ନୂଆଦିଲ୍ଲୀ: ଆଜି ହେଉଛି ୭୫ତମ ସମ୍ବିଧାନ ଦିବସ । ପ୍ରତି ବର୍ଷ ନଭେମ୍ବର ୨୬ ତାରିଖରେ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଏ । ୧୯୪୯ ମସିହା ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ରେ ଏହାକୁ ଭାରତରେ ଲାଗୁ କରାଯାଇଥିଲା । ୨୦୧୫ ମସିହାରେ ନାଗରିକଙ୍କ ମଧ୍ୟରେ ସମ୍ବିଧାନର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପ୍ରତି ବର୍ଷ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ ନିଷ୍ପତି ନେଇଛି ।
ଭାରତର ପ୍ରଥମ ଆଇନ ମନ୍ତ୍ରୀ ଭୀମରାଓ ରାମଜୀ ଆମ୍ବେଦକର ୧୯୪୭ ମସିହାରରେ ସମ୍ବିଧାନ ଡ୍ରାଫ୍ଟ କମିଟିର ସଭାପତି ଭାବରେ ନିଯୁକ୍ତି ହୋଇଥିଲେ ଏବଂ ତାଙ୍କୁ ଭାରତର ସମ୍ବିଧାନ ଲେଖିବାର ଦାୟିତ୍ବ ଦିଆଯାଇଥିଲା । ଆମେରିକା ଇତିହାସକାର ଗ୍ରୀନବିଲେ ସେଓ୍ବାର୍ଡ ଅଷ୍ଟିନ ଆମ୍ବେଦକରଙ୍କ ଦ୍ବାରା ଲେଖଯାଇଥିବା ସମ୍ବିଧାନକୁ ସର୍ବ ପ୍ରଥମେ ଏକ ସମ୍ବିଧାନିକ ଡକ୍ୟୁମେଣ୍ଟ କହିଥିଲେ । ଦେଶରେ ଶାସନ ପାଇଁ ସମ୍ବିଧାନ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥାଏ । ସମ୍ବିଧାନ ଦ୍ବାରା ଦେଶର ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ପ୍ରଦାନ କରେ ଏବଂ ସେମାନଙ୍କୁ ସମାନ ନିୟମରେ ବାନ୍ଧି ରଖିଥାଏ ।
ଏହି ଅବସରରେ ଆଜି ସଂସଦରେ ଏକ ବଡ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହର ସଦସ୍ୟମାନଙ୍କୁ ସମ୍ବୋଧିତ କରିବେ। କାର୍ଯ୍ୟକ୍ରମରେ ଏକ ମୁଦ୍ରା ଏବଂ ଡାକ ଟିକେଟ ମଧ୍ୟ ଜାରି କରାଯିବ । ଏଥିସହ କିଛି ପୁସ୍ତକର ମଧ୍ୟ ବିମୋଚନ କରାଯିବ । ଏହା ସହିତ ସମ୍ବିଧାନର ସଂସ୍କୃତ ଏବଂ ମୈଥୀଲି ସଂସ୍କରଣ ବିଧାନସଭାର କେନ୍ଦ୍ରୀୟ ହଲରେ ପ୍ରକାଶ ପାଇବ।
ସେପଟେ ସମ୍ବିଧାନ ଗୃହର ସେଣ୍ଟ୍ରାଲ୍ ହଲ୍ ଅର୍ଥାତ୍ ପୁରୁଣା ସଂସଦ ଗୃହରେ ମଧ୍ୟ ସମ୍ବିଧାନ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ଲୋକସଭା ବାଚସ୍ପତି ଓମ ବିର୍ଲା ସ୍ୱାଗତ ଭାଷଣ ପ୍ରଦାନ କରିବେ। ଏହି ଅବସରରେ ଭାରତୀୟ ସମ୍ବିଧାନର ଗୌରବ, ଏହାର ସୃଷ୍ଟି ଏବଂ ଐତିହାସିକ ଯାତ୍ରାକୁ ଦର୍ଶାଉଥିବା ଏକ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହେବ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ ବିର୍ଲା, କେନ୍ଦ୍ର ମନ୍ତ୍ରୀ, ସଂସଦର ସଦସ୍ୟ, ଦିଲ୍ଲୀ ଭିତ୍ତିକ ମିଶନର ମୁଖ୍ୟ ତଥା ଅନ୍ୟମାନେ ଉପସ୍ଥିତ ରହିବେ । ଏହି ବିଶେଷ ଉତ୍ସବରେ ଦୁଇଟି ପୁସ୍ତକ ପ୍ରକାଶ ପାଇବ। ପ୍ରଥମଟି ହେଉଛି ‘ଭାରତରେ ସମ୍ବିଧାନର ନିର୍ଣ୍ଣୟର ଏକ ଝଲକ’ ଏବଂ ଦ୍ଵିତୀୟଟି ହେଉଛି ‘ଭାରତ ସମ୍ବିଧାନର ନିର୍ଣ୍ଣୟ ଏବଂ ଏହାର ଗୌରବମୟ ଯାତ୍ରା’ ।