ନୂଆଦିଲ୍ଲୀ:ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ନିକଟରୁ ଭାରତ ୩-୧ରେ ପରାଜିତ ହୋଇଛି । ଏହି ସିରିଜ ଅବସରରେ ରବିଚନ୍ଦ୍ରନ ଅଶ୍ୱୀନ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଶନିବାର ଟିମ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଯାହା ପରୋକ୍ଷରେ ଅବସର ନେବା ଆଡେ ସଙ୍କେତ କରୁଛି । ଏହି ପୋଷ୍ଟରେ ଜାଡେଜା ତାଙ୍କ ଟେଷ୍ଟ କ୍ରିକେଟ ଜର୍ସି ଶେୟାର କରିଛନ୍ତିି । ଏଥିରେ କୌଣସି କ୍ୟାପ୍ସନ ସେ ଦେଇ ନାହାନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଜାଡେଜାଙ୍କ ପ୍ରଦର୍ଶନ ସେ ଭଳି ଉତ୍ସାହଜନକ ରହି ନ ଥିଲା । ସେ ୧୩୫ ରନ କରିବା ସହ ମାତ୍ର ୪ଟି ୱିକେଟ ନେଇଥିଲେ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ମଧ୍ୟ ଖରାପ ପ୍ରଦର୍ଶନ ନେଇ ଚାପ ପକାଯାଇଛି ।
ଟିମ ଇଣ୍ଡିଆ ଏବେ ଘରୋଇ ପରିବେଶରେ ଇଂଲଣ୍ଡ ବିପକ୍ଷରେ ୫ଟି ଟି୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ । ଗତ ବର୍ଷ ଭାରତ ଟି୨୦ ବିଶ୍ୱକପ ଚାମ୍ପିୟନ ହେବା ପରେ ଜାଡେଜା ଏହି ଫର୍ମାଟରୁ ଅବସର ଘୋଷଣା କରିଥିଲେ । ଏବେ ସେ କେବଳ ଦିିନିକିଆ ମ୍ୟାଚରେ ଖେଳିବେ । ତେବେ ତାଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜରେ ସ୍ଥାନ ମିଳୁଛି କି ନାହିଁ ତାହା ଦେଖିବା କଥ । । କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଆଗାମୀ ଦିନିକିଆ ବିଶ୍ୱକପକୁ ଆଖି ରଖି ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ଉଦ୍ୟମ କରୁଛନ୍ତି । ବିସିସିଆଇ ମଧ୍ୟ ୩ଟି ଯାକ ଫର୍ମାଟ ପାଇଁ ଶକ୍ତିଶାଳୀ ଦଳ ଚୟନ କରିବା ପାଇଁ ପରାମର୍ଶ ଦେଇଛି ।