Latest Odisha News

BREAKING NEWS

କାହିଁକି ପାଳନ କରାଯାଏ ଜାତୀୟ ଗଣିତ ଦିବସ ?

ନୂଆଦିଲ୍ଲୀ: ଆମ ଦେଶରେ ପ୍ରତିଦିନ ଘଟେ କିଛି ବିଶେଷ ଘଟଣା । ସେହିପରି ପ୍ରତିବର୍ଷ ୨୨  ଡିସେମ୍ବରରେ ଦେଶ ପାଳିଥାଏ ଜାତୀୟ ଗଣିତ ଦିବସ। ମହାନ ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ, ଏହି ଦିନ ପାଳନ କରାଯାଏ। ୨୦୧୨  ମସିହାରେ ମସିହାରେ ପ୍ରଥମେ ଭାରତରେ ଏହି ଦିନ ପାଳନ କରାଯାଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଦେଇ ଦିବସ ପାଳନ ପାଇଁ ଘୋଷଣା କରିଥିଲେ।

ଶ୍ରୀନିବାସ ରାମାନୁଜନ କିଏ?
୨୨  ଡିସେମ୍ବର ୧୮୮୭  ରେ ତାମିଲନାଡୁର ଏରୋଡରେ ଜନ୍ମଗ୍ରହଣ କରିଥିଲେ ଶ୍ରୀନିବାସ ରାମାନୁଜନ। ସେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନରୁ ସେ ଗଣିତ ପ୍ରତି ବେଶ ଆଗ୍ରହୀ ଥିଲେ। ୧୨ ବର୍ଷ ବୟସବେଳକୁ ସେ ତ୍ରିକୋଣମିତିରେ ନିପୁଣ ହୋଇ ପାରିଥିଲେ। କୁମ୍ଭକୋଣମ ସରକାରୀ ମହାବିଦ୍ୟାଳୟକୁ ଛାତ୍ରବୃତ୍ତି ପାଇ ସେ ଅଧ୍ୟୟନ ଜାରି ରଖିଥିଲେ ମଧ୍ୟ ଅଣ-ଗାଣିତିକ ବିଷୟ ହେତୁ ଏଠାରେ ସେ ସଫଳ ହୋଇନଥିଲେ। ପରେ ସେ ୧୯୧୩  ମସିହାରେ କେମ୍ବ୍ରିଜ୍ର ଟ୍ରିନିଟି କଲେଜରେ ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ। ଟ୍ରିନିଟି କଲେଜର ଛାତ୍ର ଭାବରେ, ରାମାନୁଜନ ଥିଲେ ପ୍ରଥମ ଭାରତୀୟ। ସେଠାରେ ପାଠପଢା ଶେଷ କରିବା ପରେ, ସ୍ୱାସ୍ଥ୍ୟ ଖରାପ ହେତୁ ୧୯୧୯  ମସିହାରେ ସେ ଭାରତ ଫେରି ଆସିଥିଲେ। ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ, ୨୬  ଏପ୍ରିଲରେ ମାତ୍ର ୩୨  ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା।

ଗଣିତର ଯାଦୁଗର ଥିଲେ ରାମାନୁଜନ
ରାମାନୁଜନ ଗଣିତର ପ୍ରାୟ ୩  ହଜାର  ୯୦୦  ସୂତ୍ର ଆବିଷ୍କାର କରିଥିଲେ। ଏହି ସୂତ୍ରଗୁଡିକ ଆଜି ମଧ୍ୟ ଜଟିଳ ଗଣିତ ସମସ୍ୟାର ସମାଧାନ ପାଇଁ ବ୍ୟବହୃତ ହେଉଛି। ୧୯୧୯  ମସିହାରେ, ସେ ମକ୍ ଥିଟା ଫକ୍ସନ ଆବିଷ୍କାର କରିଥିଲେ। ଏହାବ୍ୟତୀତ, ସେ ପାଏ ସହିତ ଜଡିତ ଅନେକ ସୂତ୍ର ଏବଂ ସମୀକରଣ ସୃଷ୍ଟି କରିଥିଲେ। ସେଗୁଡିକ ପାରମ୍ପରିକ ପଦ୍ଧତି ଠାରୁ ଭିନ୍ନ ଥିଲେ ମଧ୍ୟ ବହୁତ ମାତ୍ରାରେ ସଠିକ୍ ଥିଲା। ବଡ ବଡ ଗଣିତଜ୍ଞ ଯେଉଁ ଗଣିତର ସମାଧାନ ପାଇଁ ଘଣ୍ଟା ଘଣ୍ଟା ସମୟ ନେଉଥିଲେ, ସେହି ଗଣିତକୁ ଖୁବ କମ ସମୟରେ ସମାଧାନ କରି ପାରୁଥିଲେ ରାମାନୁଜନ। ବ୍ରିଟେନର ପ୍ରଫେସର ହାର୍ଡି ତାଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ଗଣିତଜ୍ଞ ଭାବରେ ବିବେଚନା କରିଥିଲେ।

କାହିଁକି ପାଳନ କରାଯାଏ ଜାତୀୟ ଗଣିତ ଦିବସ ?
ବିଶ୍ୱର ସର୍ବଶ୍ରେଷ୍ଠ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କୁ ମନେ ରଖିବାକୁ ଦେଶ ପାଳନ କରିଥାଏ ଜାତୀୟ ଗଣିତ ଦିବସ। ଶ୍ରୀନିବାସ ରାମାନୁଜନଙ୍କୁ ସମ୍ମାନିତ କରିବା ଏବଂ ତାଙ୍କ ଅବଦାନ ବିଷୟରେ ସଚେତନତା ସୃଷ୍ଟି କରିବାକୁ ୨୨  ଡିସେମ୍ବର ଜାତୀୟ ଗଣିତ ଦିବସ ଭାବରେ ଘୋଷଣା କରାଯାଇଥିଲା। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପ୍ରଥମେ ଏହି ଦିବସ ପାଳନର ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଗଣିତ ବିଷୟରେ ସଚେତନତା ସୃଷ୍ଟି କରିବା, ପିଲାମାନଙ୍କ ମଧ୍ୟରେ ଗଣିତ ପ୍ରତି ସଚେତନତା ଏବଂ ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତର ସ୍କୁଲ, କଲେଜ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ଜାତୀୟ ଗଣିତ ଦିବସ ପାଳନ କରାଯାଏ।

ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ

Leave A Reply

Your email address will not be published.