ନୂଆଦିଲ୍ଲୀ: ଶେଷ ଯାତ୍ରାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ । ଆଉ ମାତ୍ର କିଛି ସମୟ ପରେ ପଞ୍ଚଭୂତରେ ଲୀନ ହେବେ ମନମୋହନ ସିଂ । ଦିନ ୧୧ଟା ୪୫ ମିନିଟରେ ନିଗମବୋଧ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷ କୃତ୍ୟ । ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀମାନେ । ସେଥିପାଇଁ ଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏପରିକି ଦିଲ୍ଲୀର କିଛି ରାସ୍ତା ମଧ୍ୟ ବନ୍ଦ କରାଯାଇଛି ।
ଆଜି ସକାଳ ୭ ଟାରୁ ୩ ଟା ପର୍ଯ୍ୟନ୍ତ ନୂଆଦିଲ୍ଲୀ ଏବଂ ଉତ୍ତର ଦିଲ୍ଲୀର କିଛି ଅଂଶରେ ଟ୍ରାଫିକ ପୋଲିସ କଡା ପ୍ରତିବନ୍ଧକ ଲଗାଇଛି। ବିଶେଷକରି ଆଇଏସବିଟି କାଶ୍ମୀରୀ ଗେଟ୍, ପୁରୁଣା ଦିଲ୍ଲୀ ରେଳ ଷ୍ଟେସନ ଏବଂ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ଯାତ୍ରୀମାନଙ୍କୁ ପହଞ୍ଚିବାରେ ସମସ୍ୟା ହୋଇପାରେ । ସେଥିପାଇଁ ସମୟର ଯଥେଷ୍ଟ ପୂର୍ବରୁ ବାହାରି ମେଟ୍ରୋ ପରି ସର୍ବସାଧାରଣ ଯାନ ବ୍ୟବହାର କରିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି।
ସୂଚନା ଅନୁଯାୟୀ, ଡକ୍ଟର ସିଂଙ୍କ ଶେଷ ଯାତ୍ରା ଆକବର ରୋଡରୁ ଆରମ୍ଭ ହୋଇ ଇଣ୍ଡିଆ ଗେଟ୍, ତିଲକ ମାର୍ଗ, ଆଇଟିଓ, ଦିଲ୍ଲୀ ଗେଟ୍ ଏବଂ ରାଜଘାଟ ଦେଇ ନିଗମ ବୋଧ ଘାଟରେ ପହଞ୍ଚିବ। ତେଣୁ ସାମୟିକ ସମୟ ପାଇଁ ସେହି ରାସ୍ତା ଗୁଡିକୁ ବନ୍ଦ କରିଛି ଟ୍ରାଫିକ ପୋଲିସ । ବିଶେଷ କରି ଏହି ସମୟ ମଧ୍ୟରେ ରାଜା ରାମ କୋହଲି ମାର୍ଗ, ରାଜଘାଟ ରେଡ୍ ଲାଇଟ୍, ସିଗ୍ନେଚର ବ୍ରିଜ୍ ଏବଂ ଯୁଧିଷ୍ଠିର ସେତୁ ଭଳି ମାର୍ଗ ଗୁଡିକ ପ୍ରଭାବିତ ହେବ। ଏହା ବ୍ୟତୀତ ରିଙ୍ଗ ରୋଡ୍, ନିଶାଦ ରାଜ ମାର୍ଗ, ବୁଲ୍ଲେୱାଡ ରୋଡ୍ ଏବଂ ନେତାଜୀ ସୁଭାଷ ମାର୍ଗରେ ମଧ୍ୟ ଟ୍ରାଫିକ୍ ବ୍ୟାହତ ହେବ।
ତେଣୁ ବିକଳ୍ପ ମାର୍ଗ ଏବଂ ସର୍ବସାଧାରଣ ଯାନକୁ ଅଧିକ ବ୍ୟବହାର କରିବାକୁ ଦିଲ୍ଲୀ ପୋଲିସ ଜନସାଧାରଣଙ୍କୁ ନିବେଦନ କରିଛି। ଘରୋଇ ଯାନଗୁଡ଼ିକୁ କେବଳ ନିର୍ଦ୍ଦିଷ୍ଟ ପାର୍କିଂ ଅଞ୍ଚଳରେ ପାର୍କ କରିବାକୁ ପରାମର୍ଶ ଦିଆଯାଇଛି। କେତେକ ରୁଟରେ ବସ୍ ଯାତ୍ରା ମଧ୍ୟ ବ୍ୟାହତ ହେବ । ତେଣୁ କେତେକ ବସ୍ ରୁଟରେ ପରିବର୍ତ୍ତନ କରାଯାଇଛି । ଜନଗହଳି ପୂର୍ଣ୍ଣ ସ୍ଥାନରେ ସୁରକ୍ଷା ସୁନିଶ୍ଚିତ କରିବାକୁ ପୋଲିସ ଜନସାଧାରଣଙ୍କୁ ସତର୍କ ରହିବାକୁ ନିବେଦନ କରିଛି। କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ବସ୍ତୁ ଦେଖିବା ମାତ୍ରେ ପୋଲିସକୁ ଜଣାଇବାକୁ ପରାମର୍ଶ ଦିଆଯାଇଛି।