Latest Odisha News

BREAKING NEWS

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ: ୨ୟ ଦିବସରେ ଓଡ଼ିଶୀ ଛନ୍ଦ-ରସର ଭାବମୟ ପରିବେଷଣ

ଭୁବନେଶ୍ୱର:  ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଦ୍ୱିତୀୟ ଦିବସ ଥିଲା । ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବଟି ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଗୋଟିଏ ମଞ୍ଜରେ ଯୁବ ପ୍ରତିଭା ଓ ବିଶିଷ୍ଟ କଳାକାରମାନଙ୍କ ଦ୍ୱାରା ପରିବେଷିତ ଓଡ଼ିଶୀ ନୃତ୍ୟକୁ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ । ୧୮ତମ ଭାରତୀୟ ପ୍ରବାସୀ ଦିବସ ଉପଲକ୍ଷେ ରାଜ୍ୟ ଓ ଦେଶ ବାହାରୁ ଆସିଥିବା ଅତିଥିମାନେ ଏହି ଉତ୍ସବରେ ବହୁ ମାତ୍ରାରେ ଅଂଶଗ୍ରହଣ କରି ଓଡ଼ିଶୀ ନୃତ୍ୟର ବିଭିନ୍ନ ଶୈଳୀର ଆନନ୍ଦ ନେଇଛନ୍ତି ।

ପୂର୍ବାହ୍ନ ୧୦ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମେ ପୁରୀରୁ ଆସିଥିବା ବାବା ଆଖଣ୍ଡଳମଣୀ ନବପ୍ରତିଭା ସଙ୍ଗୀତ ଶିକ୍ଷା କେନ୍ଦ୍ର ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ନୃତ୍ୟ ଅଭିନୟ ମେଢ ନୃତ୍ୟ – ପୁତନା ପରିବେଷିତ ହୋଇଥିଲା । ପରେ ଏକକ ନୃତ୍ୟ ପର୍ଯ୍ୟାୟରେ ରୂପା ପାଲ୍‍ଙ୍କ ଦ୍ୱାରା ଅଭିନୟ ଦୁର୍ଗାସ୍ତୁତି, ଚିନ୍ମୟ ତ୍ରିପାଠୀଙ୍କ ଦ୍ୱାରା ଅଭିନୟ ନାଚନ୍ତି କୃଷ୍ଣ ମଧୁରେ ପରିବେଷିତ ହୋଇଥିଲା । ଦ୍ୱୈତ ନୃତ୍ୟ ପର୍ଯ୍ୟାୟରେ ଅଭିପ୍ସା ବିଶ୍ୱାଳ ଓ ସୁଦିପା ରାଉତଙ୍କ ଦ୍ୱାରା ଅଭିନୟ ନ ଯା ଯମୁନା ଲୋ ସହୀ ଏହାପରେ ସୋନମ୍‍ ପୃଷ୍ଟିଙ୍କ ଦ୍ୱାରା ଅଭିନୟ ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ, ଦ୍ୱୈତ୍ୟ ନୃତ୍ୟରେ ସୁମିତ୍‍ କୁମାର ଚକ୍ରବର୍ତ୍ତୀ ଓ ଅଭିଷେକ ସାନ୍ୟାଲଙ୍କ ଦ୍ୱାରା ନବଦୁର୍ଗା ଜୟ ଭଗବତୀ ଦେବୀ, ଏକକ ନୃତ୍ୟରେ ଲଳିତା ଚନ୍ଦ୍ରମୂର୍ତ୍ତୀଙ୍କ ଦ୍ୱାରା ଅଭିନୟ ରାବଣକୃତ, ଏନ୍‍. ବାଣିଶ୍ରୀଙ୍କ ଦ୍ୱାରା ବାଗେଶ୍ରୀ ପଲ୍ଲବୀ ଏବଂ ଶେଷରେ ଦଳଗତ ନୃତ୍ୟ ପର୍ଯ୍ୟାୟରେ ସଂଚାରୀ ଏନ୍‍ସେମ୍ବୁଲର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ କୃଷ୍ଣାୟ ତୁଭ୍ୟମ୍‍ ନମଃ ପରିବେଷିତ ହୋଇଥିଲା ।

 

ଅପରାହ୍ନ ଅଧିବେଶନ ଆରମ୍ଭ ହୋଇଥିଲା ଦିବା ୪ଟାରେ । ଏଥିରେ ପ୍ରଥମେ ରାମହରି ଦାସ ଓଡ଼ିଶୀ ଗୁରୁକୁଳ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦାରା ରାବଣ କୃତ ଶିବ ତାଣ୍ଡବ ପରିବେଷିତ ହୋଇଥିଲା । ପରେ ପରେ ଦ୍ୱୈତ ନୃତ୍ୟ ଓ ଏକକ ନୃତ୍ୟ ପର୍ଯ୍ୟାୟରେ ଇଟାଲୀର ଲୁକ୍ରୀଜିୟା ଓଟ୍ଟବନୀଙ୍କ ଦ୍ୱାରା ଅଭିନୟ ମହାକାଳୀ, ଶୃତିକା ବେହେରାଙ୍କ ଦ୍ୱାରା ଅଭିନୟ କଦାଚିତ୍‍ କାଳନ୍ଦୀ ତଟ ବିପିନେ ଏବଂ ଶେଷରେ ବିଶ୍ୱନାଥ ସଙ୍ଗୀତାଳୟର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ନମାମି ରାମ ରାଘବମ୍‍ ପରିବେଷିତ ହୋଇଥିଲା ।

ସଂଧ୍ୟା ଅଧିବେଶନର ପ୍ରଥମ ପ୍ରସ୍ତୁତି ଥିଲା ନୂଆଦିଲ୍ଲୀରୁ ଆସିଥିବା ବିଶିଷ୍ଟ ନୃତ୍ୟାଙ୍ଗନା ତଥା ଗରୁ କେଳୁଚରଣ ମହାପାତ୍ରଙ୍କ ଶିଷ୍ୟା ଗୁରୁ ସାରୋନ୍‍ ଲୋଏନ୍‍ଙ୍କ ଦ୍ୱାରା ଏକକ ନୃତ୍ୟ ପର୍ଯ୍ୟାୟରେ ଅଷ୍ଟପଦୀ କୁରୁ ଯଦୁନନ୍ଦନ ଏହାପରେ ଦ୍ୱୈତ ନୃତ୍ୟ ପରିବେଷିତ ହୋଇଥିଲା । ପରବର୍ତ୍ତୀ ଉପସ୍ଥାପନାରେ ଥିଲା କୌଶିକ ଦାସଙ୍କ ଦ୍ୱାରା ଏକକ ନୃତ୍ୟ ଓ ନିଳାଦ୍ରୀ ମହାନ୍ତିଙ୍କ ଦ୍ୱାରା ଶଙ୍କରାଭରଣ ପଲ୍ଲବୀ । ଶେଷରେ ପୌଷାଳୀ ମୁଖାର୍ଜୀ ଡ୍ୟାନ୍ସ ଏକାଡ଼େମୀର ଶିଳ୍ପୀମାନଙ୍କ ଦ୍ୱାରା ପ୍ରଥମେ ଗୁରୁ ସ୍ତୋତ୍ରମ୍‍ ପରେ ପରେ କେକୀ କଣ୍ଠ ନୀଳମ୍‍ ପରିବେଷିତ ହୋଇଥିଲା ।

 

 

ଦ୍ୱିତୀୟ ସଂଧ୍ୟାର ଅତିଥିମାନେ ଥିଲେ ବିଶିଷ୍ଟ ସାହିତ୍ୟ ସାଧକ ଶ୍ରୀଯୁକ୍ତ ଶାନ୍ତନୁ ରଥ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ବିଜୟ କୁମାର ଜେନା ଓ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର । କାର୍ଯ୍ୟକ୍ରମଟିକୁ ସଂଚାଳନା କରିଥିଲେ ଡଃ ମୃତ୍ୟୁଞ୍ଜୟ ରଥ । ଏହି ନୃତ୍ୟ କାର୍ଯ୍ୟକ୍ରମଟି ଓଡ଼ିଶୀ ଗବେଷଣା କେନ୍ଦ୍ରର ଫେସବୁକ୍‍ ଓ ୟୁଟ୍ୟୁବ୍‍ ଚେନାଲରେ ଲାଇଭ୍‍ ଷ୍ଟ୍ରିମିଙ୍ଗ କରାଯାଉଅଛି ।

Leave A Reply

Your email address will not be published.