ଭୁବନେଶ୍ୱର: ମଣିଷ ଭଳି ବାଘର ବି ସାଥୀ ଦରକାର, ସେ ରହୁଥିବା ସ୍ଥାନ ନିଜ ପସନ୍ଦକୁ ଆସୁଥିବା ଦରକାର । ସେ ଜଙ୍ଗଲରେ ରହୁଥିଲେ ବି ମଣିଷଙ୍କ ଭଳି ଏକାଠି ରହିବାକୁ ପସନ୍ଦ କରେ। ନିକଟରେ ମହାରାଷ୍ଟ୍ରରୁ ଆସିଥିବା ୨ ମହାବଳ ବାଘୁଣୀ ଶିମିଳିପାଳ ଅଭୟାରଣ୍ୟ ଛାଡ଼ି ପଳାଇବା ଘଟଣାରୁ ସ୍ପଷ୍ଟ ହେଉଛି। ୮ ଦିନ ତଳେ ବାଘୁଣୀ ଜିନ୍ନତ ଶିମିଳିପାଳ ଛାଡ଼ି ପଳାଇଥିଲା। ହେଲେ ଏବେ ବାଘୁଣୀ ଯମୁନା ମଧ୍ୟ ତାକୁ ଖୋଜି ଖୋଜି ଶିମିଳିପାଳ ଅଭୟାରଣ୍ୟ ଛାଡି ପଳାଇଛି । ଯମୁନା କୁଲଡିହା ଅଭ୍ୟାରଣ୍ୟକୁ ପଳାଇଛି । ସେପଟେ ଝାଡ଼ଖଣ୍ଡରେ ଥିବା ଜିନ୍ନତ ୪ ଦିନ ହେବ ଶିକାର କରି ଖାଇନି । ଭାବନ୍ତୁ ତ ଯେତେବେଳେ ଆପଣଙ୍କୁ ପସନ୍ଦ ଆସୁନଥିବା ସ୍ଥାନରେ ରଖାଯିବ ଏବଂ ଆପଣଙ୍କ ସାଥୀ ଠାରୁ ଅଲଗା କରିଦିଆଯିବ ସେତେବେଳେ ଆପଣଙ୍କୁ କେମିତି ଅନୁଭବ ହେବ ? ଠିକ୍ ଏମିତି ଏହି ଦୁଇ ବାଘ ନିକଟରେ ଦେଖାଯାଇଛି। ଝାଡ଼ଖଣ୍ଡରେ ଥିବା ଜିନ୍ନତ ୪ ଦିନ ହେବ ଶିକାର କରି ଖାଇନଥିବାରୁ ଦୁର୍ବଳ ହୋଇଗଲାଣି । ଏଭଳି ସ୍ଥିତିରେ ତାକୁ ଟ୍ରାଙ୍କୁ ଲାଇଜ୍ କରାଯିବ କି ନାହିଁ ଚିନ୍ତା କରୁଛି ବନ ବିଭାଗ । ବନ୍ୟପ୍ରାଣୀ ତତ୍ୱାବଧାରକଙ୍କ କହିବା କଥା ୨ ବାଘୁଣୀଙ୍କ ପସନ୍ଦଯୋଗ୍ୟ ହୋଇପାରୁନି ଶିମିଳିପାଳ ଅଭୟାରଣ୍ୟ । ମହାରାଷ୍ଟ୍ରର ତଡବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ସମତଳ ଜଙ୍ଗଲରେ ଜିନ୍ନତ ଓ ଯମୁନା ରହି ଶିକାର କରୁଥିଲେ । ତେବେ ଶିମିଳିପାଳର ବଣପାହାଡଘେରା ଜଙ୍ଗଲରେ ସେ ନିଜକୁ ଖାପଖୁଆଇ ପାରୁନାହାନ୍ତି ।
ଗତ ୮ ତାରିଖ ରବିବାର ରାତିରେ ମହାରାଷ୍ଟ୍ରରୁ ଅଣାଯାଇଥିବା ମହାବଳ ବାଘୁଣୀ ଜିନ୍ନତ ପଳାଇ ଝାଡଖଣ୍ଡ ଜଙ୍ଗଲରେ ରହୁଛି । ଜିନ୍ନତକୁ ଫେରାଇ ଆଣିବା ପାଇଁ ଏସ୍ଟିଆର୍ କର୍ତ୍ତୃପକ୍ଷ ନୟାନ୍ତ ହେଉଥିବା ବେଳେ ଏବେ ଯମୁନା ପଳାଇବା ମୁଣ୍ଡବ୍ୟଥା ବଢ଼ାଇ ଦେଇଛି । ଜିନ୍ନତ ପୂର୍ବରୁ ଯମୁନା ଆସିଥିଲା ଶିମିଳିପାଳ । ହେଲେ ଏଠାକାର ପରିବେଶ ଦୁଇ ବାଘୁଣୀ ପାଇଁ ଅନୁକୂଳ ହେଉ ନଥିବାରୁ ସେମାନେ ନିକଟସ୍ଥ ଜଙ୍ଗଲକୁ ପଳାଇଥିବା ଅନୁମାନ କରାଯାଇଛି । ଜିନ୍ନତ ଏବେ ଶିମିଳିପାଳ ଅଭୟାରଣ୍ୟରୁ ୪୦ କିମି ଦୂରରେ ଅଛି । ଏସ୍ଟିଆର୍ ପ୍ରକଳ୍ପର ତାଲିମପ୍ରାପ୍ତ କର୍ମଚାରୀ ଓ ଅଧିକାରୀଙ୍କ ତିନୋଟି ଟିମ୍ ସହ ମୋଟ ୧୫ କର୍ମଚାରୀ ତାକୁ ଜଗି ରହିଛନ୍ତି । ଶିମିଳିପାଳରୁ ଯିବା ପରେ ଏପର୍ଯ୍ୟନ୍ତ ସେ ଶିକାର କରିନାହିଁ । ୭୨ ଘଣ୍ଟା ଧରି ରାଜାବସା ଜଙ୍ଗଲରେ ରହିଛି । ଟ୍ରାଙ୍କୁଲାଇଜ କରି ଶିମିଳିପାଳ ଫେରାଇ ଆଣିବାକୁ ଚିନ୍ତା କରାଯାଉଥିଲେ ମଧ୍ୟ ଏହା ଏତେ ସହଜ ପ୍ରକ୍ରିୟା ନୁହେଁ । ୪ ଦିନ ଧରି ଜିନ୍ନତ କିଛି ଖାଉ ନଥିବାରୁ ଦିନକୁ ଦିନ ଦୁର୍ବଳ ହେଉଛି । ଏଭଳି ଅବସ୍ଥାରେ ଟ୍ରାଙ୍କୁଲାଇଜ କରିବା ସୁରକ୍ଷିତ ନୁହେଁ । ଜିନ୍ନତକୁ ଫେରାଇ ଆଣିବାକୁ ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
ସେପଟେ ବାଘୁଣୀ ଯମୁନା ଗତ ରବିବାର ରାତିରେ କପ୍ତିପଦା ରେଞ୍ଜ ଶରତ ନିକଟସ୍ଥ ଝିଙ୍କପାହାଡି ଦେଇ ପାର ହୋଇ କୁଳଡିହା ଅଭୟାରଣ୍ୟରେ ପହଂଚିଛି । ଶିମିଳିପାଳ ଅଭୟାରଣ୍ୟ କୋରିଡରୁ ପାଖାପାଖି ୨୦ ରୁ ୨୫କିମି ଦୂରରେ ତାର ଅବସ୍ଥିତି ଥିବା ଜଣାପଡିଛି । ଯମୁନା ପାଇଁ ନିୟୋଜିତ ନୀରିକ୍ଷଣ ଟିମ୍ ତା ଉପରେ ନଜର ରଖିଛନ୍ତି । କପ୍ତିପଦା ଅଞ୍ଚଳରେ ତାର ପାଦଚିହ୍ନ ମଧ୍ୟ ମିଳିଛି । ନଭେମ୍ବର ୯ ତାରିଖରେ ଏନକ୍ଳୋଜରରୁ ଯମୁନାକୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନରେ ଛଡାଯାଇଥିଲା । ପାହାଡିଆ ଜଙ୍ଗଲରେ ଯମୁନା କିଛି ଦିନ ଧରି ନିଜର ଟେରିଟୋରିଆଲ ବା ବାସସ୍ଥାନ ପ୍ରସ୍ତୁତି କରିବାରେ ଲାଗିଥିଲା । ମାତ୍ର ସମତଳ ଜଙ୍ଗଲରୁ ଆସି ପାହାଡିଆ ଜଙ୍ଗଲରେ ନିଜକୁ ଖାପଖୁଆଇବା ପାଇଁ କୋର୍ ଅଞ୍ଚଳ ସୀମାନ୍ତରେ ଘୁରି ବୁଲିଥିଲା । କପ୍ତିପଦା ରେଞ୍ଜ ଅଞ୍ଚଳରେ ବାଘ ପାଦ ଚିହ୍ନକୁ ନେଇ ଲୋକେ ଆତଙ୍କିତ ହେବା ପରେ ବନବିଭାଗର କର୍ମଚାରୀମାନେ ଯମୁନାର ଗତିବିଧି ଉପରେ ନଜର ରଖିଥିଲେ ।
କୁହାଯାଉଛି କି ଦୁଇ ବାଘୁଣୀଙ୍କୁ ଛାଡିବା ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟର ଜଳବାୟୁ ପରିବେଶ ଏବଂ ବନ୍ୟଜନ୍ତୁଙ୍କ ସହ ଖାପଖୁଆଇବା ଅତ୍ୟନ୍ତ ଆବଶ୍ୟକତା ରହିଥିଲା । ଏପରିକି ଏନକ୍ଲୋଜରର ପରିସୀମା ବୃଦ୍ଧି କରାଯିବାର ଥିଲା । ଏଥିପାଇଁ ବନବିଭାଗ ପକ୍ଷରୁ କୌଣସି ପ୍ରଚେଷ୍ଟା କରାଯାଇ ନାହିଁ । ତରବରିଆ ଭାବେ ମିଶନକୁ ଆରମ୍ଭ କରାଯାଇଥିବାରୁ ଏହା ସଫଳ ହେବାକୁ ନେଇ ଆଶଙ୍କା ଉପୁଜିଛି । ଶିମିଳିପାଳ ଅଭୟାରଣ୍ୟରେ ବାଘର ଜେନେଟିକ ଡାଇର୍ଭସିଟୀ ବା ବଂଶାନୁକ୍ରମିକ ବିବିଧତାକୁ ପରିବର୍ତନ ପାଇଁ ଦୁଇଟି ପର୍ଯ୍ୟାୟରେ ମହାରାଷ୍ଟ୍ରର ତଡବା ଅଭୟାରଣ୍ୟରୁ ଏହି ଦୁଇଟି ମହାବଳ ବାଘୁଣୀ ଅଣାଯାଇଥିଲା ।