Latest Odisha News

BREAKING NEWS

ଏକଜିଟ୍ ପୋଲରେ ଜିତୁଛି କିଏ ?

ନୂଆଦିଲ୍ଲୀ: ସରିଲା ମହାରାଷ୍ଟ୍ର, ଝାଡ଼ଖଣ୍ଡ ନିର୍ବାଚନ। ମହାରାଷ୍ଟ୍ରରେ କାହାର ସରକାର? ମହାୟୁତି ନା ମହାବିକାଶ ଅଘାଡି, କିଏ ଜିତିବ ବାଜି ? କାହାକୁ ବାଛିବେ ଝାଡଖଣ୍ଡ ଜନତା ? ପୁଣି ହେମନ୍ତଙ୍କୁ ଭରସା ନା ଗାଦି କବଜା କରିବ ବିଜେପି ? ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ଏକଜିଟ୍ ପୋଲ୍ ବା ବୁଥ୍ ବାହୁଡା ମତକୁ ନେଇ ଆକଳନ ସାମନାକୁ ଆସିଛି। ମହାରାଷ୍ଟ୍ରରେ ମହାୟୁତି ପୁଣି ସରକାର କରିବା ନେଇ ଅଧିକାଂଶ ଏକଜିଟ୍ ପୋଲ ସର୍ଭେ ମତ ଦେଇଛନ୍ତି ତ ଝାଡଖଣ୍ଡରେ କାଣ୍ଟେ କି ଟକ୍କର ଦେଖିବାକୁ ମିଳୁଛି।

ମହାରାଷ୍ଟ୍ରରେ ମହାୟୁତିକୁ ବହୁମତ !
ଶାସକ ମହାୟୁତି ପୁଣି କ୍ଷମତାକୁ ଫେରିପାରେ। ୯ ଟି ଏକଜିଟ ପୋଲ ସର୍ଭେ ମଧ୍ୟରୁ ୫ ଟିରେ ବିଜେପି ନେତୃତ୍ବାଧୀନ ମହାୟୁତି ସରକାରକୁ ଫେରିବା ନେଇ ସଙ୍କେତ ମିଳିଛି। ମାଟ୍ରିଜ, ଚାଣକ୍ୟ ଷ୍ଟ୍ରାଟେଜି, ଟାଇମ୍ସ ନାଓ-ଜେଭିସି, ପୋଲ ଡାଏରୀ ଓ ପିପୁଲ୍ସ ପଲ୍ସ ମହାୟୁତିକୁ ୧୨୨ ରୁ ୧୯୫ ସିଟ୍ ମିଳିବା ନେଇ ଆକଳନ କରିଛନ୍ତି। ଏଥିସହ ଏମଭିଏକୁ ଦେଇଛନ୍ତି ୬୯ ରୁ ୧୩୮ ଟି ସିଟ୍। ୮ ଟି ସର୍ଭେରେ ମହାୟୁତିକୁ ହାରାହାରି ୧୫୦  ସିଟ୍ ମିଳିବା ନେଇ କୁହାଯାଇଛି। ୨୮୮ ସିଟ୍ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଏହା ମ୍ୟାଜିକ ନମ୍ବରଠାରୁ ଉପରେ ରହିଛି। ମହାବିକାଶ ଅଘାଡିକୁ ୧୨୫  ଓ କୌଣସି ମେଣ୍ଟରେ ସାମିଲ ନଥିବା ଦଳ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ୧୩ ଟି ସିଟ୍ ଦେଇଛନ୍ତି। ତେବେ ୩ ଟି ଏକଜିଟ ପୋଲ ସର୍ଭେରେ ଝୁଲା ବିଧାନସଭା ନେଇ ସଂକେତ ମିଳୁଛି। କୌଣସି ମେଣ୍ଟକୁ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ମିଳିବନି ବୋଲି ଏଥିରେ ଆକଳନ କରାଯାଇଛି। ତେବେ ଗୋଟିଏ ଏକଜିଟ୍ ପୋଲ ସର୍ଭେରେ ଏମଭିଏ କ୍ଷମତାକୁ ଆସିବା ନେଇ କୁହାଯାଇଛି। ମହାରାଷ୍ଟ୍ରରେ ଝୁଲା ରାୟ ଆସିଲେ ସ୍ବାଧୀନ ଓ କୌଣସି ମେଣ୍ଟରେ ନଥିବା ଦଳ କିଙ୍ଗମେକର ହୋଇପାରନ୍ତି।

ଝାଡ଼ଖଣ୍ଡରେ କାଣ୍ଟେ କି ଟକ୍କର
ଝାଡଖଣ୍ଡରେ ବିଜେପି ନେତୃତ୍ବାଧୀନ ମେଣ୍ଟ ବିଜୟୀ ହୋଇପାରେ। ଏନେଇ ୪ ଟି ଏକଜିଟ ପୋଲରେ ଆକଳନ କରାଯାଇଛି। ତେବେ ହେମନ୍ତ ସୋରେନଙ୍କ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ପୁଣି କ୍ଷମତାରକୁ ଫେରିବା ନେଇ ଗୋଟିଏ ସର୍ଭେ ସନ୍ଦେଶ ଦେଇଛି। ୮୧  ସିଟ୍ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାରେ ଏନଡିଏକୁ ୪୨ ରୁ ୪୭ ଟି ସିଟ୍ ଓ ମହାଗଠବନ୍ଧନକୁ ୨୫ ରୁ ୩୦ ଟି ସିଟ୍ ମିଳିବା ନେଇ ମାଟ୍ରିଜ ଆକଳନ କରିଛି। ଆକ୍ସିସ ମାଇ ଇଣ୍ଡିଆ ଏକଜିଟ ପୋଲ ଇଣ୍ଡିଆ ମେଣ୍ଟକୁ ୫୩  ସିଟ୍ ଦେଇଥିବା ବେଳେ ଏନଡିଏକୁ ଦେଇଛି ୨୫ ଟି ସିଟ୍। ଚାଣକ୍ୟ ଷ୍ଟ୍ରଟେଜିଜ୍ ଏନଡିଏକୁ ୪୫ ରୁ ୫୦  ସିଟ୍ ମିଳିବା ନେଇ ଆକଳନ କରିଥିବା ବେଳେ ଇଣ୍ଡିଆ ମେଣ୍ଟକୁ ଦେଇଛି ୩୫ ରୁ ୩୮ ଟି ସିଟ୍। ଝାଡଖଣ୍ଡରେ ଏନଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ସିଧା ଫାଇଟ୍ ହେଉଥିବା ବେଳେ ମହାରାଷ୍ଟ୍ରରେ ମହାୟୁତି ଓ ମହାବିକାଶ ଅଘାଡି ମୁହାଁମୁହିଁ ହୋଇଛନ୍ତି। ଏକଜିଟ୍ ପୋଲ ଅନେକ ସମୟରେ ଏକଜାଟ୍ ପୋଲ ପ୍ରମାଣିତ ହେଉନି। ୨୩ ତାରିଖରେ ମହାରାଷ୍ଟ୍ର ଓ ଝାଡଖଣ୍ଡର ଜନାଦେଶ ଆସିବ।

ବ୍ୟୁରୋ ରିପୋର୍ଟ, ଓଡିଶା ସମ୍ବାଦ

Comments are closed.