ମେଲବୋର୍ଣ୍ଣ: ନୀତିଶ କୁମାର ରେଡ୍ଡୀଙ୍କ ଆକର୍ଷଣୀୟ ଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୯ ୱିକେଟ ବିିନିମୟରେ ୩୫୮ ରନ ସଂଗ୍ରହ କରିଛି । ନୀତିଶ ୧୦୫ ରନ କରି ଅପରାଜିତ ରହିଛନ୍ତି । ଏହି ଶତକ ସହ ନୀତିଶ ନିଜ ନାମରେ ଅନେକଗୁଡିଏ ରେକର୍ଡ ସୃଷ୍ଟି କରିଛନ୍ତି । ଭାରତର ପ୍ରଥମ ଖେଳାଳି ଭାବେ ନୀତିଶ ୮ ନମ୍ବର ସ୍ଥାନରେ ବ୍ୟାଟିଂ କରି ଶତକ ହାସଲ କରିଛନ୍ତି । ଏମସିିଜିରେ ୮ମ କିମ୍ବା ଏହାର ନିମ୍ନ ଭାଗରେ ବ୍ୟାଟିଂ କରି ସେ ଓଭରାଲ ଦ୍ୱିତୀୟ ଖେଳାଳି ଭାବେ ଶତକ ହାସଲ କରିଛନ୍ତି । ୧୯୦୨ରେ ଅଷ୍ଟ୍ରେଲିଆର ରେଗୀ ଡଫ ୧୦୫ ରନ କରିଥିଲେ । ଏମସିଜିରେ ଭିନୁ ମଙ୍କଡଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଭାବେ ଶତକ ମାରିଛନ୍ତି ।
ସେହିପରି ନୀତିଶ( ୨୧ ବର୍ଷ ୨୧୪ ଦିନ) ଅଷ୍ଟ୍ରେଲିଆରେ ଶତକ ମାରିବାରେ ତୃତୀୟ ସର୍ବକନିଷ୍ଠ ଭାରତୀୟ ଖେଳାଳି ହୋଇଛନ୍ତି । ସଚିନ ତେନ୍ଦୁଲକର( ୧୮ ବର୍ଷ ୨୫୩) ଓ ରିଷଭ ପନ୍ତ (୨୧ ବର୍ଷ ୯୧ ଦିନ) ତାଙ୍କ ଆଗରେ ରହିଛନ୍ତି । ଅଷ୍ଟ୍ରେଲିଆରେ ୮ମ ୱିକେଟରେ ନୀତିଶ ଓ ୱାଶିଂଟନ ସୁନ୍ଦର ୧୨୭ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ଏହା ଦ୍ୱିତୀୟ ସର୍ବାଧିକ ପାର୍ଟନରଶିପ । ଭାରତର ସଚିନ ତେନ୍ଦୁଲକର ଓ ହରଭଜନ ସିଂ ୨୦୦୮ରେ ୧୨୯ ରନ ସଂଗ୍ରହ କରିଥିଲେ ।
ଭାରତ ବାହାରେ ୮ମ ୱିକେଟରେ ଏହା ତୃତୀୟ ସର୍ବାଧିକ ପାର୍ଟନରଶିପ । ୧୯୯୯ରେ ରାହୁଲ ଡ୍ରାଭିଡ ଓ ଜଭାଗଲ ଶ୍ରୀନାଥ ନ୍ୟୁଜିଲାଣ୍ଡରେ ୧୪୪ ରନର ପାର୍ଟନରଶିପ ସଂଗ୍ରହ କରି ଆଗରେ ରହିଛନ୍ତି । ସୁନ୍ଦର ୪ର୍ଥ ଭାରତୀୟ ଭାବେ ଅଷ୍ଟ୍ରେଲିଆରେ ୯ମ ସ୍ଥାନରେ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଛନ୍ତି । କିରଣ ମୋରେ ମେଲବୋର୍ଣ୍ଣରେ ସର୍ବାଧିକ ୬୭ ରନ କରିଥିଲେ ।
Comments are closed.