ଭୁବନେଶ୍ଵର: ଶୀତଋତୁ ଯୁବକଙ୍କ ପାଇଁ ମଉଜ୍ମଜ୍ଲିସ୍ ଆଣିଦେଇଥିବା ବେଳେ ଏହା ଛୋଟ ପିଲା ଓ ବୃଦ୍ଧମାନଙ୍କ ପାଇଁ ଯନ୍ତ୍ରଣା ଆଣିଦିଏ। ବିଶେଷକରି ବୃଦ୍ଧମାନଙ୍କ ପାଇଁ, ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଯେପରିକି ଗଣ୍ଠି ଯନ୍ତ୍ରଣା, ମାଂସପେଶୀ କଷ୍ଟ ଏହି ଋତୁରେ ଆରମ୍ଭ ହୁଏ। ଗଣ୍ଠି ଯନ୍ତ୍ରଣା ହେତୁ ଜଣେ ବ୍ୟକ୍ତି ଅଧିକ ଚଲାବୁଲା କି କଠିନ ପରିଶ୍ରମ କରିପାରେ ନାହିଁ । ୨୦୧୫ରେ ହୋଇଥିବା ଜର୍ନାଲ ଅଫ୍ ଋମେଟୋଲୋଜି ଅଧ୍ୟୟନରୁ ଜଣା ପଡିଛି ଯେ ଯେଉଁ ଲୋକଙ୍କର ଆଣ୍ଠୁ, ଗଣ୍ଠି କିମ୍ବା ଅନ୍ୟ ହାଡ ଜନିତ ଯନ୍ତ୍ରଣା ରହିଛି ସେମାନଙ୍କର ଏହି ଅସୁବିଧା ଅନ୍ୟ ଦିନ ଅପେକ୍ଷା ସାଧାରଣତଃ ଶୀତ ଦିନରେ ବେଶି ବଢିଯାଏ । ଏହି ପରିସ୍ଥିତିରେ, ଏହି ସମସ୍ୟାରୁ ଶୀଘ୍ର ମୁକ୍ତି ପାଇବା ପାଇଁ ଅନେକ ଲୋକ ବିଭିନ୍ନ ଉପାୟ ଆପଣାନ୍ତି।
ଅର୍ଥୋପେଡିକ୍ ପ୍ରତିଷ୍ଠାନର ରିପୋର୍ଟ ଅନୁଯାୟୀ, ଗଣ୍ଠିରେ ଥିବା ସିନୋଭିଆଲ୍ ଫ୍ଲୁଇଡ୍ ଏକ ଶୋକ୍-ଆବ୍ଜୋଭର ଭାବରେ କାର୍ଯ୍ୟ କରିଥାଏ । ଯେତେବେଳେ ତାପମାତ୍ରା ହ୍ରାସ ହୁଏ, ସେହି ତରଳ ପଦାର୍ଥଟି ବହଳିଆ ହୋଇଯାଏ ଏବଂ ସଠିକ୍ ଭାବରେ ପ୍ରବାହିତ ହୁଏ ନାହିଁ, ଯେଉଁ କାରଣରୁ ଗଣ୍ଠି ଟାଇଟ୍ ହୋଇଯାଏ ଏବଂ ଯନ୍ତ୍ରଣା ବଢେ ।ଏହି ରିପୋର୍ଟରେ କୁହାଯାଇଛି ଯେ ଯେଉଁ ଲୋକମାନେ ପୂର୍ବରୁ ଆଣ୍ଠୁ, ଗଣ୍ଠି ଯନ୍ତ୍ରଣା ଭୋଗୁଛନ୍ତି କିମ୍ବା ସାମାନ୍ୟ ଆଘାତ ପାଇଛନ୍ତି ସେମାନେ ସ୍ନାୟୁ ସମ୍ବନ୍ଧୀୟ ସମସ୍ୟା ହେତୁ ଗଣ୍ଠି ଯନ୍ତ୍ରଣା ଭୋଗନ୍ତି ।
ଥଣ୍ଡା ପାଗ ସମୟରେ, ସେମାନଙ୍କର ସ୍ନାୟୁ କ୍ଷତ, ଫୁଲା କିମ୍ବା ଅନ୍ୟ କୌଣସି କାରଣରୁ ଅତ୍ୟଧିକ ସମ୍ବେଦନଶୀଳ ହୋଇଯାଇଥାଏ, ଯେଉଁ କାରଣରୁ ତାପମାତ୍ରା ହ୍ରାସ ହେବାରୁ ଗଣ୍ଠିରେ ଯନ୍ତ୍ରଣା ହୁଏ ।ଶୀତ ଦିନରେ ଅଳସୁଆ ହେତୁ ଶାରୀରିକ କାର୍ଯ୍ୟକଳାପ ହ୍ରାସ ହୁଏ, ଯେଉଁ କାରଣରୁ ଗଣ୍ଠି ଯନ୍ତ୍ରଣା ଭୋଗୁଥିବା ଲୋକଙ୍କ ଯନ୍ତ୍ରଣା ବଢିଥାଏ | ତେଣୁ, ପ୍ରାଣାୟାମ, ଯୋଗ ଏବଂ ନିୟମିତ ବ୍ୟାୟାମ କରିବା ଉଚିତ୍ ।
ଶୀତଦିନେ ଗରମ ପାଣିରେ ଗାଧୋଇବା ଦ୍ଵାରା ଗଣ୍ଠି ଯନ୍ତ୍ରଣା କମ୍ ହୋଇଥାଏ । ଏହା ଗଣ୍ଠି ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟା ମଧ୍ୟ କମ୍ ହୋଇଥାଏ । ଶୀତଦିନେ ସକାଳୁ ସକାଳୁ ବ୍ୟାୟାମ କରିବା ଦ୍ୱାରା ଗଣ୍ଠି ସମସ୍ୟା ଶୀଘ୍ର ହ୍ରାସ ହୋଇଥାଏ । କାରଣ ବ୍ୟାୟାମ କରିବା ଯୋଗୁଁ ଶରୀରରେ ରକ୍ତ ସଞ୍ଚାଳନ ହୋଇଥାଏ । ଏହା ସହ ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳିଥାଏ । ଶୀତଦିନେ ହଳଦୀ, ଅଦା, ଲବଙ୍ଗ, ଘିଅ ଏବଂ ବ୍ଲାକ୍ ପେପର ଭଳି ଆଣ୍ଟି-ଇନଫ୍ଲାମେଟୋରୀ ଜିନିଷ ଖାଇବା ଦ୍ୱାରା ଗଣ୍ଠି ସମସ୍ୟା ଦୂର ହୋଇଥାଏ ।