ଢେଙ୍କାନାଳ: ଜଳଭଣ୍ଡାରର ନୀଳ ଜଳରାଶି, ଘଞ୍ଚ ଶାଳ ଜଙ୍ଗଲର ଶାନ୍ତ ପରିବେଶ, ବନ୍ୟଜୀବନର ଅପୂର୍ବ ସମନ୍ଵୟ ‘ସାପୁଆ’ । କଂକ୍ରିଟ୍ ଜଙ୍ଗଲ ଠାରୁ ଦୂରରେ ପ୍ରକୃତିରାଣୀ ଏଠାରେ ଅଜାଡି ଦେଇଛି ସବୁକିଛି । ଯାହାର ଶୋଭା ଆକର୍ଷିତ କରୁଛୋ ସହରୀ ମଣିଷଙ୍କୁ । ହିନ୍ଦୋଳ ବଲ୍କ ରାସୋଳ ଅଞ୍ଚଳର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ‘ସାପୁଆ’କୁ ମିଳିଛି ଢେଙ୍କାନାଳ ଜିଲ୍ଲା ପର୍ଯୟଟନ ମାନଚିତ୍ରରେ ସ୍ଵତନ୍ତ୍ର ସ୍ଥାନ । ଭୁବନେଶ୍ଵର ଠାରୁ ପ୍ରାୟ ୯୦ କିମି ଏବଂ ଢେଙ୍କାନାଳରୁ ୪୦ କିମି ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳୀ ।
ପ୍ରାକୃତିକ ସୌନ୍ଦର୍ଯ୍ୟର ସୁସମା । ମାଳ ମାଳ ପାହାଡ଼ ସାଙ୍ଗକୁ ବିସ୍ତିର୍ଣ୍ଣ ଶାଳ ଜଙ୍ଗଲ, ତା’ ସାଙ୍ଗକୁ ଡ୍ୟାମର ଅଥୟ ଜଳରାଶି । ଆଉ ଏହାର ଆକର୍ଷଣ ପ୍ରକୃତି ପ୍ରେମୀଙ୍କୁ ଟାଣି ଆଣୁଛି ନିଜ ପାଖକୁ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ଅବସ୍ଥିତ ଏହି ସାପୁଆ ଡ୍ୟାମଟି ସାପ ପରି ଦେଖାଯାଇଥାଏ । ଏହି ଡ୍ୟାମ ଜଳସେଚନ ପାଇଁ ଉଦ୍ଧିଷ୍ଟ ହୋଇଥିଲେ ବି, ଏବେ ଏହା ପାଲଟିଛି ପର୍ଯ୍ୟଟକଙ୍କ ଆକର୍ଷଣର ପେଣ୍ଠସ୍ଥଳୀ । ଡ୍ୟାମରେ ଗାଧୋଇବା ସହ ବଣଭୋଜି କରି ଏହାର ସୌନ୍ଦର୍ଯ୍ୟକୁ ବେଶ୍ ଉପଭୋଗ କରୁ ପର୍ଯ୍ୟଟକ ।
୧୯୯୨ ମସିହାରେ ଜଳସେଚନ ଉଦ୍ଦେଶ୍ୟରେ ତିଆରି ହୋଇଥିଲା ସାପୁଆ ଡ୍ୟାମ । ଦୁଇଟି ପାହାଡ଼କୁ ଯୋଡି଼ ଝରଣା ପାଣିକୁ କରାଯାଇଥିଲା ରିଜର୍ଭ । ହେଲେ ଏହାର ମନଲୋଭା ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷଣ କରିଥିଲେ । ଆଉ ଧିରେ ଧିରେ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିଲା ସାପୁଆ ଡ୍ୟାମ୍ । ତେବେ ବର୍ଷ ତମାମ ଏହି ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ ଜମିରହିଥାଏ । ଡ୍ୟାମର ଦୃଶ୍ୟ ବେଶ ମନଲୋଭା । ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଏଠାରେ ଥିବା ଘଞ୍ଚ ଜଙ୍ଗଲ ପର୍ଯ୍ୟଟକଙ୍କୁ ଆକୃଷ୍ଟି କରେ । ଏଠାରେ ସାପୁଆ ନଦୀର ଜଳକୁ ବନ୍ଧ କରି ଜଳ ଭଣ୍ଡାରରେ ଗଚ୍ଛିତ କରାଯାଇଛି । ଡ୍ୟାମର ଜଳରାଶିରରେ ଗାଧୋଇବା ସହ ସେଲଫି ଉଠାଇ ମଜା ନିଅନ୍ତୁ ପର୍ଯ୍ୟଟକ । ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ପର୍ଯ୍ୟଟକ ଶୀତଦିନେ ବନ୍ଧୁବାନ୍ଧବଙ୍କ ସହ ଏଠାରେ ବଣଭୋଜି କରନ୍ତି । ସବୁଜ ବନାନୀର ମନଲୋଭା ଦୃଶ୍ୟକୁ ଉପଭୋଗ କରିବା ସହ, ଝରଣା ପାଣି ଓ କାଠ ଚୁଲିରେ ବଣଭୋଜି କରି ଆନନ୍ଦିତ ହୋଇଥାନ୍ତି ପର୍ଯ୍ୟଟକ ।