Latest Odisha News

BREAKING NEWS

ଶୀତଋତୁରେ ଏହି ରଙ୍ଗୀନ ଫୁଲଗଛ ଲଗାନ୍ତୁ ବଗିଚାରେ ..

ଭୁବନେଶ୍ବର: ଶୀତଦିନରେ ନିଜ ବଗିଚାର ସୁନ୍ଦରତାକୁ ଦ୍ବିଗୁଣ କରିବାକୁ ଯଦି ଚାହୁଁଛନ୍ତି ତେବେ ଅତି ଶୀଘ୍ର ନିଜ ବଗିଚାରେ ଶୀତଋତୁରେ ଫୁଟୁଥିବା ଫୁଲ ଗଛ ନର୍ସରୀରୁ ଆଣି ଘର ବଗିଚାରେ ଲଗାନ୍ତୁ ।

ଦେଢ ମାସ ଭିତରେ ଗଛରେ ଫୁଲ ଫୁଟିଯିବ । ଆଉମଧ୍ୟ ଅଧିକାଂଶ ଫୁଲ ଗଛ ବିନା ଖତରେ ଭଲଭାବରେ ବଢିଥାନ୍ତି , ଆପଣ ସହଜରେ ନିଜ ବଗିଚାରେ ଲଗାଇପାରିବେ ।

ତେବେ ଆସନ୍ତୁ ଜାଣିବା ଏହି ଋତୁରେ କେଉଁ କେଉଁ ଫୁଲଗଛ ନିଜ ବଗିଚାରେ ଲଗାଇପାରିବେ ..

ଗେଣ୍ଡୁ

ଭାରତରେ ଶୀତଋତୁରେ ରୋପଣ କରାଯାଉଥିବା ସବୁଠାରୁ ଲୋକପ୍ରିୟ ଫୁଲଗଛଟି ହେଲା ଗେଣ୍ଡୁ, ଯାହା ସାଧାରଣତଃ ସମସ୍ତ ଘରେ ମିଳିଥାଏ । ଏହାର ଫୁଲଗୁଡ଼ିକ ଲାଲ,କମଳା ଏବଂ ହଳଦିଆ ରଙ୍ଗର ହୋଇଥାଏ । ଦେଶୀ ଗେଣ୍ଡୁ ଫୁଲର ଆକାର ଛୋଟ ଆକାରର ହୋଇଥାଏ ଓ ନର୍ସରୀରୁ ଯଦି ହାଇବ୍ରୀଡ ଚାରା ଆଣୁଛନ୍ତି ତାର ଫୁଲର ସାଇଜ ବଡ ଆକାରର ହୋଇଥାଏ ।

ଗେଣ୍ଡୁ ଗଛ ୨ ପ୍ରକାର ପଦ୍ଧତିରେ ଲଗାଇ ପାରିବେ । ମଞ୍ଜିରୁ କିମ୍ବା ଚାରାରୁ ଲଗାଇ ପାରିବେ ।

ଗେଣ୍ଡୁ ଫୁଲଗଛ ପାଇଁ ମାଟି ପ୍ରସ୍ତୁତି- ଏଥଲାଗି ୫୦% ମାଟି, ୪୦% ଗୋବର ବା ଜିଆ ଖତ, ୧୦ ଭାଗ ବାଲି , ଅଳ୍ପ ନିମ୍ବ କିମ୍ବା ସୋରିଷ ପିଡିଆ ମିଶେଇକି ମାଟି ପ୍ରସ୍ତୁତ କରନ୍ତୁ ।

ସେବତୀ

ଶୀତ ଦିନରେ ଫୁଟୁଥିବା ସବୁଠାରୁ ସୁନ୍ଦର, ସୁଗନ୍ଧମୟ ଫୁଲ ଅଟେ ସେବତୀ । ଆପଣ କଲମୀ କରି କିମ୍ବା କଟିଙ୍ଗରୁ ଏହି ଗଛ ଲଗାଇ ପାରିବେ । କଟିଙ୍ଗ ଲଗାଇବାର ୨୦ ଦିନରେ ପତ୍ର ଆସିଯାଇଥାଏ ଓ ମାସକ ଭିତରେ ଫୁଲ ଫୁଟିବା ଆରମ୍ଭ ହୋଇଯାଇଥାଏ ।

ଗେଣ୍ଡୁ ଫୁଲଗଛ ପାଇଁ ମାଟି ପ୍ରସ୍ତୁତି ଯେପରି କରାଯାଏ ଠିକ୍ ସେହିପରି ସେବତୀ ଗଛ ପାଇଁ ମାଟି ପ୍ରସ୍ତୁତ କରନ୍ତୁ । ଅଧିକ ଶୀତ ହେବା ଆଗରୁ ଏହାର କଟିଙ୍ଗ ଲଗାଇ ଦିଅନ୍ତୁ । ଆପଣ ନର୍ସରୀରୁ ସେବତୀର ଛୋଟ ଛୋଟ ମଧ୍ୟ ଆଣି ପାରିବେ ।

ଗୋଲାପ

ଫୁଲଙ୍କ ରାଜା ଗୋଲାପକୁ ବି ଏହି ଥଣ୍ଡା ଦିନରେ ଲଗାଇ ପାରିବେ । କଟିଙ୍ଗରୁ ଗୋଲାପ ଗଛ ଲଗାଇ ପାରିବେ । ୨/୩ ବର୍ଷ ପୁରୁଣା ଗୋଲାପ ଗଛର ଡାଳକୁ କାଟନ୍ତୁ । ଡାଳ ଖଣ୍ଡର ଲମ୍ବା ପ୍ରାୟ ୧ଫୁଟ ହେବା କଥା । ଡାଳକୁ ଲଗାଇବାର ୨୦-୨୫ ଦିନ ପରେ ସେଥିରୁ ପତ୍ର ଆସିବାକୁ ଲାଗିଥାଏ । ନିୟମିତ ପାଣି, ଭଲ ସୂର୍ଯ୍ୟଙ୍କ କିରଣ ମିଳିଲେ ଗଛରେ ଫୁଲ ଫୁଟୁବାକୁ ଡେରି ଲାଗେ ନାହିଁ ।

ଗୋଲାପ ଗଛର ମାଟି ପ୍ରସ୍ତୁତି- ୪୦ଭାଗ ମାଟି, ୨୦ ଭାଗ ବାଲି ଓ ୩୦ ଭାଗ ଗୋବର ଖତ ବ୍ୟବହାର କରି ମାଟି ତିଆରି କରନ୍ତୁ । ଗୋବର ଖତ ଦ୍ବାରା ଗଛ ଶୀଘ୍ର ବଢିଥାଏ ।

ସୂର୍ଯ୍ୟମୁଖୀ

ଏହି ଫୁଲଗଛ ସେପ୍ଟେମ୍ବରରୁ ଏପ୍ରିଲ ମଧ୍ୟରେ ଲଗାଯାଏ । ମଞ୍ଜିରୁ ଗଛ ଲଗାଉଥିଲେ ୭-୧୦ ଦିନ ଭିତରେ ଗଜା ଆସିବା ଆରମ୍ଭ ହୋଇଯାଇଥାଏ । ବେଳେବେଳେ ୨ସପ୍ତାହ ସମୟ ମଧ୍ୟ ଲାଗିଯାଏ ଏଥିପାଇଁ ଧୈଯ୍ୟ ରଖନ୍ତୁ, ଏହାର ଯତ୍ନ ନିଅନ୍ତୁ । କୁଣ୍ଡରେ ଗଛ ଲଗାଉଥିଲେ ଅତିକମ୍ ରେ ୫-୬ଘଣ୍ଚାର ଖରା ଦରକାର । ଗଛ ବଢିବା ଆରମ୍ଭ ହେଲେ ନିୟମିତ ପାଣି ଓ ଖତ ଦେଉଥାନ୍ତି । ଧ୍ୟାନ ରଖନ୍ତୁ କୁ୍ଣ୍ତରେ ପାଣି ଜମା ହୋଇ ଯେପରି ନରହେ ।

ନର୍ସରୁ ଚାରା ଆଣି ଗଛ ମଧ୍ୟ ଲଗାଇ ପାରିବେ ।

ପେଟୁନିୟା

ଏହି ଫୁଲ ଶୀତ ଦିନରେ ଲଗାଯାଇଥାଏ । ବଡଫୁଲ ହୁଏ ଓ ବିଭିନ୍ନରଙ୍ଗର ଫୁଲ ଆସିଥାଏ । ଧଳା, ହଳଦିଆ, ଗୋଲାପୀ, ଗାଢ ବାଇଗଣୀ ରଙ୍ଗର ଫୁଲ ହୁଏ ।

ନର୍ସରୀରୁ ଏହାର ଛୋଟ ଛୋଟ ଫୁଲ ଗଛ ଆଣିପାରିବେ ।

ମାଟି ପ୍ରସ୍ତୁତି- ୫୦ଭାଗ ମାଟି, ୪୦ ଭାଗ ଗୋବର, ୧୦ ଭାଗ ବାଲି ଦେଇ ମାଟି ତିଆରି କରନ୍ତୁ । ୬ଇଞ୍ଚ କୁଣ୍ଡରେ ଏହି ଗଛ ଲଗାଇ ପାରିବେ ।

Comments are closed.