ଆଡିଲେଡ: ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଦୃଢ଼ ସ୍ଥିତିରେ ରହିଛି । ଟ୍ରେଭିସ ହେଡ ଓ ଷ୍ଟିଭ ସ୍ମିଥଙ୍କ ଆକର୍ଷଣୀୟ ଶତକ ବଳରେ ଅଷ୍ଟ୍ରେଲିଆ ଷ୍ଟମ୍ପସ ଅପସାରଣ ବେଳକୁ ୭ ୱିକେଟ ବିନିମୟରେ ୪୦୫ ରନ ସଂଗ୍ରହ କରିନେଇଛି । ଆଲେକ୍ସ କ୍ୟାରୀ ୪୫ ଓ ମିଚେଲ ଷ୍ଟାର୍କ ୭ ରନ କରି ଅପରାଜିତ ରହିଛନ୍ତି । ସ୍ମିଥ ୧୦୧ ଓ ହେଡ ୧୫୨ ରନ କରିଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ଓ ନୀତିଶ କୁମାର ରେଡ୍ଡୀ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ଏବଂ ଅଷ୍ଟ୍ରେଲିଆ ଗୋଟିଏ ଲେଖାଏଁ ମୁକାବିଲାରେ ବିଜୟ ହାସଲ କରିଛନ୍ତି ।
ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ବାକିଥିବା ମ୍ୟାଚଗୁଡିକରେ ବିଜୟ ହାସଲ କରିବାକୁ ପଡିବ । ପ୍ରଥମ ଦିବସ ଖେଳ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା । ପ୍ରଥମ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଅଷ୍ଟ୍ରେଲିଆ କୌଣସି ୱିକେଟ ନ ହରାଇ ୨୮ ରନ କରିଥିଲା । ଏହି ମ୍ୟାଚରେ ସ୍ମିଥ ୧୭ ମାସ ପରେ ସେ ଶତକ ହାସଲ କରି ଫର୍ମକୁ ଫେରିଛନ୍ତି । ଟ୍ରେଭିସ ହେଡଙ୍କ ସହ ସେ ଚତୁର୍ଥ ୱିକେଟରେ ୨୪୨ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର ଏହା ଚତୁର୍ଥ ସର୍ବାଧିକ ରନର ପାର୍ଟନରଶିପ ।
Comments are closed.