ନୂଆଦିଲ୍ଲୀ: ପଛରେ ହସ୍ପିଟାଲ ବେଡରେ ପଡିଛନ୍ତି ମାଆ । ଏପଟେ ‘ନମକ ଇସ୍କ କା’ ଗୀତରେ ଠୁମକା ଲଗାଉଛନ୍ତି ଝିଅ । ନା ସ୍ଥାନ କାଳ ପାତ୍ର ଧ୍ୟାନ ରହିଛି ନା ମୁହଁରେ ଦୁଃଖ ରହିଛି । କିଛି ଏମିତି ସବୁ କମେଣ୍ଟ କରି ଏବେ ଏକ ରିଲ୍ସକୁ ଖୁବ୍ ସମାଲୋଚନା କରୁଛନ୍ତି ୟୁଜର୍ସ ।
ତେବେ ରିମଲ ଟ୍ୱିଙ୍କ୍ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଭିଡିଓଟି ସେୟାର ହୋଇଥିବା ବେଳେ ଏବେ ଏହାକୁ ନେଇ ଟ୍ରୋଲ ହେଉଛନ୍ତି ଯୁବତୀ । ଭିଡିଓଟିରେ ଯୁବତୀ ଜଣଙ୍କ ହସ୍ପିଟାଲ ରୁମରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଯେଉଁଥିରେ ତାଙ୍କ ପଛପଟେ, ତାଙ୍କ ରୋଗୀଣା ମା’ ବେଡ୍ ଉପରେ ଶୋଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି । କିନ୍ତୁ ମା’ଙ୍କର ଯତ୍ନ ନେବା ପରିବର୍ତ୍ତେ ଯୁବତୀ ଜଣଙ୍କ ରିଲ୍ସ କରିବାରେ ବ୍ୟସ୍ତ ରହିଛନ୍ତି ।
ଯାହାକୁ ନେଇ କମେଣ୍ଟରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ୟୁଜର୍ସ । ଜଣେ ୟୁଜର୍ସ, ଏହା ଦୁଃଖଦ ଘଟଣା, ତୁମେ କିପରି ଏଭଳି ସ୍ଥଳରେ ଭିଡିଓ ବନେଇବା ପାଇଁ ଚିନ୍ତା ବି କଲ.. ଲେଖିଥିବା ବେଳେ ଅନ୍ୟଜଣେ ଲେଖିଛନ୍ତି, ଏ ପିଢି ହିଁ ଖରାପ । ମାନୁଛୁ, ଏହା ବ୍ୟକ୍ତିଗତ, ନିଜର ଇଚ୍ଛା ଅନୁସାରେ ବ୍ୟକ୍ତି କିଛି ବି କରିପାରିବ । ହେଲେ କିଛି ସମୟରେ ସ୍ଥାନ କାଳ ପାତ୍ର ପ୍ରତି ଧ୍ୟାନ ଦେବା ଆବଶ୍ୟକ ।
ତେବେ କହିରଖୁଛୁ, ଭିଡିଓ ଭାଇରାଲ ଏବଂ ଟ୍ରୋଲ ହେବା ପରେ ଏଥିରେ ନିଜର ସଫେଇ ରଖିଛନ୍ତି ଯୁବତୀ ଜଣଙ୍କ । ସେ କହିଛନ୍ତି, ତାଙ୍କ ମା’ ଏକ ଅପରେସନରୁ ଡିସଚାର୍ଜ ହୋଇ ଆସିଛନ୍ତି । ଏହା ହସ୍ପିଟାଲର ଏକ ବ୍ୟକ୍ତିଗତ କକ୍ଷ । ଆଉ ମା’ଙ୍କୁ ମନରୋଞ୍ଜନ କରିବାକୁ ଯାଇ ମୁଁ ଏପରି ନାଚୁଥିଲି । ମା ନିଜେ ଏପରି କରିବାକୁ କହିଥିଲେ । ଆଉ ଏହାକୁ ଇନଷ୍ଟାଗ୍ରାମରେ ସେୟାର କରିବାକୁ କହିଥିଲେ । ତାଙ୍କର ମୁହଁରେ ଟିକିଏ ହସ ଦେଖିବା ପାଇଁ ମୁଁ ଏପରି କରିଥିଲି । ମୋତେ ଭୁଲ୍ ବୁଝନ୍ତୁ ନାହିଁ । ସେପଟେ ମା’ ନିଜେ ମଧ୍ୟ ଏଥିରେ ପ୍ରତିକ୍ରିୟା ରଖି କହିଛନ୍ତି, ଝିଅ ତାଙ୍କର ବହୁତ ଯତ୍ନ ନେଇଛି । ନିଜ ଅଫିସ୍ ବନ୍ଦ କରି ତାଙ୍କ ସେବା କରିଛି । ସେ ନିଜେ ତାକୁ ଏପରି କହିଥିଲେ । ଦୟାକରି ଝିଅକୁ ଗାଳି ନଦେବା ପାଇଁ ଅନୁରୋଧ କରିଛନ୍ତି ମାଆ ।