ଭୁବନେଶ୍ଵର: ଆଜି ମାର୍ଗଶିର ମାସ ଶେଷ ଗୁରୁବାର । ନମସ୍ତେ କମଳା ମାଗୋ ସାଗର ଦୁହ୍ଲଣୀ, ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ ସ୍ତୃତି ଗୁଞ୍ଜରିତ ହେଉଛି । ଗାଁଠାରୁ ସହରର ଯାଏ ପ୍ରତି ଘରେ ଶୁଭୁଛି ଏହି ଲକ୍ଷ୍ମୀ ପୁରାଣର ପବିତ୍ର ଛନ୍ଦ । ଏଥିପାଇଁ ଆଜି ରାତିରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଘର ବାରଣ୍ଡା ଭଳିକି ଭଳି ଆକର୍ଷଣୀୟ ଚିତାରେ ପୂରି ଉଠିଛି ।
ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ତେବେ ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା “ଧାନବେଣୀ” ରେ ସଜାଯାଇଥାଏ । ଧାନକେଣ୍ଡାକୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ ।
ଲୋକେ ବୁଧବାରଠୁ ଘରଦ୍ୱାର ସଫା କରି ଝୋଟି ଚିତା ପକାଇ ବଜାରରୁ ଫଳ, ଫୁଲ ସାଙ୍ଗକୁ ମାଣବସା ପାଇଁ ବିଭିନ୍ନ ସାମଗ୍ରୀ ବି କିଣି ସାରିଛନ୍ତି । ଅନ୍ତିମ ପାଳିରେ ମା’ଙ୍କ ଆବାହନ ଲାଗି ମାଣଭର୍ତ୍ତି ଧାନ ବିଧିମତେ ଗୃହର ନିର୍ଦ୍ଦିଷ୍ଟ କୋଣରେ ପ୍ରତିଷ୍ଠା କରିଛନ୍ତି । ଭୋର ବେଳେ ଧୂପ, ଦୀପ ଦେଇ ମା’ଙ୍କୁ ପ୍ରାର୍ଥନା କରାଯାଇଛି । ଶଙ୍ଖନାଦ ଆଉ ହୁଳହୁଳିରେ ପ୍ରକମ୍ପିତ ହେଉଛି ପରିବେଶ । ଶେଷ ଗୁରୁବାର ପାଇଁ ଧାନ ଭର୍ତ୍ତି ମାଣ, ଗୁଆ, ହଳଦୀ, ଲକ୍ଷ୍ମୀ ମୂର୍ତ୍ତି, ଆଇନା, ପାନିଆ, ମୂଳା, ଆଖୁ, ସୋରିଷ ଫୁଲ, ଧାନ ବେଣ୍ଟି ଖଟୁଲିରେ ଯୋଗାଡ଼ ସରିଛି । ଶୁଦ୍ଧ ଶାକାହାରୀ ବ୍ୟଞ୍ଜନ ଭାବେ ପିଠା, ଭଜା ମଣ୍ଡା, ବୁଢ଼ା ଚକୁଳି, ସରୁ ଚକୁଳି, ବରା, ଛୁଞ୍ଚି ପତ୍ର ପିଠା, କ୍ଷୀରି, ଶାଗ, ଦହିକଡ଼ି, ତରକାରି, ଖେଚୁଡ଼ି ପରି ମା’ ଲକ୍ଷ୍ମୀଙ୍କ ନିକଟରେ ଲାଗି କରାଯିବ ।
ମାର୍ଗଶିର ମାସର ଶେଷ ଗୁରୁବାର ଦିନ ବ୍ରତ ସାରି ଉଜୁଆ ଯାଏ । ସମସ୍ତ ନୀତିରେ ମାଣ ବସାଇ ମଣ୍ଡା ପିଠା ଓ ଖିରି ଭୋଗ କରାଯାଏ । ସଞ୍ଜ ଭୋଗ ପରେ ସେହି ମାଣରେ ଥିବା ଧାନକୁ ଆଉ ଏକ ଜାଗାରେ ଅଜାଡ଼ି ରଖାଯାଏ । ପୂଜାର ଅନ୍ୟ ସମସ୍ତ ସଜକୁ ନେଇ ପୋଖରୀ ଆଦି ଜଳାଶୟରେ ବିସର୍ଜନ କରାଯାଏ । ପୂଜାରେ ବ୍ୟବହୃତ ଧାନକୁ କୁଟି ସେହି ଚାଉଳରେ ଖିରି ବା ଜାଉ ରାନ୍ଧି କେବଳ ଘର ଲୋକଙ୍କ ମଧ୍ୟରେ ଖିଆଯାଏ । ଏହିପରି ଲକ୍ଷ୍ମୀଙ୍କୁ ଆବାହନ କରିବାଠାରୁ ବିସର୍ଜନ କରାଯିବା ପର୍ଯ୍ୟନ୍ତ ସମସ୍ତ ବିଧି ବିଧାନକୁ ପାଳନ କରି ଘରର ବିବିଧ ଉନ୍ନତି କାମନା କରାଯାଏ ।