ନୂଆଦିଲ୍ଲୀ: ୩ଟି ଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଥମେ ନାଇଜେରିଆରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ନାଇଜେରିଆର ରାଜଧାନୀ ଅବୁଜାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ତେବେ ଦୀର୍ଘ ୧୭ ବର୍ଷ ପରେ ଏହି ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ଏହା ପରେ ପ୍ରଧାନମନ୍ତ୍ରୀ ବ୍ରାଜିଲରେ ଅନୁଷ୍ଠିତ ହେବାକୁ ଥିବା G-20 ସମ୍ମିଳନୀରେ ଭାଗ ନେବେ । ଗସ୍ତର ଶେଷ ପର୍ଯ୍ୟାୟରେ ଦୀର୍ଘ ୫୦ ବର୍ଷର ବ୍ୟବଧାନ ପରେ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଗୁଏନା ଯିବେ ପ୍ରଧାନମନ୍ତ୍ରୀ ମୋଦୀ ।
ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମ୍ମଦ ଟିନୁବୁଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଇଜେରିଆରେ ପହଞ୍ଚିଛନ୍ତି। ତେବେ କହିରଖୁଛୁ ଯେ ଦୀର୍ଘ ୧୭ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ନାଇଜେିଆ ଗସ୍ତ । ମୋଦୀଙ୍କ ପୂର୍ବରୁ ତତକାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଉକ୍ତ ଦେଶ ଗସ୍ତ କରିଥିଲେ । ନାଇଜେରିଆର ଆବୁଜାରେ ପହଞ୍ଚିବା ନେଇ ଗତକାଲି ବିଳମ୍ବିତ ରାତିରେ ଏକ୍ସରେ ଏକ ପୋଷ୍ଟ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ସୂଚନା ଜାରି କରାଯାଇଛି । ନାଇଜେରିଆ ରାଜଧାନୀ ଆବୁଜାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଭାରତୀୟ ସମୁଦାୟ । ନାଇଜେରିଆର ପାରମ୍ପରିକ ନୃତ୍ୟ ବାଦ୍ୟରେ ମୋଦିଙ୍କୁ କରାଯାଇଥିଲା ସ୍ବାଗତ । ମୋଦୀ ମୋଦୀ ନାରାରେ କମ୍ପିଥିଲା ନାଇଜେରିଆର ଆବୁଜା ଅଞ୍ଚଳ। ମରାଠୀ ସମୁଦାୟ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଖୁସି ବ୍ୟକ୍ତ କରିଥିଲେ ।
ଫେଡେରାଲ୍ କ୍ୟାପିଟାଲ୍ ଟେରିଟୋରୀ ମନ୍ତ୍ରୀ ନାଇସୋମ୍ ଏଜେନୱୋ ୱାଇକ୍ ତାଙ୍କୁ ସ୍ୱାଗତ କରିଥିଲେ। ଏଥିସହ ସେ ଆବୁଜା ସହରର ଚାବି ପିଏମ ମୋଦୀଙ୍କୁ ଦେଇଛନ୍ତି। ଏହି ଚାବି ହେଉଛି ନାଇଜେରିଆର ଲୋକମାନେ ପିଏମ ମୋଦୀଙ୍କ ପ୍ରତି ରଖିଥିବା ବିଶ୍ୱାସ ଏବଂ ସମ୍ମାନର ପ୍ରତୀକ । ଆଜି ନାଇଜେରିଆ ରାଷ୍ଟ୍ରପତି ଟିନୁବୁଙ୍କୁ ସାକ୍ଷାତ କରି ଦ୍ବିପାକ୍ଷିକ ଆଲୋଚନା କରିବେ ମୋଦୀ । ଏହାପରେ ସେଠାରେ ଥିବା ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରିବେ ମୋଦୀ । ନାଇଜେରିଆରେ ୧୫୦ରୁ ଅଧିକ ଭାରତୀୟ କମ୍ପାନୀ ବ୍ୟବସାୟିକ କାରବାର କରୁଛନ୍ତି । ସେଠାରେ ମୋଟ ନିବେଶ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ । ତେଣୁ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ଆଶା କରାଯାଉଛି ।