Latest Odisha News

BREAKING NEWS

Year Ender 2024: ୨୦୨୪ରେ ଓଲିଉଡ, ସଂଘର୍ଷ ବେଶୀ ସଫଳତା କମ୍

ଭୁବନେଶ୍ବର: ଓଲିଉଡ, ଓଡିଆ ସିନେମାର ସଂସାର । ଏବେ ନୂଆ ସ୍ବାଦ ଚାଖୁଛି । ପୁଣି ଓଡିଆ ସିନେମା ପାଇଁ ପ୍ରେକ୍ଷାଳୟ ମୁହାଁ ହେଉଛନ୍ତି ଦର୍ଶକ । ଗତ ଦୁଇ ବର୍ଷ ହେବ ଓଡିଆ ସିନେମା ପ୍ରତି ଦର୍ଶକ ମୁହାଁଇ ଥିବାବେଳେ ଏବେ ମତାନ୍ତର ମନାନ୍ତର, ବିବାଦ, ସଂଘର୍ଷ ଆଉ କିଛି ସଫଳତା ଭିତରେ ୨୦୨୪କୁ ବିଦାୟ ଦେବାକୁ ଯାଉଛି ଓଲିଉଡ । ତେବେ ୨୦୨୪ ଓଲିଉଡ ପାଇଁ ଅନେକ ଉତ୍ଥାନପତନ ଆଣିଦେଇଛି । ଏବେ ବି ସଂଘର୍ଷ ପଥରେ ଥିବା ଓଲିଉଡ ଚଳିତ ବର୍ଷ ଅନେକ ବାବବିବାଦ ଦେଇ ଗତିକରିଥିବା ବେଳେ ଦର୍ଶକଙ୍କୁ ଭେଟି ଦେଇଛି ଅନେକ ହୃଦୟସ୍ପଶୀ ସିନେମା । ଯାହା ଓଲିଉଡ ଦୁନିଆରେ ଆଶାର କିରଣ ଜଗାଇଛି ।

ଦର୍ଶକଙ୍କୁ ଟାଣିଛି ପାବାରରୁ ପରବ

ଓଲିଉଡ୍ ଚକଲେଟ୍ ହିରୋ ବାବୁସାନଙ୍କ ସିନେମା ଦମନରୁ ନିଜର ପୁନଃଜୀବନ ଆରମ୍ଭ କରିଥିବା ଓଲିଉଡ ସିନେମା ଏବେ ପିଣ୍ଡରେ ପୁଣି ଇନ୍ଧନ ଭରୁଛି । ପୁଣି ମାଟିର କଥାକୁ ନେଇ ଦର୍ଶକଙ୍କ ମନ ଛୁଇଁବାକୁ ପ୍ରଚେଷ୍ଟା ଜାରି ରଖିଛି । ଆଉ ସେହି ପ୍ରଚେଷ୍ଟାରେ ଚଳିତ ବର୍ଷ ସିନେମାତ ଅନେକ ବନିଛି ହେଲେ ସେଥିମଧ୍ୟରୁ ହାତଗଣତି କିଛିଟା ସଫଳତାର ସ୍ବାଦ ଚାଖିଛି । ସେଥିମଧ୍ୟରୁ ବାବୁସାନଙ୍କ ଅଭିନୀତ ପାବାର୍ ପୁଣି ଦର୍ଶକଙ୍କ ମନ ଛୁଇଁଥିଲା । ରଜ ବଜାରରେ ଓଡ଼ିଆ ବାସ୍ନା ଥିବା ଏହି ଫିଲ୍ମର କାହାଣୀ ଓ ସମସ୍ତ ଗୀତ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା । ରାଜନୈତିକ ପାଓ୍ବାର ପର୍ଯ୍ୟବେସିତ ସିନେମା ପାବାରରେ ବାବୁସାନଙ୍କ ସହ ଅଭିନେତ୍ରୀ ଏଲିନାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ଦେଖିବାକୁ ବିଭିନ୍ନ ପ୍ରେକ୍ଷାଳୟରେ ଦର୍ଶକଙ୍କ ଭିଡ ଜମିଥିଲା । ବେଶୀକରି ପାବାରର ନାଲିଶାଢ଼ି ଓ ଲାଲ୍ ଟହ ଟହ ଗୀତରେ ହଲ୍ରେ ଝୁମିଥିଲେ ଦର୍ଶକ ।

କୁହୁଡି ସହ ଫେରିଲେ ଅନୁଭବ

ରାଜନୀତିରେ ପାଦ ଥାପିବା ପରେ ବେଶ୍ କିଛି ଦିନ ସିନେମା ଠାରୁ ଦୂରାଇଥିବା ଓଲିଉଡ ସୁପରାଷ୍ଟାର ଅନୁଭବ ମହାନ୍ତି ପୁଣି ଚଳିତ ବର୍ଷ ସିନେମା ଦୁନିଆରେ ପାଦ ଥାପିଥିଲେ । ଆଉ ଦର୍ଶକକଙ୍କୁ ଭେଟିଦେଇଥିଲେ ହିଟ୍ ସିନେମା କୁହୁଡି । ଏକ ସତ୍ୟ ଘଟଣା ଉପରେ ଆଧାରିତ ସିନେମା କୁହୁଡି ବାପା ଝିଅର ସଂପର୍କରେ ଆସିଥିବା ଏକ କଳୁଷିତ ଛିଟାର କାହାଣୀଥିଲା । ଯେଉଁଥିରେ ଆଡଭୋକେଟ୍ ଚରିତ୍ରରେ ସବୁ ସତ ଉପରୁ ପରଦା ହଟାଇଥିଲେ ଅନୁଭବ । ଯାହାର ସପପେନ୍ସ ସେତେବେଳେ ଦର୍ଶକଙ୍କୁ ବେଶ୍ ବାନ୍ଧିକି ରଖିଥିଲା । ଏହାପରେ ପୁଣି ଏହି ନିକଟ ଅତୀତରେ ଏକ ମଲ୍ଟିଷ୍ଟାରକାଷ୍ଟ ସିନେମା କର୍ମରେ ନିଜର ଯାଦୁ ଦେଖାଇଥିଲେ ଅନୁଭବ । ଆଉ ଏହି ସମପେନ୍ସ ଥ୍ରିଲର ସିନେମା କର୍ମ ପୁଣି ଓଡିଆ ସିନେମାକୁ ଏକ ନୂଆ ରାହା ଦେଇଛି । ଯାହା କୋଟି କୋଟିରେ ରୋଜଗାର କରିଥିବା ବେଳେ ପୁଣି ଆଧୁନିକ ସିନେମାର ଏକ ନୂଆ ସ୍ପର୍ଶ ଦେଇଥିଲା ।

ଫେରିଥିଲା ରାଜ୍ୟ ପୁରସ୍କାର

ତେବେ ୨୪ର ବିବାଦ ଏବଂ ବ୍ୟବସାୟ ଭିତରେ ଓଡିଆ ସିନେମାରେ ଏକ ଶୁଭଙ୍କର ଘଟଣା ଘଟିଥିଲା । ତାହା ଥିଲା ପ୍ରାୟ ୫ ବର୍ଷ ବ୍ୟବଧାନ ପରେ ଏ ବର୍ଷର ଶେଷ ଆଡ଼କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୨୦, ୨୦୨୧ ଓ ୨୦୨୨ ବର୍ଷର ପୁରସ୍କାର ଚଳିତ ବର୍ଷ ପ୍ରଦାନ କରାଯାଇଥିଲା ।। ଯେଉଁଥିରେ ଓଡିଆ ସିନେମାର ରିଭୋଲ୍ୟୁସନ ୨୦୨୨ର ଚଳଚ୍ଚିତ୍ର ଦମନ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଥିଲା । ଏଥିସହିତ ୨୦୨୦ରେ ବିଶ୍ବନାଥ ପଟ୍ଟନାୟକଙ୍କ ‘ସହିଦ ରଘୁ ସର୍ଦ୍ଦାର’, ୨୦୨୧ପାଇଁ ଅନୁପମ ପଟ୍ଟନାୟକଙ୍କ ‘ପ୍ରତୀକ୍ଷା’ ଓ ଅତୀଶ କୁମାର ରାଉତଙ୍କ ‘ଡାଲ୍ଚିନି’ ସିନେମାକୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।

ଶେଷରେ ଶତକ ମାରିଲା ପରବ

୨୦୨୪ର ବୟସ ସରି ସରି ଆସୁଥିବା ବେଳେ ବିନା ପର୍ବରେ ଗତ ୨୦ ତାରିଖରେ ସିନେମା ହଲକୁ ଆସିଛି ଓଡିଆ ମାଟିର ନିଚ୍ଛକ କାହାଣୀ ସିନେମା ପରବ । ଯାହାର ଟ୍ରେଲର ଦେଖି ଦର୍ଶକଙ୍କ ରୁମ ଟାଙ୍କୁରି ଉଠିଥିଲା । ଆଉ ସିନେମା ହଲରେ ପଡିବା ପରେ ମଧ୍ ଭଲ ରେସପନ୍ସ ଦେଇଛନ୍ତି ଦର୍ଶକ । ଦୁଇଟି ରାଜ୍ୟ, ଭାଷା ଓ ସଂସ୍କୃତିର ଦୀର୍ଘକାଳୀନ ବିବାଦକୁ ଏକ ସିନେମା ମାଧ୍ୟରେ ବଖାଣିଛି ପରବ । ଯାହା ‘ପରବ’ କେବଳ ଏକ ଚଳଚ୍ଚିତ୍ର ନୁହେଁ – ଏହା ଧୈଯ୍ୟ ଏବଂ ମନୁଷ୍ୟତାର ଏକ ଯାତ୍ରା ଏବଂ ବସୁଧୈବ କୁଟୁମ୍ବକମର ଭାବନାକୁ ପ୍ରତିପାଦିତ କରୁଛି ବୋଲି ଏଥିରେ ଦର୍ଶାଯାଇଛି । ତେବେ ସବୁଠୁ ବଡ କଥା ହେଉଛି ପ୍ରଥମ ଥର ପାଇଁ କୌଣସି ପାନ୍ ଇଣ୍ଡିଆ ଷ୍ଟୁଡିଓ ସହ ହାତ ମିଳାଇ ଓଡିଆ ସିନେମା ପ୍ରସ୍ତୁତ କରାଯାଇଛି । ଯାହା ଓଲିଉଡ ଜଗତକୁ ଆହୁରି ପ୍ରଶସ୍ତ କରିବାରେ ସହାୟକ ହେବ ।

୨୪ରେ ସଂଘର୍ଷ ବେଶୀ ସଫଳତା କମ୍

ତେବେ କିଛି ହାତଗଣତି ସିନେମାର ସଫଳତା ପରେ ଯେ ଓଡିଆ ସିନେମା ୨୪ରେ ନିଜର ଦମଦାର ପ୍ରଦର୍ଶନ ଦେଖାଇଛି କି ଏବେ ପୁଣି ଟ୍ରାକକୁ ଫେରିଛି ତାହା କହିବା ଠିକ୍ ହେବ ନାହିଁ । କାରଣ ଚଳିତ ବର୍ଷ ସିନେମାର ବ୍ୟବସାୟ ଠାରୁ ବିବାଦ ବେଶୀ । କେତେବେଳେ ଅଭିନେତା ପ୍ରଯୋଜକ କଳି, ଆଉ କେତେବେଳେ ପଶ୍ଚିମ ଓଡିଶା ଉତ୍ତର ଓଡିଶା କଳି ବାରମ୍ବାର ଓଡିଶାବାସୀଙ୍କ ମୁଖରେ ସମାଲୋଚିତ ହୋଇଛି ଓଡିଆ ସିନେମା । ଚଳିତ ବର୍ଷ ଓଡିଆ ସିନେମାରେ ଗୋଡ ଟଣା ନୀତି ବେଶୀ ଦେଖିବାକୁ ମିଳିଥିଲା । ପରସ୍ପରର ସିନେମାକୁ ବିରୋଧ କରିବା, ସିନେମାକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ସିନେମା ଠାରୁ ଅଧିକ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଯାହାର ଫଳ ସ୍ବରୂପ ଧିରେ ଧିରେ କିଛି ଭଲ ସିନେମା ଦେଇ ଟ୍ରାକକୁ ଫେରୁଥିବା ଓଡିଆ ସିନେମା ଏବେ ପୁଣି ଡିରେଲ୍ ହେବା ଭଳି ସ୍ଥିତି ଉପୁଜିଛି । ବେଶ୍ ସମୟ ଧରି ସଂଘର୍ଷ ପରେ ଗତ ଦୁଇ ବର୍ଷ ହେବ ଓଡିଆ ସିନେମା ପ୍ରତି ଦର୍ଶକ ମୁହାଁଇ ଥିବା ବେଳେ ୨୪ରେ ସଂଘର୍ଷ ବେଶୀ ଆଉ ସଫଳତା କମ୍ ଦେଖିବାକୁ ମିଳିଛି ।

Leave A Reply

Your email address will not be published.