ନୂଆଦିଲ୍ଲୀ : କର୍ଣ୍ଣାଟକର ବେଲଗାଭିରେ ଆରମ୍ଭ ହୋଇଛି କଂଗ୍ରେସର ଦୁଇଦିନିଆ CWC ବୈଠକ । ଯାହାର ଇତିହାସ ଖବୁ ଲମ୍ୱା । ଶହେ ବର୍ଷ ତଳେ ଆଜିର ଦିନରେ ଏହିଠାରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଅଧ୍ୟକ୍ଷତାରେ ହୋଇଥିଲା କଂଗ୍ରେସର ମହାଅଧିବେଶନ। ଏପରି ଐତିହାସିକ ଅଧିବେସନ ଆଜି ଯାଏ ବି ଚାଲି ଆସୁଛି । ଗାନ୍ଧିଜୀଙ୍କ ଲିଗାସିକୁ ବଞ୍ଚାଇ ରଖିବାକୁ କଂଗ୍ରେସ ତାର ଶେଷ ନିଶ୍ବାସ ପର୍ଯ୍ୟନ୍ତ କାମ କରିବ ବୋଲି ପ୍ରଥମ ଦିନରେ ହୋଇଛି ନିଷ୍ପତ୍ତି । ଗୁରୁବାର ଜୟ ବାପୁ, ଜୟ ଭୀମ ଓ ଜୟ ସମ୍ବିଧାନ ରାଲି ହେବ । ଅନ୍ୟପଟେ ବୈଠକ ଅବସରରେ ବେଲଗାଭି ସହରରେ କଂଗ୍ରେସ ପକ୍ଷରୁ ଲଗା ଯାଇଥିବା ଭାରତ ମାନଚିତ୍ରକୁ ନେଇ ବିଜେପି ଆପତ୍ତି ଉଠାଇଛି।
କର୍ଣ୍ଣାଟକ ବେଲଗାଭିରେ ହୋଇଥିଲା କଂଗ୍ରେସର ୩୯ତମ ବୈଠକ । ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକକୁ ଶହେ ବର୍ଷ ପୂରିଛି । ଆଉ ଗାନ୍ଧିଜୀଙ୍କ ସମ୍ମାନାର୍ଥେ, ବର୍ତ୍ତମାନର ବେଲଗାଭି ବା ପୂର୍ବର ବେଲଗାମରେ ଆରମ୍ଭ ହୋଇଛି ୨ ଦିନିଆ CWC ବୈଠକ । ଯେଉଁଥିରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସମେତ ବହୁ ତୁଙ୍ଗ ନେତା ଯୋଗ ଦେଇଛନ୍ତି । ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଲିଗାସି ବଞ୍ଚାଇ ରଖିବାକୁ କଂଗ୍ରେସ ବଦ୍ଧ ପରିକର ବୋଲି ବୈଠକର ପ୍ରଥମ ଦିନରେ ସ୍ଥିର ହୋଇଛି ।
ବୈଠକରେ CWC ସଦସ୍ୟ, ସ୍ବତନ୍ତ୍ର ଓ ସ୍ଥାୟୀ ନିମନ୍ତ୍ରିତ ଅତିଥି, କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ସଦସ୍ୟ, ବିଭିନ୍ନ ରାଜ୍ୟର କଂଗ୍ରେସ ବିଧାୟକ ଦଳ ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ସାଂସଦମାନେ ସାମିଲ ହେଉଛନ୍ତି । ୨୭ ତାରିଖରେ ଜୟ ବାପୁ, ଜୟ ଭୀମ ଓ ଜୟ ସମ୍ବିଧାନ ରାଲି କରିବ କଂଗ୍ରେସ । ବେଲଗାଭି ସହରକୁ ଭାରତ ମାନଚିତ୍ରରେ ଛାଇ ଦେଇଛି କଂଗ୍ରେସ । ଯାହାକୁ ନେଇ ଆପତ୍ତି ଉଠାଇଛି ବିଜେପି । ମାନଚିତ୍ରରେ ପାକ୍ ଅଧିକୃତ ଗିଲଗିଟ୍ ବଲ୍ଟିସ୍ତାନ ଏବଂ ଚୀନ ଅଧୀନରେ ଥିବା ଆକସାଇ ଚୀନ୍ ନଥିବାରୁ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି । ଯାହାକୁ ନେଇ କଂଗ୍ରେସ ଦେଇଛି ମୁହଁତୋଡ଼ ଜବାବ । ୧୯୨୪ ଡିସେମ୍ବର ୨୬ ତାରିଖ ଅପରାହ୍ମ ୩ଟାରେ କଂଗ୍ରେସ ଅଧ୍ୟକ୍ଷ ହୋଇଥିଲେ ମହାତ୍ମା ଗାନ୍ଧି । ଏବେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ହୋଇଛି ଏହି ଐତିହାସିକ CWC ବୈଠକ ।