Latest Odisha News

BREAKING NEWS

କୁଆଡେ ଗଲା ପୁରୁଣା ୫ ଟଙ୍କିଆ କଏନ ? ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ: ମୁଦ୍ରା ନୀତିର ସଂଚାଳନ କରିଥାଏ ଭାରତୀୟ ରିଜର୍ଭ ବ୍ଯାଙ୍କ (ଆରବିଆଇ)। ଏହି ନୀତି ଅନୁସାରେ ଦେଶରେ ହୋଇଥାଏ ମୁଦ୍ରା ବା କଏନର ଉତ୍ପାଦନ ଓ ପ୍ରଚାଳନ। କେନ୍ଦ୍ର ସରକାରଙ୍କ ଅନୁମତିରେ ଏହି କାମ କରିଥାଏ ଆରବିଆଇ । ୫ ଟଙ୍କିଆ ମୁଦ୍ରାର ପ୍ରଚଳନ ବନ୍ଦ ହୋଇପାରେ। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଆସନ୍ତୁ ଜାଣିବା ଏହି ଖବର ପଛରେ କ’ଣ ରହିଛି ସତ୍ୟତା।

ବର୍ତ୍ତମାନ ଦେଶରେ ଚାଲୁ ରହିଛି ୧ ଟଙ୍କାରୁ ଆରମ୍ଭ କରି ୨୦ ଟଙ୍କା ପର୍ଯ୍ୟନ୍ତ ମୁଦ୍ରାର ପ୍ରଚଳନ। କିନ୍ତୁ ଦୁଇ ପ୍ରକାରର ୫ ଟଙ୍କିଆ କଏନ ଦେଖିବାକୁ ମିଳୁଛି। ଗୋଟିଏ ପିତ୍ତଳ ପରି ଦେଖା ଯାଉଥିବା ବେଳେ ଅନ୍ୟଟି ମୋଟା ଧାତୁରେ ନିର୍ମିତ। ତେବେ ମୋଟା ଧାତୁରେ ନିର୍ମିତ ୫ ଟଙ୍କିଆ ମୁଦ୍ରାର ପ୍ରଚଳନ କମ ହେଉଥିବା ଦେଖିବାକୁ ମିଳୁଛି। ସରକାର ଓ ଆରବିଆଇ ଏହି ମୁଦ୍ରା ଉତ୍ପାଦନରେ ଲଗାଇଛନ୍ତି ରୋକ। ତେବେ ଏହି ମୁଦ୍ରା ଉତ୍ପାଦନକୁ ବନ୍ଦ କରିଛି ଆରବିଆଇ।

କାହିଁକି ବନ୍ଦ ହୋଇଛି ପୁରୁଣା ୫ ଟଙ୍କିଆ କଏନ ?
ଏହି ମୁଦ୍ରାର ଉତ୍ପାଦନ ଖର୍ଚ୍ଚ ଅଧିକ ହେବା କାରଣରୁ ଏହାକୁ ବନ୍ଦ କରିଛନ୍ତି ସରକାର। ଏହି ମୁଦ୍ରାରେ ବ୍ଯବହୃତ ଧାତୁକୁ ତରଳାଇ ରେଜର ବ୍ଲେଡ ଭଳି ଉତ୍ପାଦ ତିଆରି କରାଯାଉଛି। ଗୋଟିଏ ୫ ଟଙ୍କିଆ କଏନରୁ ୪ ରୁ ୫ ଟି ବ୍ଲେଡ ତିଆରି ହୋଇପାରୁଛି। ଯାହାର ବଜାର ମୂଲ୍ୟ ୧୦ ଟଙ୍କାରୁ ଅଧିକ। ଏହାର ଅର୍ଥ ଏହି କଏନରେ ବ୍ଯବହୃତ ଧାତୁର ମୂଲ୍ୟ, ତା’ର ପ୍ରକୃତ ମୂଲ୍ୟ ଠାରୁ ଅଧିକ ଥିଲା। ଏହା ବ୍ୟତୀତ ଏହି ମୋଟା ୫ ଟଙ୍କିଆ କଏନକୁ ବେଆଇନ ଭାବରେ ବାଂଲାଦେଶ ଚାଲାଣ କରାଯାଉଥିଲା। ସେଠାରେ ଏହି ମୁଦ୍ରାକୁ ତରଳାଇ ସେଭିଙ୍ଗ ବ୍ଲେଡରେ ପରିଣତ କରାଯାଉଥିଲା।

କାହିଁକି ଆସିଲା ନୂଆ ୫ ଟଙ୍କିଆ ବ୍ରାସ କଏନ ?
ମୁଦ୍ରା ତସ୍କରି ସମସ୍ୟାର ସମାଧାନ ପାଇଁ ସରକାର ଓ ଆରବିଆଇ, ୫ ଟଙ୍କିଆ ମୁଦ୍ରାର ଧାତୁ ପରିବର୍ତ୍ତନ କରିଛନ୍ତି। ନୂଆ ଭାବରେ ତିଆରି ହୋଇଥିବା ପତ୍ତଳ ରଙ୍ଗର ମୁଦ୍ରାରେ, ଶସ୍ତା ଧାତୁ ବ୍ୟବହାର କରାଯାଉଛି। ଏହି କାରଣରୁ ଏହାକୁ ନେଇ ଅନ୍ୟ ଜିନିଷ ତିଆରି ଅସମ୍ଭବ ହୋଇଛି। ଏହି ପ୍ରସଙ୍ଗରେ ସରକାର ଓ ଆରବିଆଇ କେବଳ ନୂଆ ମୁଦ୍ରା ପ୍ରଚଳନ କରିନାହାନ୍ତି, ବରଂ ମୁଦ୍ରା ତସ୍କରିକୁ ରୋକିବାରେ ସଫଳ ହୋଇଛନ୍ତି।

ବ୍ୟୁରୋ ରିପୋର୍ଟ, ଓଡ଼ିଶା ସମ୍ବାଦ

Leave A Reply

Your email address will not be published.