ଭୁବନେଶ୍ୱର: ଆମ ଦେଶରେ ଭିନ୍ନ ଭିନ୍ନ ଧର୍ମ ଏବଂ ପର୍ବ ପାଳନ କରାଯାଏ । ପ୍ରତ୍ୟେକ ପର୍ବ ପାଳନ କରିବା ପାଇଁ ଏକ ଭିନ୍ନ ଉପାୟ ଅଛି । ନେପାଳରେ ମଧ୍ୟ ଏହିପରି ଏକ ପର୍ବ ପାଳନ କରାଯାଏ । ଏହି ପର୍ବ ଏବଂ ଏହାକୁ ପାଳନ କରିବାର ଉପାୟ ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଭାରତର ପଡୋଶୀ ଦେଶ ନେପାଳରେ ଦୀପାବଳିରେ କୁକୁର, ଗାଈ, କାଉ, ଷଣ୍ଢ ଆଦିଙ୍କୁ ପୂଜା କରାଯାଇଥାଏ । ପଢିବାକୁ ଅବିଶ୍ୱାସ ଲାଗୁଥିଲେ ବି ଏହା ସତ । ତେବେ ଏହା ପଛର କାରଣ ଜାଣିଲେ ଆପଣଙ୍କ ମନର ସମସ୍ତ ଦ୍ୱନ୍ଦ ନିଶ୍ଚିତ ଭାବେ ଦୂରେଇଯିବ ।
ନେପାଳରେ ଭାରତ ଭଳି ଦୀପାବଳି ପାଳନ ହେଉଥିଲେ ବି ଏହାକୁ ତିହାର ଉତ୍ସବ ଭାବେ ନାମିତ କରାଯାଇଛି । ଦୀପାବଳି ଦିନ ନେପାଳର ଲୋକେ ଘରକୁ ଆଲୋକରେ ସଜ୍ଜିତ କରିବା ସହ ପୂଜା ମଧ୍ୟ କରିଥାନ୍ତି l କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଏମାନେ କୌଣସି ଦେବାଦେବୀ ନୁହେଁ ବରଂ କୁକୁରକୁ ପୂଜା କରିଥାନ୍ତି l ନେପାଳରେ ୫ଦିନ ଧରି ଏହି ଉତ୍ସବ ପାଳନ କରାଯାଏ l ଏହି ୫ଦିନ ଯାକ ଲଗାତାର ଭାବେ ଗାଇ, କୁକୁର, କାଉ ଓ ଷଣ୍ଢଙ୍କୁ ପୂଜା କରାଯାଇଥାଏ ।
ପ୍ରଥମ ଦିନରେ ଯମରାଜାଙ୍କ ବାର୍ତ୍ତାବାହକ ଭାବେ କାଉକୁ ପୂଜା କରାଯାଇଥାଏ । ଦ୍ୱିତୀୟ ଦିନରେ ଭଗବାନ ଭୈରବ ଭାବେ କୁକୁର ପୂଜା, ମା’ ଲକ୍ଷ୍ମୀ ଭାବେ ତୃତୀୟ ଦିନରେ ଗାଇ ପୂଜା, ଚତୁର୍ଥ ଦିନରେ ପ୍ରଭୁଙ୍କ ଶକ୍ତି ଭାବେ ଷଣ୍ଢକୁ ପୂଜା କରାଯାଇଥାଏ । ଶେଷ ଦିନରେ ଭଉଣୀମାନେ ନିଜ ଭାଇମାନଙ୍କୁ ପୂଜା କରିଥାନ୍ତି । ଯାହାକୁ ଭାରତରେ ଭାଇ ଦୁଜ କୁହାଯାଏ l ହିନ୍ଦୁ ଧର୍ମରେ କୁକୁରମାନଙ୍କୁ ଯମରାଜଙ୍କ ଦୂତ ଭାବରେ ବିବେଚନା କରାଯାଏ। ଯମରାଜ ମୃତ୍ୟୁର ଦେବତା । କୁକୁରମାନେ ଯମରାଜଙ୍କ ଦୂତ ଅଟନ୍ତି ଏବଂ ମୃତ ଆତ୍ମାମାନଙ୍କୁ ଯମଲୋକକୁ ନେଇ ଯାଆନ୍ତି ।
ଆହୁରି ମଧ୍ୟ, କୁକୁରମାନେ ଶତାବ୍ଦୀ ଧରି ମନୁଷ୍ୟର ସବୁଠାରୁ ବିଶ୍ୱସ୍ତ ସାଥୀ ଅଟନ୍ତି । ସେମାନେ ଘର ସୁରକ୍ଷା କରନ୍ତି ଏବଂ ଲୋକଙ୍କୁ ସୁରକ୍ଷା ଦିଅନ୍ତି । କୁକୁରମାନଙ୍କର ଏହି ଗୁଣ କୁକୁର ତିହାରରେ ସମ୍ମାନିତ । ତେବେ କୁକୁର ତିହାର୍ରେ କିଛି ସ୍ୱତନ୍ତ୍ର ବ୍ୟଂଜନ ପ୍ରସ୍ତୁତ କରାଯାଇଥାଏ । ତିଳକ ଓ ଫୁଲ ହାର ଦେଇ କୁକୁରଙ୍କୁ ପୂଜା କରାଯାଇଥାଏ । ଖାଇବାକୁ ଦହି, ଅଣ୍ଡା ଓ କ୍ଷୀର ଦିଆହୁଏ । ନେପାଳି ଲୋକଙ୍କ ଅନୁଯାୟୀ ମୃତ୍ୟୁ ପରେ ବି କୁକୁରମାନେ ନିଜ ମାଲିକଙ୍କ ସୁରକ୍ଷା କରିଥାନ୍ତି । ଏହି କାରଣରୁ ନେପାଳରେ କାହିଁ କେବେଠୁ ଚାଲିଆସିଛି କୁକୁର୍ ତିହାରର ପରମ୍ପରା ।