ଭୁବନେଶ୍ବର : ଗନ୍ଧମାର୍ଦ୍ଦନ ପାହାଡ଼ ନିକଟରେ ଆଦାନୀ ଜମି କିଣିବା ପ୍ରସଙ୍ଗରେ ତେଜିଛି ରାଜନୀତି। ମୁହାଁମୁହିଁ ହୋଇଛନ୍ତି ଉଭୟ ଶାସକ ଓ ବିରୋଧୀ। ଏ ପ୍ରସଙ୍ଗରେ ସରକାରଙ୍କ ସ୍ପଷ୍ଟୀକରଣ ଦାବି କରିଛି ବିଜେଡି । କେଉଁ ଉଦ୍ଦେଶ୍ୟରେ ଆଦାନୀ ଜମି କିଣିଛି ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ବିଜେଡି ବିଧାୟକ କଳିକେଶ ସିଂଦେଓ କହିଛନ୍ତି । ସେ କହିଛନ୍ତି, ଗନ୍ଧମାର୍ଦ୍ଦନକୁ ନେଇ କୌଣସି ଯୋଜନା ଯଦି ରହିଛି ସରକାର ସ୍ପଷ୍ଟ କଲେ ଲୋକଙ୍କ ଆଶଙ୍କା ଦୂର ହେବ। ତାହା ନକରି ଚୁପ୍ ରହିଲେ ଅଯଥା ଦ୍ୱନ୍ଦ୍ବ ବଢିବ। ଗନ୍ଧମାର୍ଦ୍ଦନ ପାହାଡ଼ ସ୍ଥାନୀୟ ଲୋକଙ୍କ ଭାବାବେଗ ସହିତ ଜଡ଼ିତ। ଏହି ପାହାଡ଼ର ପାହାଡ଼ର ପବିତ୍ରତା ରହିଛି । ୧୯୮୦ରେ ଗନ୍ଧମାର୍ଦ୍ଦନକୁ ନେଇ ବଡ଼ ଆନ୍ଦୋଳନ ହୋଇଥିଲା। ଲୋକଙ୍କ ଭାବାବେଗ ବିରୁଦ୍ଧରେ କୌଣସି ପଦକ୍ଷେପ ନିଆଗଲେ ସରକାର ସ୍ପଷ୍ଟୀକରଣ ରଖିବା ଆବଶ୍ୟକ। ତେବେ ଗନ୍ଧମାର୍ଦ୍ଦନକୁ ନେଇ ଲୋକଙ୍କ ବିରୁଦ୍ଧରେ କିଛି ପଦକ୍ଷେପ ନିଆଗଲେ, ବିଶୃଙ୍ଖଳା ହେବାର ସମ୍ଭାବନା ଅଛି ବୋଲି କଳିକେଶ କହିଛନ୍ତି ।
ଅନ୍ୟପକ୍ଷରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, ବିଜେଡି ଓ କିଛି ଲୋକ ପ୍ରହେଳିକା ସୃଷ୍ଟି କରୁଛନ୍ତି। ଗନ୍ଧମାର୍ଦ୍ଦନ ପର୍ବତରେ ଅନେକ ଔଷଧୀୟ ବୃକ୍ଷ ରହିଛି । ଏହି ପାହାଡ ସେ ଅଞ୍ଚଳର ଭାବାବେଗ ସହ ଜଡିତ । ବିଜେଡ଼ି ୨୪ ବର୍ଷରେ ଯାହା କରିଛି ତା’ର ଉତ୍ତର ସେମାନେ ଦେଇନାହାନ୍ତି । ଝାରସୁଗୁଡା ଜିଲ୍ଲାରେ ଆଜି ପରିବେଶ କିଏ ନଷ୍ଟ କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରଥମ ଥର ପାଇଁ ସରକାର ସବୁ ଦଳ ବିଧାୟକଙ୍କୁ ବସାଇ ପରାମର୍ଶ ନିଆଯାଇଛି । ହେଲେ ବିଜେଡ଼ି ତରଫରୁ ଏହାକୁ ଇସ୍ୟୁ କରାଯାଉଛି । ତର୍କ ବିତର୍କ ପରେ ଉତ୍ତର ଦିଆଯିବ ବୋଲି ଟଙ୍କଧର କହିଛନ୍ତି ।
ସେପଟେ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଛି କଂଗ୍ରେସ। କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ଗନ୍ଧମାର୍ଦ୍ଦନ ପର୍ବତକୁ ଆଦାନୀକୁ ଦେଲେ ଓଡ଼ିଶାବାସୀ ସରକାରଙ୍କୁ କେବେ କ୍ଷମା ଦେବେନି। ଏହା ବିରୋଧରେ କଂଗ୍ରେସ ଲଢେଇ କରିବ ବୋଲି ସେ କହିଛନ୍ତି। ଯଦି ଗନ୍ଧମାର୍ଦ୍ଦନ ପର୍ବତ ଯିବ, ତେବେ ବିଧାନସଭା ଭାଙ୍ଗିଦେବୁ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତୁରନ୍ତ ସ୍ପଷ୍ଟୀକରଣ ଦେବା ଦରକାର ବୋଲି ତାରା କହିଛନ୍ତି ।