ଗୋବର୍ଦ୍ଧନ ପୂଜାରେ ଅଜବ ପରମ୍ପରା: ଲୋକଙ୍କ ଉପରେ ଦୌଡନ୍ତି ଗୋମାତା
ଉଜୈନ: ଆମଦେଶରେ ବିଭିନ୍ନ ଧର୍ମର ଲୋକେ ରହିଥିବା ସହ ତାଙ୍କ ମଧ୍ୟରେ ଦେଖିବାକୁ ମିଳେ ଭିନ୍ନ ଭିନ୍ନ ପରମ୍ପରା l ଦୀପାବଳିକୁ ନେଇ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ପରମ୍ପରା ଦେଖିବାକୁ ମିଳେ l ସେହିପରି ଅନେକ ସ୍ଥାନରେ ଦୀପାବଳି ପର ଦିନ ପାଳନ କରାଯାଏ ଗୋବର୍ଦ୍ଧନ ପୂଜା l ତେବେ ଉଜୈନ ଜିଲ୍ଲାର ବଡ଼ନଗର ତହସିଲର ଭେଦବଦ ଗ୍ରାମରେ ବର୍ଷ ବର୍ଷ ଏକ ଅଜବ ପରମ୍ପରା ଚାଲିଆସୁଛି। ଯାହାକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଲୋକେ ଆସିଥାନ୍ତି l କିନ୍ତୁ ସେହି ପରମ୍ପରା ଦେଖିଲେ ଶିହରି ଉଠେ ଦେହ l ବାସ୍ତବରେ, ଦୀପାବଳି ପରଦିନ ଏଠାରେ ଗୋବର୍ଦ୍ଧନ ପୂଜା କରାଯାଏ l ଏହି ପୂଜା ପାଇଁ ଏଠାକାର ଲୋକମାନେ ଭୂମିରେ ଶୁଅନ୍ତି l ଏବଂ ତାଙ୍କ ଉପରେ ଏକ ଗାଈକୁ ଦୌଡିବାକୁ ଛଡ଼ାଯାଏ l
ପରମ୍ପରା ଅନୁଯାୟୀ ବିଶ୍ୱାସ ରହିଛି ଯେ ଏହା କରିବା ଦ୍ୱାରା ସେମାନଙ୍କର ମାନସିକ ପୂରଣ ହୋଇଥାଏ l ଏହି ପରମ୍ପରା ଗୋବର୍ଦ୍ଧନ ପୂଜାର ବିଶେଷ ଅବସରରେ ପାଳନ କରାଯାଏ। ଲୋକଙ୍କ କହିବା ଅନୁସାରେ ଗୋମାତାଙ୍କ ଶରୀରରେ ୩୩ କୋଟି ଦେବଦେବୀ ବାସ କରନ୍ତି l ତେଣୁ ସେମାନଙ୍କ ପାଦ ତଳେ ରହିବ ଦ୍ୱାରା ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ l ତେଣୁ ମାନସିକ ଧାରୀମାନେ ଭୂମିରେ ଗୋମାତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି ଶୋଇ ରୁହନ୍ତି l ସେତେବେଳେ ଏକ ଗାଈକୁ ତାଙ୍କ ଉପରେ ଦୌଡିବାକୁ ଛଡ଼ାଯାଏ l ତେବେ ଏହି ମାନସିକ ଧାରୀମାନଙ୍କୁ ପରମ୍ପରା ଅନୁଯାୟୀ ପାଞ୍ଚ ଦିନ ଉପବାସ ରହିବାକୁ ପଡିଥାଏ l
ତେବେ ଗାଁରେ ଏହି ଅଜବ ପରମ୍ପରା କେବେ ଆରମ୍ଭ ହୋଇଥିଲା ସେନେଇ କୌଣସି ସୂଚନା ନାହିଁ l କିନ୍ତୁ ଗାଁର ବୟସ୍କଙ୍କଠୁ ଯୁବକଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ପରମ୍ପରାକୁ ମାନି ଆସନ୍ତି l ଆଖପାଖ ଗାଁର ଲୋକମାନେ ମଧ୍ୟ ସେମାନଙ୍କର ମାନସିକ ପୁରା କରିବାକୁ ଏଠାକୁ ଆସନ୍ତି l ଦୀପାବଳିର ପରଦିନ ଏକ ମେଳା ଅନୁଷ୍ଠିତ ହୁଏ l ଦୀପାବଳି ପିରଦିନ ସକାଳୁ ସକାଳୁ ଏହି ପୂଜା କରାଯାଏ l ଏହାପରେ ଢ଼ୋଲ ମୃଦଙ୍ଗ ଆଦି ବଜାଇ ଲୋକେ ଗାଁ ପରିକ୍ରମା କରନ୍ତି l