ମୁମ୍ବାଇ: ବହୁ ଚର୍ଚ୍ଚା ପରେ ରବିବାର ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାବିସଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଛି। ବିଜେପି, ଶିବସେନା ଓ ଏନସିପି ନେତାମାନେ ମନ୍ତ୍ରୀଭାବରେ ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହ ନାଗପୁରରେ ଆୟୋଜିତ ହୋଇଥିଲା। ମହାରାଷ୍ଟ୍ରରେ ରବିବାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଶିବସେନା ସିନ୍ଦେ ଗୋଷ୍ଠୀରେ ବିଭ୍ରାଟ ଦେଖା ଦେଇଛି। ଭଣ୍ଡାରା ଆସନରୁ ବିଧାୟକ ନରେନ୍ଦ୍ର ଭୋଣ୍ଡେକର ପାର୍ଟି ଉପନେତା ତଥା ଶିବସେନା ବିଭାଗୀୟ ସମନ୍ୱୟକ ପଦରୁ ଇସ୍ତଫା ଦେଇଛନ୍ତି। ନୂଆ ମନ୍ତ୍ରୀମଣ୍ଡଳରେ ତାଙ୍କୁ ସ୍ଥାନ ଦିଆଯାଇ ନ ଥିବାରୁ ସେ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ତେବେ ୨୦୧୯ ମସିହାରେ ଶିବସେନା ନରେନ୍ଦ୍ର ଭୋଣ୍ଡେକରଙ୍କୁ ଟିକେଟ୍ ଦେଇନଥିଲା। ଏଣୁ ସେ ନିର୍ଦଳୀୟ ନିର୍ବାଚନ ଲଢି ବିଧାନସଭା ଯାଇଥିଲେ। ୨୦୨୨ରେ ଶିବସେନାରେ ବିଶୃଙ୍ଖଳା କାରଣରୁ, ଏକନାଥ ସିନ୍ଦେ ଦଳରୁ ତାଙ୍କ ସମର୍ଥକ ବିଧାୟକଙ୍କୁ ନେଇ ଅଲଗା ହୋଇଥିଲେ। ସେତେବେଳେ ସ୍ୱାଧୀନ ବିଧାୟକଙ୍କ ମଧ୍ୟରେ ନରେନ୍ଦ୍ର ଭୋଣ୍ଡେକର ସିନ୍ଦେଙ୍କୁ ସମର୍ଥନ କରିଥିଲେ। ତେବେ ୨୦୨୪ ବିଧାନସଭା ନିର୍ବାଚନରେ ଶିବସେନା ସିନ୍ଦେ ଗୋଷ୍ଠୀ ତାଙ୍କୁ ଭଣ୍ଡାରା ସିଟରୁ ପ୍ରାର୍ଥୀ କରିଥିବା ବେଳେ ସେ ବିଜୟୀ ମଧ୍ୟ ହୋଇଛନ୍ତି। ମହାୟୁତୀ କ୍ୟାବିନେଟରେ ନରେନ୍ଦ୍ରଙ୍କୁ ସ୍ଥାନ ମିଳିନାହିଁ ବୋଲି ଜାଣିବା ପରେ ସେ ଆଜି ମଧ୍ୟାହ୍ନରେ ଶିବସେନା ସିନ୍ଦେ ଗୋଷ୍ଠୀର ପଦବୀରୁ ଇସ୍ତଫା ଦେଇଛନ୍ତି।
ଜନ୍ମ ଭଣ୍ଡାରା ନିର୍ବାଚନମଣ୍ଡଳିରେ ଜନ୍ମଗ୍ରହଣ କରିଥିବା ନରେନ୍ଦ୍ର ଭୋଣ୍ଡେକର ସ୍ଥାନୀୟ ଅଞ୍ଚଳରେ ଜଣେ ଉଚ୍ଚଶିକ୍ଷିତ ଯୁବକ ଭାବେ ବେଶ୍ ଜଣାଶୁଣା। ନରେନ୍ଦ୍ର ତାଙ୍କ ନିର୍ବାଚନମଣ୍ଡଳିରେ ବିକାଶ କାର୍ଯ୍ୟ ନିମନ୍ତେ ବେଶ୍ ଲୋକପ୍ରିୟ । ନରେନ୍ଦ୍ର ୨୦୦୯ ମସିହାରେ ପ୍ରଥମ ଥର ଭଣ୍ଡାରା ବିଧାନସଭା ଆସନରୁ ଶିବସେନା ଟିକେଟରେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ।