ନୁଆଦିଲ୍ଲୀ: ବଡ ଧରଣର ଏୟାର ଷ୍ଟ୍ରାଇକ । ଚାଲିଗଲା ୧୫ ଜଣଙ୍କ ଜୀବନ । ସମ୍ପ୍ରତି ଆତଙ୍କବାଦୀ ଘଟଣା ଯୋଗୁଁ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ତିକ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଆଉ ଏହାରି ଭିତରେ ଏବେ ଆଫଗାନିସ୍ତାନ ଉପରେ ଏକ ବଡ ଧରଣର ଏୟାର ଷ୍ଟ୍ରାଇକ୍ କରିଛି ପାକିସ୍ତାନ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ ମଙ୍ଗଳବାର ରାତିରେ ଏହି ଆକ୍ରମଣ କରିଛି ପାକିସ୍ତାନ । ପାକିସ୍ତାନର ଏହି ଏୟାର ଷ୍ଟ୍ରାଇକରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ କିଛି ମହିଳା ଏବଂ ଶିଶୁ ମଧ୍ୟ ଥିବା ନେଇ ସୂଚନା ମିଳିଛି ।
ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରେ ଲୁଚି ରହିଥିବା ପାକିସ୍ତାନୀ ତହରିକ-ଏ-ତାଲିବାନର ଆତଙ୍କବାଦୀଙ୍କୁ ଟାର୍ଗେଟ କରିବା ପାଇଁ ପାକିସ୍ତାନ ଏହି ଏୟାର ଷ୍ଟ୍ରାଇକ କରିଥିଲା। ଏହି ଆକ୍ରମଣରେ ଲାମନ ସମେତ ୭ଟି ଗାଁକୁ ଟାର୍ଗେଟ କରାଯାଇଥିଲା। ଏହି ଆକ୍ରମଣରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି।ଏୟାର ଷ୍ଟ୍ରାଇକରେ ଉକ୍ତ ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଛି ।
ପାକିସ୍ତାର ସୁରକ୍ଷା ଅଧିକାରୀଙ୍କ କହିବା ଅନୁସାରେ ପାକିସ୍ତାନ ଗତ ମଙ୍ଗଳବାର ଦିନ ଅତ୍ୟାଧୁନିକ ଏୟାର ଷ୍ଟ୍ରାଇକରେ ପଡୋଶୀ ଆଫଗାନିସ୍ତାନରେ ଥିବା ଅନେକ ସନ୍ଦିଗ୍ଧ ପାକିସ୍ତାନୀ ତାଲିବାନ ଆତଙ୍କୀଙ୍କୁ ଟାର୍ଗେଟକୁ କରାଯାଇଛି । ସେମାନଙ୍କର ଗୋଟିଏ ତାଲିମ କେନ୍ଦ୍ରକୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କରିବା ସହ କିଛି ବିଦ୍ରୋହୀ ପ୍ରାଣ ହରାଇଛନ୍ତି । ପାକିସ୍ତାନ ସୀମାବର୍ତ୍ତୀ ପକ୍ତିକା ପ୍ରଦେଶର ଏକ ପାର୍ବତ୍ୟ ଅଞ୍ଚଳରେ ଏହି ଆକ୍ରମଣ କରାଯାଇଛି।
ସେପଟେ କାବୁଲରେ ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପାକିସ୍ତାନର ଏୟାର ଷ୍ଟ୍ରାଇକକୁ ନିନ୍ଦା କରିଛି । ଆଫଗାନିସ୍ତାନ କହିଛି ଯେ, ଏହି ବିସ୍ଫୋରଣରେ ମହିଳା ଓ ଶିଶୁ ସମେତ ସାଧାରଣ ନାଗରିକଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି। ଆହତମାନଙ୍କ ମଧ୍ୟରୁ ଅଧିକାଂଶ ୱାଜିରିସ୍ତାନ ଅଞ୍ଚଳର ଶରଣାର୍ଥୀ ଥିଲେ। ଆଫଗାନସ୍ତାନର ଇସଲାମ ଗୋଷ୍ଠି ଅନ୍ତଃରାଷ୍ଟ୍ରିୟ ସିଦ୍ଧାନ୍ତ ଏବଂ ଏହି ଆକ୍ରମଣକୁ କଡା ନିନ୍ଦା କରୁଛି ।