ଲଣ୍ଡନ: ଇଂଲଣ୍ଡର ମହାନ ଅଲରାଉଣ୍ଡର ଇଆନ ବୋଥାମଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଛି । ବୋଥାମ କୁମ୍ଭୀର ଭର୍ତି ଥିବା ଏକ ନଦୀରେ ପଡି ଯାଇଥିଲେ । ଭାଗ୍ୟବଶତଃ ପାଣି ଭିତରେ ପଡିବା ସତ୍ୱେ ତାଙ୍କୁ କୁମ୍ଭୀର ଖାଇ ନ ଥିଲା । ସାଥୀ ଖେଳାଳି ମାର୍ଭ ହ୍ୟୁଜସ ଏବଂ ଅନ୍ୟମାନଙ୍କ ସହଯୋଗୁ ସେ ମୃତ୍ୟୁ ମୁଖରୁ ବଂଚି ଯାଇଥିଲେ । ବୋଥାମ ଏବେ ଅଷ୍ଟ୍ରେଲିଆରେ ଅଛନ୍ତି । ସେଠାରେ ସେ ମୋୟେଲ ନଦୀକୁ ଫିଶିଂ କରିବା ପାଇଁ ସାଥୀମାନଙ୍କ ସହିତ ଯାଇଥିଲେ । ତାଙ୍କ ଚପଲ ଜାହାଜର ରସିରେ ଲାଗି ଯାଇଥିବାରୁ ସେ ସନ୍ତୁଳନ ହରାଇ ପାଣିରେ ପଡି ଯାଇଥିଲେ । ଖୁବ କମ ସମୟ ମଧ୍ୟରେ ତାଙ୍କୁ ପାଣି ଭିତରୁ ଅଣାଯିବାରୁ ସେ ବଂଚି ଯାଇଥିଲେ ।
ବୋଥାମ ଆଘାତପ୍ରାପ୍ତ ହୋଇଥିଲେ ମଧ୍ୟ ବିପଦମୁକ୍ତ ଅଛନ୍ତି । ଆଜି ମୁଁ କୁମ୍ଭୀରଙ୍କ ଖାଦ୍ୟ ହେବାରୁ ବଂଚି ଯାଇଛି । ମୋ ଆଖି ବନ୍ଦ ହେବା ପୂର୍ବରୁ ପାଣି ଭିତରେ ଅନେକ ଗୁଡିଏ ଆଖି ନିକଟକୁ ଆସୁଥିବା ଦେଖିବାକୁ ପାଇଥିଲି । ସେ ଏହି ଅବସରରେ ହ୍ୟୁଜସ ଏବଂ ଅନ୍ୟମାନଙ୍କୁ ଜୀବନ ବଂଚାଇବା ଧନ୍ୟବାଦ ଜଣାଇଛନ୍ତି । ବୋଥାମ ଇଂଲଣ୍ଡ ପକ୍ଷରୁ ୧୦୨ ଟେଷ୍ଟ ଓ ୧୧୬ ଦିନିିକିଆ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ୫୨୦୦ ଓ ଦିନିକିଆରେ ୨୧୧୩ ରନ ସଂଗ୍ରହ କରିଛନ୍ତି । ସେହିପରି ଟେଷ୍ଟରେ ୩୮୩ ଓ ଦିିନିକିଆରେ ୧୪୫ ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି ।