ମୁମ୍ବାଇ: ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାବିସଙ୍କ କ୍ୟାବିନେଟ୍ ସମ୍ପ୍ରସାରିତ ହୋଇଛି। ନାଗପୁରରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ବିଜେପି, ଶିବସେନା ଓ ଏନସିପି ମନ୍ତ୍ରୀମାନେ ଆଜି ଶପଥ ନେଇଛନ୍ତି।
ସୂଚନା ଅନୁଯାୟୀ, ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଆଜି ୩୯ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଏବଂ ଦୁଇ ଉପ-ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାୱାର ଉପସ୍ଥିତ ଥିଲେ। ମନ୍ତ୍ରୀମଣ୍ଡଳ ଭାଗବଣ୍ଟା ମଧ୍ୟ ସରିଛି ଏବଂ ଆଜି ରାତି ସୁଦ୍ଧା ପୋର୍ଟଫୋଲିଓ ତାଲିକା ପ୍ରକାଶ ପାଇବ ବୋଲି କୁହାଯାଉଛି। ଏହି ମନ୍ତ୍ରୀ ପରିଷଦର କାର୍ଯ୍ୟକାଳ ମାତ୍ର ଅଢ଼େଇ ବର୍ଷ ରହିବ।
ଅନେକଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିବା ବେଳେ କିଛି ପୁରୁଣା ସ୍ଥାନ ନପାଇବାରୁ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଶିବେନ୍ଦ୍ର ରାଜେ ଭୋଂସଲେଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ଏହା ପୂର୍ବରୁ ଅନେକ ବରିଷ୍ଠ ନେତା ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପୂର୍ବତନ ବିଜେପି ନେତା ଗୋପୀନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମୁଣ୍ଡେ ମଧ୍ୟ ରବିବାର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଚନ୍ଦ୍ରଶେଖର ବାୱନକୁଲେଙ୍କୁ ମଧ୍ୟ ମହାରାଷ୍ଟ୍ରର ନୂଆ ସରକାରରେ ମନ୍ତ୍ରୀ କରାଯାଇଛି। ବିଜେପି ନେତା ଗଣେଶ ନାଏକ, ଶିବସେନା ନେତା ଦାଦାଜୀ ଓ ସଞ୍ଜୟ ରାଠୋର ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଅନ୍ୟପଟେ ମନ୍ତ୍ରୀପଦ ନ ମିଳିବାକୁ ନେଇ ଶିବସେନା ବିଧାୟକ ନରେନ୍ଦ୍ର ଭୋଣ୍ଡେକର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି।
ତେବେ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ମାନଙ୍କ ସମେତ ମୋଟ ୪୩ ଜଣ ମନ୍ତ୍ରୀ ରହିବାର ବ୍ୟବସ୍ଥା ଅଛି। ଏଥିରେ ବିଜେପିରୁ ୨୦, ଶିବସେନାରୁ ୧୩ ଓ ଏନସିପିରୁ ୧୦ଜଣ ରହିବେ ବୋଲି ନିଷ୍ପତ୍ତି ହୋଇଥିବା କୁହାଯାଉଛି। ତେବେ ଶିବସେନା ହାତେଇବାକୁ ଚାହୁଁଥିବା ଗୃହ ବିଭାଗ ବିଜେପି ହାତରେ ରହିପାରେ। ଏହାସହ ବିଜେପି ଗୃହ, ରାଜସ୍ୱ, ଜଳସେଚନ ଏବଂ ଶିକ୍ଷା ବିଭାଗକୁ ନିଜ ପାଖରେ ରଖିପାରେ ବୋଲି ଚର୍ଚ୍ଚା ହେଉଛି।