Latest Odisha News

BREAKING NEWS

୧୧୭ ତମ ମନ କି ବାତ୍‌ କାର୍ଯ୍ୟକ୍ରମ: କଳାହାଣ୍ଡି ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା

କଳାହାଣ୍ଡି: କଳାହାଣ୍ଡିର ଚାଷୀଙ୍କୁ ପ୍ରସଂଶା କଲେ ପ୍ରଧାନମନ୍ତ୍ରୀ ମୋଦୀ। ମନ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରସଂଶା କରିଛନ୍ତି ମୋଦୀ। ଟମାଟୋ ଚାଷ କରି  ସ୍ବାବଲମ୍ବୀ ହୋଇଥିବା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଚାଷୀଙ୍କ କଥା କହିଛନ୍ତି ପ୍ରଧାନମନ୍ତ୍ରୀ। ସେ କିପରି ଅଞ୍ଚଳର ୧୫୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି ତାହାର ପ୍ରଶଂସା ମଧ୍ୟ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ ସାନଚେର ଗାଁର ଯୁବ ଚାଷୀ କୃଷ୍ଣଚନ୍ଦ୍ର ନାଗ ୨୦୦୮ ମସିହାରେ ପ୍ରଥମେ ଟମାଟୋ ଚାଷ ଆରମ୍ଭ କରିଥିଲେ। ସେ ମାତ୍ର ୨୦ ରୁ ୨୫ ଡେସିମିଲ ଜମିରେ ଟମାଟୋ ଚାଷ କରିଥିଲେ।  ପ୍ରଥମ ଚାଷରେ ସେ ୭୨ କୁଇଣ୍ଟାଲ ଟମାଟୋ ଅମଳ କରିଥିଲେ । ଚଳିତ ବର୍ଷ ୨୦୦ ଏକର ଜମିରେ ଆଧୁନିକ ପ୍ରଣାଳୀରେ ଟମାଟୋ ଚାଷ କରି କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ରୋଜଗାର କରିବାକୁ ଲକ୍ଷ୍ୟ ରଖିଛନ୍ତି କୃଷ୍ଣଚନ୍ଦ୍ର।

ଠିକ ସେହିପରି ଚଳିତ ବର୍ଷ ୧୫୦ ଏକର ଜମିରେ କଲରା ଚାଷ କରି ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ରୋଜଗାର କରିପାରିଛନ୍ତି । କମ୍‌ ସାର ବ୍ୟବହାର କରି ଜୈବିକ ପଦ୍ଧତିରେ ଚାଷ କରୁଥିବାରୁ ସେ ଚାଷ କରୁଥିବା ଟମାଟୋର ପଶ୍ଚିମ ଓଡ଼ିଶା ଓ ପୂର୍ବ ଓଡ଼ିଶାରେ ବେଶ୍‌ ଚାହିଦା ଥିବାବେଳେ ପଡୋଶୀ ରାଜ୍ୟ ଛତିଶଗଡ଼ର ବ୍ୟବସାୟୀମାନେ ତାଙ୍କ ବଗିଚାକୁ ଆସି ଟମାଟୋ ଓ କଲରା କିଣୁଥିବା ଜାଣିବାକୁ ମିଳିଛି।

ଆଧୁନିକ ଜୈବିକ ପ୍ରଣାଳୀରେ ଚାଷ କରୁଥିବାରୁ ଉକ୍ତ ଯୁବ ଚାଷୀଙ୍କ ଚାଷ ଓ ଚାଷ କାର୍ଯ୍ୟପ୍ରଣାଳୀକୁ ଦେଖିବାକୁ ବିଭିନ୍ନ କୃଷି ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଆସୁଛନ୍ତି । ତେବେ ଗୋଲାମୁଣ୍ଡା ବ୍ଲକର ଲୋକେ କାମ ପାଇଁ ବାହାର ରାଜ୍ୟକୁ ଯାଉଥିବାବେଳେ, ସାନଚେରଗାଁ ଭଳି ଗ୍ରାମରେ ଜଣେ ଉଚ୍ଚ ଶିକ୍ଷିତ ଯୁବକଚାଷକାର୍ଯ୍ୟ କରି ୧୫୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି।  ଏନେଇ  ପ୍ରଧାନମନ୍ତ୍ରୀ ମୋଦୀ ୧୧୭ ତମ ମନ କି ବାତ୍‌ କାର୍ଯ୍ୟକ୍ରମରେ ତାଙ୍କୁ ପ୍ରଶଂସା କରିଛନ୍ତି।

Comments are closed.