Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ଗୁରନୁରଙ୍କୁ ମିଳିଲା ସୁଯୋଗ, କୁଲଦୀପ ବାଦ୍

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ ଦଳରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ଦ୍ରୁତ ବୋଲର ଗୁରନୁର ବରାରଙ୍କୁ ପ୍ରଥମ ଥର ପାଇଁ ଭାରତର ଟେଷ୍ଟ ଦଳରେ ସାମିଲ କରାଯାଇଥିବା ବେଳେ ସ୍ପିନର କୁଲଦୀପ ଯାଦବଙ୍କୁ ଦଳରୁ ବାଦ୍ ଦିଆଯାଇଛି । ଏନେଇ ବିସିସିଆଇ  ପକ୍ଷରୁ ଶନିବାର ସୂଚନା ଦିଆଯାଇଛି । ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ଗୁରନୁର ବର୍ତ୍ତମାନ ସୁଦ୍ଧା ୩ଟି ଦିନିକିଆରୁ ସର୍ବାଧିକ ୯ଟି ୱିକେଟ୍ ନେଇଛନ୍ତି । ଏହାସହ ୨୦୨୬ ବର୍ଷରେ ସେ ୧୩ଟି ଦିନିକିଆ ମ୍ୟାଚରୁ ୨୩ଟି ୱିକେଟ୍ ଅକ୍ତିଆର କରି ଭାରତର ଶ୍ରେଷ୍ଠ ବୋଲର ରହିଛନ୍ତି । ତେବେ ସେ ଏପର‌୍ୟ୍ୟନ୍ତ ଅନ୍ତର୍ଜାତୀୟ ଟେଷ୍ଟ କିମ୍ବା ଟି-୨୦ରେ ପଦାର୍ପଣ କରିନାହାନ୍ତି । କୁଲଦୀପ ଯାଦବଙ୍କୁ ଟେଷ୍ଟ ଦଳରୁ ମୁକ୍ତ କରାଯାଇଛି ।

ସେ ସ୍ୱଦେଶ ଫେରି ଭାରତରେ ଘରୋଇ କ୍ରିକେଟ୍ ଖେଳିବେ । ୱିକେଟ୍ କିପର ବ୍ୟାଟର ଋଷଭ ପନ୍ତ ମଧ୍ୟ ୱେଲିଂଟନଠାରେ ଭାରତୀୟ ଟେଷ୍ଟ ଦଳ ସହ ସାମିଲ ହୋଇଛନ୍ତି । ଟେଷ୍ଟ ଦଳ ସହ ଯୋଗ ଦେଉଥିବାରୁ ଗୁରନୁର ବରାର ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳିପାରିବେ ନାହିଁ । ତାଙ୍କ ସ୍ଥାନରେ ଦିନିକିଆ ଦଳରେ ଅନ୍ୟ କୌଣସି ଖେଳାଳିଙ୍କୁ ସାମିଲ କରାଯାଇ ନାହିଁ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ଆସନ୍ତା ୧୯ ନଭେମ୍ବରରୁ ୱେଲିଂଟନରେ ଆରମ୍ଭ ହେବ । ଏହି ସିରିଜରେ ଶୁଭମନ ଗିଲ୍ ଭାରତୀୟ ଦଳର ନେତୃତ୍ୱ ନେଉଥିବା ବେଳେ କେଏଲ୍ ରାହୁଲ ଉପ-ଅଧିନାୟକ ଦାୟିତ୍ୱ ତୁଲାଇବେ ।

Leave A Reply

Your email address will not be published.