅଣାଯିବା ନେଇ ସମ୍ଭାବନା ରହିଛି । ଦେଶର ବିଭିନ୍ନ ରାଜ୍ୟରେ ମହାଦେବ ଆପ୍‌ ବିରୋଧରେ ମାମଲା ରହିଛି ।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୧୩ ତାରିଖରେ ମହାଦେବ ଆପ୍ ଦୁର୍ନୀତି ମାମଲାରେ ଆପର ସହ-ସଂସ୍ଥାପକ ରବି ଉପ୍ପଲଙ୍କୁ ଦୁବାଇରୁ ଗିରଫ କରିଥିଲା ପୋଲିସ । ରବି ଉପ୍ପଲକୁ ଇଡ଼ିର ନିବେଦନ ପରେ ଇଣ୍ଟରପୋଲ୍ ଦ୍ୱାରା ଜାରି ହୋଇଥିଲା ରେଡ୍ କର୍ଣ୍ଣର ନୋଟିସ। ରବି ହେଉଛି ମହାଦେବ ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରକରର ସହଯୋଗୀ । ଛତିଶଗଡର ବାସିନ୍ଦା ଚନ୍ଦ୍ରକର ଏବଂ ସହଯୋଗୀ ରବି ଉପ୍ପଲ ଦୁବାଇରୁ ଏହାକୁ ପରିଚାଳନା କରୁଥିଲେ। ଉଭୟଙ୍କ ବିରୋଧରେ ଲୁକଆଉଟ୍ ସର୍କୁଲାର ଜାରି କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଦୈନିକ ୨୦୦ କୋଟିରୁ ଅଧିକ ଟଙ୍କାର ଟର୍ଣ୍ଣଓଭର କରୁଥିବା ବେଟିଂ ଆପକୁ ନେଇ ଗତ ନଭେମ୍ବରରେ ଛତିଶଗଡ଼ରେ ରାଜନୈତିକ ହଲଚଲ କରିଥିଲା । ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଅସୀମ ଦାସ ନାମକ ଜଣେ ବ୍ୟକ୍ତି ୫୦୮ କୋଟି ଟଙ୍କା ଦେଇଥିଲେ ବୋଲି ପ୍ରଥମେ ଦାବି କରିଥିଲେ । ମାତ୍ର ପରେ ସେ ଏହାକୁ ଅସ୍ବୀକାର କରିଥିଲେ ।

 

Leave A Reply

Your email address will not be published.