ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରାମାଡ ଘଟଣା । ୩ ଜଣଙ୍କୁ ଅଟକ ରଖିଛି ମୁମ୍ବାଇ ପୋଲିସ । ଗତକାଲି ବିଳମ୍ବିତ ରାତ୍ରୀରେ ଜଣେ ଅଜଣା ବ୍ୟକ୍ତି ଚୋରି ଉଦ୍ଦେଶ୍ୟରେ ସୈଫଙ୍କ ଘରେ ପ୍ରବେଶ କରିଥିଲା । ଘରର ଜଣେ କର୍ମଚାରୀଙ୍କ କଠୋରୀ ଝରକା ବାଟେ ଆସିଥିଲେ ଦୁର୍ବୃତ୍ତ ଜଣଙ୍କ । ଏନେଇ ଜଣାପଡିବା ପରେ କର୍ମଚାରୀଙ୍କୁ ନେଇ ବଢିଛି ସନ୍ଦେହ ।
ସୂଚନା ଅନୁସାରେ, ସୈଫ ଅଲ୍ଲୀ ଖାନ ତାଙ୍କ ପରିବାର ସହିତ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଜଣେ ଚୋର ସୈଫଙ୍କ ଘରେ ପ୍ରବେଶ କରିଥିଲା। ସେହି ସମୟରେ କିଛି ଶବ୍ଦ ଶୁଳି ଘରର କିଛି କର୍ମଚାରୀ ଉଠି ଚିତ୍କାର କରିଥିଲେ। ଚିତ୍କାର ଶୁଣି ସୈଫ ନିଦରୁ ଉଠି ପଡିଥିଲେ। ସେ ତୁରନ୍ତ ବାହାରକୁ ଆସି ଦୁର୍ବୃତ୍ତ ଜଣଙ୍କୁ ଦେଖି ତାକୁ ଧରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ନିଜକୁ ବଞ୍ଚାଇବାକୁ ଯାଇ ଦୁର୍ବୃତ୍ତ ଜଣଙ୍କ ଏକ ଛୁରୀରେ ସୈଫଙ୍କୁ ଆକ୍ରମଣ କରିଥିଲା, ଯେଉଁଥିରେ ସୈଫ ଆହତ ହୋଇଥିଲେ। ଆହତ ଅବସ୍ଥାରେ ଅଭିନେତ୍ରୀ ତଥା ସୈଫଙ୍କ ପତ୍ନୀ କରୀନା ତାଙ୍କୁ ରାତି ପ୍ରାୟ ୪ଟା ସମୟରେ ହସ୍ପିଟାଲ ନେଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ଏବେ ସୈଫଙ୍କ ସ୍ଵାସ୍ଥ୍ୟବସ୍ଥା ଭଲ ଅଛି ।
ତେବେ ଦୁର୍ବୃତ୍ତ ଜଣଙ୍କ ଘରେ ପଶି ପ୍ରଥମେ ଘରେ ଥିବା ଜଣେ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଘରର ସମସ୍ତ ସିସିଟିଭି ଫୁଟେଜକୁ ନେଇ ଯାଞ୍ଚ ତ୍ଵରାନିତ କରିଛି । ସିସିଟିଭି ଆଧାରରେ ୩ଜଣ ସନ୍ଦିଗ୍ଧକୁ ଉଠାଇ ଆଣିଛି ପୋଲିସ । ତେବେ ପୋଲିସର ସୂଚନା ଅନୁସାରେ, ଦୁର୍ବୃତ୍ତ ଜଣଙ୍କ ସୈଫଙ୍କ ଘରେ କାର୍ଯ୍ୟ କରୁଥିବା କୌଣସି କର୍ମଚାରୀଙ୍କୁ ଭେଟିବାକୁ ଆସିଥିଲା । ସେତେବେଳେ ସୈଫ୍ ଦେଖିଦେବାରୁ ତାଙ୍କ ଉପରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ତେଣୁ ପୋଲିସର ସନ୍ଦେହ ଏବେ ଘରେ ଥିବା କର୍ମଚାରୀଙ୍କ ଉପରେ ରହିଛି । ସେମାନଙ୍କର ମୋବାଇଲ୍ ଫୋନ୍ ଜବତ କରାଯାଇଛି। କିଛି ଲୋକଙ୍କୁ ପଚରାଉଚରା ପାଇଁ ପୋଲିସ ଷ୍ଟେସନକୁ ନିଆଯାଇଛି।