ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକି ହତ୍ୟା ମାମଲାରେ ଖୁବ ଶୀଘ୍ର ଚାର୍ଜସିଟ ଦାଖଲ କରିବ କ୍ରାଇମବ୍ରାଞ୍ଚ । ଏହି ମାମଲାରେ ମପଟ ୨୬ ଜଣଙ୍କୁ ଗିରଫ କରାଯାଇଛି । ଏହି ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବ କ୍ରାଇମବ୍ରାଞ୍ଚ । ତେବେ ଉକ୍ତ ଘଟଣାରେ ଏବେ ବି ତିନି ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ଫେରାର ଅଭିଯୁକ୍ତ ୩ଜଣ ହେଉଛନ୍ତି ଶୁଭମ୍ ଲୋନକର, ଜିଶାନ୍ ଅଖତର ଏବଂ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ ।
ତେବେ ଏହି ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ କଣ ସେ ନେଇ କୌଣସି ଠିସ୍ ସୂଚନା ପାଇ ନାହିଁ କ୍ରାଇମ ବ୍ରାଞ୍ଚ । ଏସଆରଏ ବିବାଦକୁ ନେଇ ମଧ୍ୟ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ତଦନ୍ତ କରିଥିଲା । ସେଥିରୁ ମଧ୍ୟ କୌଣସି ତଥ୍ୟ ପାଇନାହିଁ । ଜଣେ ଅଧିକାରୀଙ୍କ କହିବା ଅନୁସାରେ, ବାବା ସିଦ୍ଦିକି ସଲମାନ ଖାନଙ୍କ ନିକଟତର । ତେଣୁ ତାଙ୍କୁ ଟାର୍ଗେଟ କରାଯାଇଛି ବୋଲି ପୋଲିସ ଅନୁମାନ କରୁଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଏହା ମଧ୍ୟ ଜଣା ନାହିଁ ଯେ ସେମାନେ କାହିଁକି ଏହି ହତ୍ୟା କରିଛନ୍ତି । ପୋଲିସର କହିବା ଅନୁସାରେ, ଫେରାର ଥିବା ଅଭିଯୁକ୍ତ ଶୁଭମ୍ ଲୋମକର ଏବଂ ଜିଶାନ୍ ଅଖତର ଗିରଫ ନହେବା ପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହେବ ନାହିଁ ।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୨ରେ ସିଦ୍ଦିକିଙ୍କୁ ମୁମ୍ବାଇ ସ୍ଥିତ ତାଙ୍କ ପୁଅଙ୍କ ଅଫିସ ସାମ୍ନାରେ ଗୁଳି କରି ହତ୍ୟା କରାଯାଇଥିଲା। ପୁଅ ତଥା ବାନ୍ଦ୍ରା ବିଧାୟକ ଜିଶାନ ସିଦ୍ଦିକିଙ୍କୁ ଭେଟିବାକୁ ଯାଉଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।
Comments are closed.