ପାରାଦୀପ: ପାରାଦୀପ ବନ୍ଦରର ପିଆଇସିଟି ବର୍ଥରୁ ୨୨୦ କୋଟି ଟଙ୍କାର କୋକେନ ଜବତ ଘଟଣାରେ ଭିଏତନାମା ଫେରିବେ ଗିରଫ ଜାହାଜ ଏମ୍ ଭି ଦେବୀର କ୍ରିଉ ମେମ୍ବର । ଜାହାଜରେ ଅଛନ୍ତି ୨୧ଜଣ ଭିଏତନାମା ନାଗରିକ । ପ୍ରଥମେ ୧୧ଜଣ ସଦ୍ୟ ନିଜ ଦେଶକୁ ଫେରିବାର ବାଟ ଫିଟିଛି । ସେମାନଙ୍କୁ ଜାହାଜକୁ ଯିବା ପାଇଁ କଷ୍ଟମ୍ସ ଓ ଇମିଗ୍ରେସନ ବିଭାଗର କ୍ଲିୟରାନ୍ସ ମିଳିଛି। ମାତ୍ର ଏହି କ୍ରିଉ ମେମ୍ବର ସ୍ଵଦେଶ ଯିବା ଘଟଣାକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଥିବା ବେଳେ କଷ୍ଟମ୍ସ ବିଭାଗ ର କ୍ଲିୟରାନ୍ସ କୁ ସମାଲୋଚନା କରିଛନ୍ତି ପାରାଦ୍ଵୀପ ବାସୀ।
ଗତବର୍ଷ ନଭେମ୍ବର ୩୧ ତାରିଖରେ ଏହି ଜାହାଜ ରୁ ମିଳିଥିଲା ୨୨୦ କୋଟି ଟଙ୍କାର କୋକେନ। ଜାହାଜ ଟି ଭିଏତନାମ ରୁ ବାହାରି ସ୍ପେନ ଓ ଇଣ୍ଡୋନେସିଆ ବନ୍ଦର ଦେଇ ପାରାଦ୍ଵୀପ ବନ୍ଦରର ଏକ ପ୍ରାଇଭେଟ୍ ପିଆଇସିଟି ବର୍ଥ ରେ ଲାଗିଥିଲା। ଏଥିରେ ଷ୍ଟିଲ ପ୍ଲେଟ ଲୋଡିଂ ହୋଇ ଡେନମାର୍କ ବନ୍ଦରକୁ ଯାଇଥାନ୍ତା। ମାତ୍ର ଷ୍ଟିଲ ପ୍ଲେଟ ଲୋଡିଂ ସମୟରେ ଏଥିରୁ ପୋଲିସ ଜବତ କରିଥିଲା ୨୨ ଟି ପ୍ୟାକେଟ କୋକେନ। ଏହି କୋକେନ ଘଟଣା ସାରା ଭାରତବର୍ଷରେ ଆଲୋଡନ ସୃଷ୍ଟି କରିଥିଲା। କଷ୍ଟମ୍ସ ବିଭାଗ ଏହି ଘଟଣାର ଯାଞ୍ଚ୍ ଓ ତଦନ୍ତ ଦାୟିତ୍ୱ ନେଇଥିଲା। ମାତ୍ର କଷ୍ଟମ୍ସ ବିଭାଗର ତଦନ୍ତ ରିପୋର୍ଟରେ ଜାହାଜକୁ କୋକେନ ଆସିବା ଘଟଣାରେ ଜାହାଜର କୌଣସି ସଦସ୍ୟ ସମ୍ପୃକ୍ତ ନଥିବା ଦର୍ଶାଯାଇଛି। ଏହାକୁ ଆଧାରକରି ମାନ୍ୟବର ଅଦାଲତ ଜାହାଜର ସମସ୍ତ ୨୧ ସଦସ୍ୟ ନିଜ ଦେଶ ଭିଏତନାମ କୁ ଫେରିଯିବା ପାଇଁ ଅନୁମତି ଦେଇଛନ୍ତି।
କୋକେନ ଜବତ ପରେ ଜାହାଜ ଏମ ଭି ଦେବୀ ପାନାମାକୁ ମାନ୍ୟବର ହାଇକୋର୍ଟ ଗିରଫ କରିବାକୁ ନିର୍ଦ୍ଦେଶ ଦେବା ସହିତ ସମସ୍ତ ସଦସ୍ୟଙ୍କ ଫୋନ୍, ଲାପଟପ୍ ଓ ଯୋଗାଯୋଗ ସାମଗ୍ରୀକୁ ଜବତ କରିବାକୁ ନିର୍ଦ୍ଧେଶ ଦେଇଥିଲେ। ଫଳରେ ବର୍ଷେ ହେବ ସେମାନେ ସେମାନଙ୍କ ପରିବାର କିମ୍ବା ନିଜ ଦେଶ ସହିତ ଯୋଗାଯୋଗରେ ନଥିଲେ । ବନ୍ଦରର ଆଙ୍କରେଜ ଏରିଆରେ ଜାହାଜ ରହୁଥିବାରୁ ସ୍ଥଳଭାଗ କୁ ମଧ୍ୟ ଆସିପାରୁନଥିଲେ। ତେବେ ମାନ୍ୟବର ଅଦାଲତଙ୍କ ନିର୍ଦେଶ ମିଳିବା ପରେ ୧୧ ଜଣ ନୂଆ କର୍ମଚାରୀ ଜାହାଜ ଏମ୍ ଭି ଦେବୀ ପାନାମା ରେ ଚଢିଥିବା ବେଳେ ୧୧ ଜଣ ସଦସ୍ୟ ନିଜ ଦେଶକୁ ଫେରିଯିବା ପାଇଁ ଜାହାଜରୁ ବାହାରିଛନ୍ତି।
ଅନ୍ୟ ୧୦ ଜଣ ସଦସ୍ୟ ଙ୍କ ଭିସା ଅବଧି ସରିଯାଇଥିବାରୁ ସେମାନେ ଭିସା କ୍ଲିୟରାନ୍ସ ପାଇବା ପର୍ଯ୍ୟନ୍ତ ଜାହାଜରେ ରହିବେ ବୋଲି ସୂଚନା ମିଳିଛି। ତେବେ ଏଥିପାଇଁ ଭିଏତନାମ ଆମ୍ବାସି ସହିତ ଯୋଗାଯୋଗ କରାଯାଉଛି, ସେଠାରୁ ଭିସା ରେନ୍ବାଲ ହେବା ପରେ ସେମାନେ ଭିଏତନାମ ଫେରିବାରେ କୈାଣସି ଅସୁବିଧା ହେବ ନାହିଁ ବୋଲି ଆଇନଜୀବୀ ପ୍ରକାଶ କରିଛନ୍ତି। ସେପଟେ କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ସ୍ଥାନୀୟ ଲୋକେ । ଯଦି ଜାହାଜ କର୍ମଚାରୀ ଏଥିରେ ସମ୍ପୃକ୍ତ ନୁହଁନ୍ତି, ତେବେ ଜାହାଜକୁ କୋକେନ କେଉଁଠୁ ଆସିଲା, କିଏ ଆଣିଥିଲା ଏବଂ କେଉଁଠି କୁ ଯାଇଥାନ୍ତା ତାହାର ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କରିଛନ୍ତି ପାରାଦୀପ ବାସୀ।