ଲକ୍ଷ୍ନୌ: ଲକ୍ଷ୍ନୌର ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଙ୍ଗଳବାର ସକାଳେ ଏକ ନବଜାତ ଶିଶୁର ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି।
ଏକ କୋରିଅର ଏଜେଣ୍ଟଙ୍କ ଲଗେଜରେ ଥିବା ବକ୍ସରେ ଏକ ନବଜାତ ଶିଶୁର ମୃତଦେହ ମିଳିବା ପରେ କାର୍ଗୋ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।
କାର୍ଗୋ କର୍ମଚାରୀମାନେ ଏନେଇ ସିଆଇଏସଏଫକୁ ସୂଚନା ଦେବା ପରେ କୋରିଅର ଏଜେଣ୍ଟକୁ ସିଆଇଏସଏଫକୁ ହସ୍ତାନ୍ତର କରାଯାଇଥିଲା। ପରେ ପଚରାଉଚରା ବେଳେ ଯୁବକ ଜଣକ ମୃତଦେହ ବିଷୟରେ କିଛି ସ୍ପଷ୍ଟ ସୂଚନା ଦେଇପାରିନଥିଲେ।
ସୂଚନା ଅନୁଯାୟୀ, ପ୍ରତ୍ୟେକ ଦିନ ଭଳି ଲକ୍ଷ୍ନୌ ବିମାନବନ୍ଦରରେ କାର୍ଗୋ କର୍ମଚାରୀମାନେ ମଙ୍ଗଳବାର ସକାଳେ ମାଲ ପରିବହନ ପାଇଁ ବୁକ୍ ହେବାକୁ ଥିବା ସାମଗ୍ରୀର ସ୍କାନ କରୁଥିଲେ। ଏହି ସମୟରେ ଏକ ଘରୋଇ କମ୍ପାନୀର କୋରିଅର୍ ଏଜେଣ୍ଟ କାର୍ଗୋ ମାଧ୍ୟମରେ ସାମଗ୍ରୀ ବୁକ୍ କରିବାକୁ ଆସିଥିଲେ। ଯାହାପରେ କାର୍ଗୋ କର୍ମଚାରୀମାନେ ଲଗେଜ୍ ସ୍କାନ କରିବା ଆରମ୍ଭ କରିଥିଲେ ତେବେ ପ୍ଲାଷ୍ଟିକ୍ ବାକ୍ସ ଭିତରେ ଏକ ନବଜାତ ଶିଶୁର ମୃତଦେହ ସ୍କାନିଂ ମେସିନରେ ଚିହ୍ନଟ ହୋଇଥିଲା। ଯାହାପରେ କାର୍ଗୋ କର୍ମଚାରୀମାନେ ଉକ୍ତ ଏଜେଣ୍ଟଙ୍କୁ ପ୍ୟାକେଟ୍ ଖୋଲିବାକୁ କହିଥିଲେ।ପ୍ୟାକେଟ୍ ଖୋଲିବା ପରେ ସେଥିରେ ଏକ ନବଜାତ ଶିଶୁର ମୃତଦେହ ଥିବା ଦେଖିବାକୁ ମିଳିଥିଲା। ଯାହାକୁ ଦେଖି କାର୍ଗୋ କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ତେବେ କୋରିଅର କମ୍ପାନୀର କର୍ମଚାରୀ ଉକ୍ତ ବାକ୍ସ ଏବଂ ମୃତଦେହ ବିଷୟରେ କୌଣସି ସ୍ପଷ୍ଟ ସୂଚନା ଦେଇପାରିନଥିବା ଜଣାପଡିଛି।