Latest Odisha News

ଋଷରେ ପୂର୍ବତନ ରାଷ୍ଟ୍ରପତି ବଶର ଅଲ ଅସଦଙ୍କୁ ହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ଋଷରେ ଥିବା ସିରିଆର ପୂର୍ବତନ ରାଷ୍ଟ୍ରପତି ବଶର ଅଲ ଅସଦଙ୍କୁ ହତ୍ୟା ଉଦ୍ୟମ । ମିଡିଆ ରିପୋର୍ଟ ଅନୁଯାୟୀ ଅସଦ ଗତ ୨୯ ଡିସେମ୍ବରରେ କହିଛନ୍ତି ଯେ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ଏଥିପାଇଁ ସେ ଚିକିତ୍ସା ପାଇଁ ସାହାଯ୍ୟ ମାଗିଥିଲେ। କିଛି ସମୟ ପରେ ପରିସ୍ଥିତି ଜଟିଳ ହେବାକୁ ଲାଗିଲା। ତାଙ୍କୁ କାଶ ହେବା ସହ ଶ୍ୱାସକ୍ରିୟାରେ ସମସ୍ୟା ହେଲା । ଏହାପରେ ତାଙ୍କୁ ପାଣି ପିଇବାକୁ ଦିଆଯାଇଥିଲା ଏବଂ ଡାକ୍ତରଙ୍କୁ ଖବର ଦିଆଯାଇଥିଲା । କିନ୍ତୁ ଡାକ୍ତର ପହଞ୍ଚିବା ବେଳକୁ ତାଙ୍କ ଅବସ୍ଥା ସମ୍ପୁର୍ଣ୍ଣ ବିଗିଡି ଯାଇଥିଲା।

ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅସଦଙ୍କ ଅବସ୍ଥା ସମ୍ପର୍କରେ ଅବଗତ କରାଯାଇଥିଲା । ଏହା ପରେ କ୍ରେମଲିନ୍ ତାଙ୍କୁ ହସ୍ପିଟାଲ ପରିବର୍ତ୍ତେ ତାଙ୍କ ଆପାର୍ଟମେଣ୍ଟରେ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରାରମ୍ଭିକ ଚିକିତ୍ସା ପରେ ଅସଦଙ୍କ ବାସଭବନରେ ଡାକ୍ତରଙ୍କ ଏକ ଟିମ୍ ନିୟୋଜିତ କରାଯାଇଥିଲା। ତେବେ ଡାକ୍ତରଙ୍କ କହିବା ଅନୁସାରେ, ଅସଦଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି ଏବଂ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି। ତାଙ୍କ ଶରୀରରୁ ନିଆଯାଇଥିବା ନମୁନା ପରୀକ୍ଷା କରିବା ପରେ ଏହା ଶରୀରରେ ବିଷ ଥିବା ନିଶ୍ଚିତ କରାଯାଇଛି । ତେବେ ଅସଦଙ୍କୁ କିପରି ବିଷ ଦିଆଯାଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସୂଚନାଯୋଗ୍ୟ, ଗତ ମାସରେ ତହରୀର ଅଲ-ଶାମର ବିଦ୍ରୋହି ଦମିସକ ସହ ଅନ୍ୟାନ୍ୟ ପ୍ରମୁଖ ସହରକୁ କବଜା କରିଥିଲେ । ଫଳରେ ଅସଦଙ୍କୁ ସିରିଆ ଛାଡିବାକୁ ପଡିଥିଲା । ରାଷ୍ଟ୍ରପତି ଗାଦିଚ୍ୟୁତ ହୋଇ ବାହାର ଦେଶକୁ ଯିବା ପରେ, ୨୪ ବର୍ଷ ଧରି ଚାଲିଥିବା ବଶର ଅଲ ଅସଦଙ୍କ ଶାସନର ଅନ୍ତ ଘଟିଥିଲା । ଆଉ ସ୍ଥିତି ଏଭଳି ହୋଇଥିଲା ଯେ ଶେଷରେ ରୁଷିଆରେ ଶରଣ ନେଇଥିଲେ ଗାଦିଚ୍ୟୁତ ରାଷ୍ଟ୍ରପତି ବସର ଅଲ ଅସଦ । ବସର ଓ ତାଙ୍କ ପରିବାର ଲୋକେ ମସ୍କୋରେ ଶରଣ ନେଇଥିଲେ । ନିଜ ଦେଶରେ ପ୍ରବଳ ବିଦ୍ରୋହ ପରେ ରୁଷିଆ ଯିବା ପାଇଁ ମନ ବଳାଇଥିଲେ ଅସଦ । ଆଉ ମସ୍କୋରୁ ଗ୍ରୀନ ସିଗନାଲ ମିଳିବା ପରେ, ସେ ସପରିବାର ସହ ସେଠାକୁ ଚାଲି ଯାଇଥିଲେ ।

ଅସଦଙ୍କୁ କ୍ଷମତାରୁ ହଟାଇବା ପରେ ତାଙ୍କ ଘରେ ମଧ୍ୟ ପାରିବାରିକ କଳହ ଆରମ୍ଭ ହୋଇଥିଲା। ଖବର ଅନୁଯାୟୀ ତାଙ୍କ ପତ୍ନୀ ଅସମା ବ୍ରିଟେନକୁ ଫେରିବାକୁ ଚାହୁଁଥିଲେ, କିନ୍ତୁ ପାସପୋର୍ଟ ସମସ୍ୟା ହେତୁ ସେ ଯାଇପାରିଲା ନାହିଁ। ଅସମା ଲଣ୍ଡନରେ ଜନ୍ମଗ୍ରହଣ କରିଥିଲେ ଏବଂ ବର୍ତ୍ତମାନ ମସ୍କୋରେ ଅସଦଙ୍କ ସହ ରହୁଛନ୍ତି।

Comments are closed.