ମାଲକାନଗିରି: ରାଜ୍ୟର ଆଇନଜୀବୀ ମାନଙ୍କ ସର୍ବବୃହତ୍ ଓ ସର୍ବ-ପୁରାତନ ସଂଗଠନ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୫୩ ତମ ବାର୍ଷିକ ଉତ୍ସବ ପାଳନ ଉତ୍ସବ ମାଲକାନଗିରିରେ ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ।
ନିରନ୍ତର ଆଇନ ଶିକ୍ଷା ପ୍ରସଙ୍ଗ ଓ ଆଡଭୋକେଟ୍ ଏକାଡେମୀର ଭୂମିକା ଗୋଟିଏ ଭିନ୍ନ ଧରଣର ଆହ୍ୱାନ ସଷ୍ଟି କରିଛି । ଆଇନଜୀବୀ ମାନେ ଜୀବନ ବ୍ୟାପୀ ଜଣେ ଛାତ୍ର, କାରଣ ଆଇନ ବିଷୟରେ ଅଧ୍ୟୟନ କେବଳ ଆଇନ କଲେଜ କିମ୍ବା ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ ପରେ ଶେଷ ହୁଏନାହିଁ । ଏଥିପାଇଁ ଜୀବନ ବ୍ୟାପୀ ସାଧନା କରିବାକୁ ହୁଏ । କାରଣ ଆଇନ ପେଷାରେ ପାଦ ଦେବା ପରେ ଜଣେ ଆଇନଜୀବୀ କେବଳ ଜଣେ ଆଇନର ଛାତ୍ର ନୁହେଁ, ନ୍ୟାୟାଳୟରେ ଆଇନର ବିକାଶ ଓ ପ୍ରଗତିଶୀଳ ବ୍ୟାଖାନ ପାଇଁ ଶିକ୍ଷକର ଭୂମିକାଟିଏ ମଧ୍ୟ ଗ୍ରହଣ କରିଥାଏ ।
ଆଇନ ଶିକ୍ଷା ଓ ବୃତ୍ତିଗତ ତାଲିମ ସମ୍ପର୍କରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଓ ଭାରତୀୟ ଆଇନ କମିଶନ ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ପଦକ୍ଷେପ ନେବାକୁ ପରାମର୍ଶ ଦେବା ସତ୍ତ୍ୱେ ଏ ସମ୍ପର୍କରେ ସରକାରୀ ସ୍ତରରେ କୌଣସି ଉଦ୍ୟମ ନାହିଁ । ଏହାର ଫଳସ୍ୱରୂପ ଆମ ଦେଶରେ ଓ ରାଜ୍ୟରେ ଆଡଭୋକେଟ୍ ଏକାଡେମୀ ପ୍ରସଙ୍ଗରେ ଆଇନଜୀବୀ ମାନଙ୍କ ମଧ୍ୟରେ ବିଶେଷ ପ୍ରଭାବ ପକାଇ ପାରିନାହିଁ । ବିଶ୍ୱର ଅନେକ ଦେଶରେ ଆଇନଜୀବୀ ମାନଙ୍କ ପ୍ରଶିକ୍ଷଣ, ଆଇନ ଶିକ୍ଷା ଓ ବାର୍ ପରୀକ୍ଷା ଜାରି ରଖିବା ପାଇଁ ବାଧ୍ୟତା ମୂଳକ କରାଯାଇଛି । ଏପରିକି କେତେକ ଦେଶରେ ଏହି ଆଇନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁନଥିବା ଆଇନଜୀବୀଙ୍କ ଆଇନ ପେଷାର ଲାଇସେନ୍ସ ନବୀକରଣ ମଧ୍ୟ କରା ଯାଉନାହିଁ ।
ଆମ ଦେଶରେ ୧୯୮୩ ମସିହାରେ ବିଚାରପତି ମାନଙ୍କୁ ନିରନ୍ତର ଆଇନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ କରିବା ଲାଗି ନ୍ୟାସନାଲ୍ ଜୁଡିସିଆଏଲ୍ ଏକାଡେମୀ, ଭୋପାଳ ଠାରେ ପ୍ରତିଷ୍ଠା କରା ଯାଇଥିଲା । ସେଥିପାଇଁ ଜାତୀୟ ସ୍ତରରେ ମଧ୍ୟ ନ୍ୟାୟିକ ଶିକ୍ଷା ଓ ନ୍ୟାୟିକ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ପାଇଁ ସବୁ ସ୍ତରର ବିଚାର ବିଭାଗୀୟ ଅଫିସର ମାନଙ୍କ ପାଇଁ ଗୋଟିଏ ପାଠ୍ୟକ୍ରମର ଖସଡ଼ା ମଧ୍ୟ ତିଆରି କରାଯାଇଛି । ଏହି ଅନୁଷ୍ଠାନ ଗଠନ ବେଳେ କେନ୍ଦ୍ର ସରକାର ଏକଥା ଉପଲବ୍ଧି କରିଥିଲେ ଯେ କେବଳ ଦେଶରେ ଅଧିକ ସଂଖ୍ୟାରେ କୋର୍ଟ ଖୋଲିଲେ କିମ୍ବା ବିଚାରପତି ନିଯୁକ୍ତ କଲେ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇ ପାରିବନାହିଁ, ଏଥିପାଇଁ ବିଚାରପତି ମାନଙ୍କ ନ୍ୟାୟିକ ଦକ୍ଷତା ଓ ଜ୍ଞାନରେ ଅଭିବୃଦ୍ଧିର ଆବଶ୍ୟକତା ରହିଛି ।
ଆମ ଦେଶର ଆଇନ ପାଠ୍ୟକ୍ରମ ଗୁଡ଼ିକ ମଧ୍ୟ ଏଭଳି ଢାଞ୍ଚାରେ ତିଆରି କରାଯାଇ ନାହିଁ, ଯାହାର ଫଳ ସ୍ୱରୂପ ଜଣେ ଆଇନ ଛାତ୍ର ପାଠ ପଢ଼ିବା ସମୟରେ ମଧ୍ୟ ଆଇନକୁ କିଭଳି ନିଜର ପେଶାଗତ ଜୀବନରେ ବ୍ୟବହାର କରିପାରିବ ସେଥିପାଇଁ ପ୍ରଥମ ବର୍ଷରୁ କୌଣସି ପ୍ରଶିକ୍ଷଣ ଦିଆଯାଉ ନାହିଁ । ଇଣ୍ଟରନସିପ୍ ଅର୍ଥାତ ପ୍ରଶିକ୍ଷଣ ପାଇଁ ପ୍ରତ୍ୟେକ ବର୍ଷ ଛାତ୍ରଛାତ୍ରୀ ମାନେ ଯୋଗ ଦେଉଥିବା ଅଧିକାଂଶ ଲ୍ ଫାର୍ମ ଗୁଡ଼ିକ ଓ ଆଇନଜୀବୀ ମାନଙ୍କ ଅଫିସରେ କିମ୍ବା ବିଚାରାଳୟ ଏହି ପ୍ରଶିକ୍ଷଣକୁ ଗୁରୁତ୍ୱର ସହ କେହି ଗ୍ରହଣ କରୁନାହାନ୍ତି । ଫଳସ୍ୱରୂପ ପ୍ରତ୍ୟେକ ବର୍ଷ ଦେଶରେ ଆଇନ ପାଠ୍ୟକ୍ରମର ଡିଗ୍ରୀ ହାସଲ କରୁଥିବା ଅନେକ ଆଇନ ଛାତ୍ରଛାତ୍ରୀ, ପରିବର୍ତ୍ତୀ ଅବସ୍ଥାରେ ଆଇନ ଜ୍ଞାନର ବ୍ୟବହାରକୁ ଛାଡ଼ି ଅନ୍ୟାନ୍ୟ ବୃତ୍ତିରେ ଯୋଗ ଦେଉଛନ୍ତି ।
ରାଜ୍ୟରେ ଶାସନ ବ୍ୟବସ୍ଥା ଓ ନ୍ୟାୟିକ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାକୁ ହେଲେ ରାଜ୍ୟ ଜୁଡିସିଆଲ୍ ଏକାଡେମି ଭଳି ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ରାଜ୍ୟ ବାର୍ କାଉନସିଲ ନେତୃତ୍ୱରେ ଆଡଭୋକେଟ୍ ଏକାଡେମୀ ପ୍ରତିଷ୍ଠା ହେବାର ଆବଶ୍ୟକତା ପରିଲକ୍ଷିତ ହେଉଛି । ତ୍ୱରିତ ନ୍ୟାୟ ଓ ଗୁଣାତ୍ମକ ନ୍ୟାୟ ପାଇଁ ଆଇନଜୀବୀ ମାନେ ନ୍ୟାୟିକ ପ୍ରଶାସନିକ ବ୍ୟବସ୍ଥାର ପ୍ରମୁଖ ଅଙ୍ଗ ବୋଲି ରାଜ୍ୟର ନୂତନ ସରକାର ଉପଲବ୍ଧି କଲେ, ଆମ ରାଜ୍ୟର ଶାସନ ବ୍ୟବସ୍ଥାରେ ଆଡଭୋକେଟ୍ ଏକାଡେମୀ ଏକ ନୂଆ ଫର୍ଦ୍ଦ ଭାବେ ଯୋଡ଼ି ହେବ।