ମୁମ୍ବାଇ: ୱାଙ୍ଖେଡରେ ଭାରତକୁ ୨୫ ରନରେ ପରାସ୍ତ କରି ନ୍ୟୁଜିଲାଣ୍ଡ ୩ ମ୍ୟାଚ ବିଶିଷ୍ଟ ସିରିଜରେ କ୍ଲିନ ସୁଇପ କରିଛି । ଏଥିସହ ପ୍ରଥମ ଥର ପାଇଁ ଘରୋଇ ପରିବେଶରେ ଭାରତ ୩ କିମ୍ବା ଅଧିକ ମ୍ୟାଚରେ ହ୍ୱାଇଟୱାଶ ହୋଇଛି । ୨୦୦୦ରେ ଦକ୍ଷିଣ ଆଫ୍ରିକା ୨-୦ରେ ଭାରତକୁ ପରାସ୍ତ କରିଥିଲା । ନ୍ୟୁଜିଲାଣ୍ଡ ଟିମ ଏଥିସହ ଇତିହାସ ରଚିଛନ୍ତି । ଭ୍ରମଣକାରୀ ଦଳର ଚମତ୍କାର ପ୍ରଦର୍ଶନ ଓ ସୁଚିନ୍ତିତ ରଣନୀତି ଯୋଗୁ ୧୨ ବର୍ଷ ପରେ ଘରେ ଟିମ ଇଣ୍ଡିଆ ଟେଷ୍ଟ ସିରିଜ ହାରିଛି ।
ଘରେ କ୍ରମାଗତ ୧୮ଟି ସିରିଜ ଜିତିଥିବା ଭାରତର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । କୋଚ ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମାଙ୍କ ବିଫଳ ଯୋଜନା ସମସ୍ତଙ୍କୁ ବ୍ୟଥୀତ କରିଛି । ବିରାଟ କୋହଲିଙ୍କ ବ୍ୟାଟିଂ ବିଫଳତା ଦଳକୁ ବିଶେଷ ଭାବରେ ଚାପରେ ପକାଇଥିଲା । ୧୪୭ ରନର ଲକ୍ଷ୍ୟକୁ ପିଛା କରି ଭାରତ ୧୨୧ ରନରେ ଅଲଆଉଟ ହୋଇ ଯାଇଥିଲା । ରିଷଭ ପନ୍ତ ୬୪ ରନ କରି ଏକାକୀ ସଂଘର୍ଷ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଖିଦୃଶିଆ ପ୍ରଦର୍ଶନ କରି ନାହାନ୍ତି । ଆଜାଜ ପଟେଲ ସର୍ବାଧିକ ୬ଟି ୱିକେଟ ଅକ୍ତିଆର କରି ଭାରତୀୟ ବ୍ୟାଟିଂ ଲାଇନଅପର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଗ୍ଲେନ ଫିଲିପ୍ସ ୩ଟି ଏବଂ ମାଟ୍ଟ ହେନେରୀ ଗୋଟିଏ ୱିକେଟ ନେଇଥିଲେ ।
ପୂର୍ବରୁ ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ସ୍କୋର ୨୩୫ ରନ ଜବାବରେ ଭାରତ ୨୬୩ ରନ କରିଥିଲା । ଦ୍ୱିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ୧୭୪ ରନ କରି ଭାରତ ସମ୍ମୁଖରେ ଉପରୋକ୍ତ ଟାର୍ଗେଟ ପ୍ରଦାନ କରିଥିଲା । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ କରିବା ଭାରତ ପାଇଁ ଏବେ କଷ୍ଟକର ହୋଇପାରେ ବୋଲି ଅନୁମାନ କରାଯାଉଛି । ପଟେଲ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
Comments are closed.