Latest Odisha News

କେବେ ପଡେ ମହାକୁମ୍ଭ ଯୋଗ, ଜାଣନ୍ତୁ ଏଥର କେଉଁଠି ହେବ ଏହି ମେଳା

ପ୍ରୟାଗରାଜ: କୁମ୍ଭ ମେଳା, ହିନ୍ଦୁ ଧର୍ମର ପରମ୍ପରା ଓ ସଂସ୍କୃତିରେ ଏକ ମହାମେଳା ବା ମହାପର୍ବ । ଏହା ଭାରତ ଉପଖଣ୍ଡର ତ୍ରିବେଣୀ ସଙ୍ଗମଠାରେ ଆୟୋଜିତ ହୁଏ । ପ୍ରତି ୧୨ ବର୍ଷରେ ଥରେ ହୁଏ ଏହି କୁମ୍ଭ ମେଳା l ଗଙ୍ଗା-ଯମୁନା-ସରସ୍ୱତୀର ସଙ୍ଗମସ୍ଥଳରେ ହେଉଥିବା ମହାକୁମ୍ଭମେଳା ସମୟରେ ଲକ୍ଷ ଲକ୍ଷ ସାଧୁସନ୍ଥ ତଥା ହିନ୍ଦୁ ଶ୍ରଦ୍ଧାଳୁ ସ୍ନାନ କରି ପୂଣ୍ୟ ଅର୍ଜନ କରନ୍ତି ।ହିନ୍ଦୁମତେ ପବିତ୍ର ଗଙ୍ଗା, ଯମୁନା ଓ ପୌରାଣିକ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳରେ ରାଜକୀୟ ସ୍ନାନ ଓ ଦର୍ଶନ ନିମନ୍ତେ ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ସାଧୁ, ସନ୍ଥ, ବାବାଜୀ, ମହନ୍ତ, ଧର୍ମଗୁରୁ ଓ ଉଲଗ୍ନ ନାଗା ସାଧୁଗଣଙ୍କ ସମେତ କୋଟି କୋଟି ଶ୍ରଦ୍ଧାଳୁ ଏକତ୍ର ହୋଇଥାନ୍ତି ।

ଶେଷଥର ୨୦୧୩ ମସିହାରେ ଏହି ମହାକୁମ୍ଭ ମେଳା ଅନୁଷ୍ଠିତ ହେଇଥିବା ବେଳେ ଆସନ୍ତା ଜାନୁୟାରୀ ୧୩ ତାରିଖରେ ପ୍ରୟାଗରାଜଠାରେ ଅନୁଷ୍ଠିତ ହେବ ଏହି ମହାକୁମ୍ଭ ମେଳା l ସେଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି l ଧାର୍ମିକ ବିଶ୍ୱାସ ଅନୁଯାୟୀ, ମହାକୁମ୍ଭ ମେଳା ସମୟରେ ସ୍ନାନ କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ । ପ୍ରତ୍ୟେକ ଥର କୁମ୍ଭ ମେଳା କେବଳ ଚାରୋଟି ପବିତ୍ର ନଦୀ ଏବଂ ଭାରତର ଚାରି ତୀର୍ଥସ୍ଥାନରେ ଆୟୋଜିତ ହୋଇଥାଏ । କିନ୍ତୁ ମହାକୁମ୍ଭ ମେଳା କେବଳ ପ୍ରୟାଗରାଜ, ନାଶିକ୍, ହରିଦ୍ୱାର ଏବଂ ଉଜୈନରେ ଆୟୋଜିତ ହୋଇଥାଏ । ପୌରାଣିକ ମତେ ଅମୃତ କଳସ ପାଇଁ ଦେବାସୁରଙ୍କ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ଉକ୍ତ କଳସରୁ ଚାରିଟୋପା ଅମୃତ ଚାରୋଟି ସ୍ଥାନ ପ୍ରୟାଗରାଜ, ହରିଦ୍ୱାର, ଉଜ୍ଜୈନ ଓ ନାଶିକରେ ପଡ଼ିଯାଇଥିଲା । ଏବେ ସେହି ଚାରୋଟି ସ୍ଥାନରେ କୁମ୍ଭମେଳା ଅନୁଷ୍ଠିତ ହେଉଛି ।

ହିନ୍ଦୁ ଧର୍ମ ବିଶ୍ୱାସ ଅନୁସାରେ ମହାକୁମ୍ଭ ସ୍ନାନଦ୍ୱାରା ପାପ କ୍ଷୟ ହୁଏ, ଏହା ମୋକ୍ଷ ପ୍ରାପ୍ତିର ମାର୍ଗ । ଜ୍ୟୋତିଷ ଶାସ୍ତ୍ରମତରେ ମଧ୍ୟ ମକର ସଂକ୍ରାନ୍ତିଠାରୁ ମହା ଶିବରାତ୍ରି ପର୍ଯ୍ୟନ୍ତ ମହାକୁମ୍ଭ ସ୍ନାନ ଆଧ୍ୟାତ୍ମିକ, ଶାରୀରିକ ଓ ମାନସିକ ଶକ୍ତିରେ ବିକାଶ ଘଟାଏ । କାରଣ ଏହି ସମୟରେ ବୃହସ୍ପତି ବୃଷ ରାଶିରେ ଅବସ୍ଥାନ କରନ୍ତି ଏବଂ ମକର ରାଶିରେ ରହିଥାନ୍ତି ରବି ଓ ଚନ୍ଦ୍ର । ଫଳରେ ପ୍ରୟାଗର ବାୟୁମଣ୍ଡଳ ପରିପୂର୍ଣ୍ଣ ହୋଇଥାଏ ଆଧ୍ୟାତ୍ମିକ ଶକ୍ତିଦ୍ୱାରା । ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଙ୍ଗାର ଜଳ, ବାୟୁମଣ୍ଡଳ ତଥା ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ଶକ୍ତିର ସତ୍ତା ଅନୁଭବ କରନ୍ତି । ତେଣୁ କୁମ୍ଭ ମେଳାରେ ଯୋଗ ଦେଲେ ସ୍ୱତଃ ମାନସିକ, ଶାରୀରିକ ଓ ବୌଦ୍ଧିକ ଅଭିବୃଦ୍ଧି ହୋଇଥାଏ ।

କୁମ୍ଭ ସ୍ନାନର ଶ୍ରେଷ୍ଠ ଦିବସ ହେଉଛି ମୌନୀ ଅମାବାସ୍ୟା । ଏହି ଦିନ ସୃଷ୍ଟି ସର୍ଜନା କରିଥିଲେ ବ୍ରହ୍ମା । ତେଣୁ ମୌନୀ ଅମାବାସ୍ୟାର ସ୍ନାନରେ ମିଳେ ଅମାପ ଆଧ୍ୟାତ୍ମିକ ଶକ୍ତି । ମହାକୁମ୍ଭ ସମୟରେ ପ୍ରୟାଗରାଜଠାରେ ବ୍ରହ୍ମା-ବିଷ୍ଣୁ-ମହେଶ୍ୱର ଓ ସକଳ ଦେବ, ସମସ୍ତ ବେଦର ମିଳନ ଘଟିଥାଏ । ଗଙ୍ଗାର ପବିତ୍ର ଜଳ ମଧ୍ୟ ମକର ସଂକ୍ରାନ୍ତି ସମୟରେ ଆଧ୍ୟତ୍ମିକ ଶକ୍ତିଦ୍ୱାରା ଶକ୍ତିଶାଳୀ ମନେ ହୁଏ । ତେଣୁ ଗଙ୍ଗା ବୁଡ଼ ଫଳରେ ଅମୃତର ସ୍ୱାଦ ଅର୍ଥାତ ଐଶ୍ୱରିକ ସତ୍ତାର ଉପଲବ୍ଧି ମିଳେ ବୋଲି ବିଶ୍ୱାସ ରହିଛି । ପୌରାଣିକ ମତେ ଧର୍ମ, ଅର୍ଥ, କାମ ଓ ମୋକ୍ଷ ପୁରୁଷାର୍ଥ ଅଟେ। ଏଥିମଧ୍ୟରୁ ଅର୍ଥ ଓ କାମ ଲୌକିକ ଏବଂ ଧର୍ମ ଓ ମୋକ୍ଷ ପାରଲୌକିକ ଶ୍ରେଷ୍ଠତା ପାଇଁ ଉଦ୍ଦିଷ୍ଠ । କୁମ୍ଭସ୍ନାନ ଏହି ଚତୁର୍ବର୍ଗ ଫଳ ପ୍ରଦାନ କରିଥାଏ । କୁମ୍ଭପର୍ବରେ ବିଧିବିଧାନ ପୂର୍ବକ ସ୍ନାନ ଓ ଦାନ ଆଦି କଲେ ଶତ ଅଶ୍ୱମେଧ ଯଜ୍ଞର ଫଳପ୍ରାପ୍ତି ତଥା ପରଲୋକ ମୁକ୍ତି ଅମୃତତ୍ତ୍ୱ ପ୍ରାପ୍ତି ହୁଏ

୫୫ଦିନ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା କୁମ୍ଭମେଳାରେ ୬ଟି ମହାସ୍ନାନ ଆୟୋଜିତ ହୋଇଥାଏ l ସେହିଦିନ ଗୁଡିକ ହେଉଛି, ମକର ସଂକ୍ରାନ୍ତି, ପୌଷ ପୂର୍ଣ୍ଣିମା, ମୌନୀ ଅମାବାସ୍ୟା, ବସନ୍ତ ପଞ୍ଚମୀ, ମାଘ ପଞ୍ଚମୀ ଓ ମହାଶିବରାତ୍ରି l କୁମ୍ଭ ମେଳା କେଉଁ ସ୍ଥାନରେ ଲାଗିବ ତାହା ଏହି ରାଶି ନିର୍ଦ୍ଧାରଣ କରିଥାଏ। ପୁରାଣ ଅନୁସାରେ, ଯେତେବେଳେ ବୃହସ୍ପତି ଓ ସୂର୍ଯ୍ୟ ସିଂହ ରାଶିରେ ଥାଆନ୍ତି ସେତେବେଳେ ତ୍ର୍ୟମ୍ବକେଶ୍ୱର ଘାଟ, ନାସିକରେ କୁମ୍ଭମେଳା ଆୟୋଜନ କରାଯାଇଥାଏ l ସେହିପରି ବୃହସ୍ପତି ଓ ସୂର୍ଯ୍ୟ ବିଛା ରାଶିରେ ଥିଲେ ଉଜ୍ଜୟନୀରେ, ବୃହସ୍ପତି ବୃଷ ରାଶିରେ ଓ ସୂର୍ଯ୍ୟ ମକର ରାଶିରେ ଥିଲେ ପ୍ରୟାଗରାଜ, ଆହ୍ଲାବାଦରେ ଏବଂ ସୂର୍ଯ୍ୟ ମେଷ ରାଶିରେ ଥିଲେ ହରିଦ୍ୱାର ହୋଇଥାଏ ଏହି କୁମ୍ଭ ମେଳା l ତେବେ ବୃହସ୍ପତି ବୃଷ ରାଶିରେ ଥିବା ସମୟରେ, ରବି ଓ ଚନ୍ଦ୍ର ଯଦି ମକର ରାଶିରେ ପ୍ରବେଶ କଲେ ତେବେ ମାଘ ମାସ ଅମାବାସ୍ୟାରେ ମହାକୁମ୍ଭ ଯୋଗ ପଡ଼େ l

Leave A Reply

Your email address will not be published.