କଟକ: ଦୁଃଖ ଦେଇଗଲା ମକର ମେଳା । ମକର ମେଳା ବୁଲିବାକୁ ଯାଇ ଆଉ ଫେରିଲାନି ପୁଅ । ବାହୁନି ବାହୁନି କାନ୍ଦୁଛି ମା । ରାସ୍ତା ଉପରେ ପିଟି ପିଟି ମାରିଦେଲେ ବଢିଲା ପୁଅକୁ । କଟକ ବାଙ୍କୀ ଥାନା ଅନ୍ତର୍ଗତ ରତାଗଡ଼ ଗାଁରେ ଘଟିଛି ଏହି ଘଟଣା । ମୃତକ ହେଉଛନ୍ତି ରତାଗଡ ଗାଁର ସୁମନ୍ତ କୁମାର ସାହୁ । ତେବେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ନେଇ ସୂଚନା ମିଳିଛି । ପୋଲିସ ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ବଡବନ୍ଧିଆଣି ଠାକୁରାଣୀଙ୍କ ପୀଠରେ ହେଉଥିବା ମକରମେଳା ଦେଖି ରାତି ଅଧରେ ଘରକୁ ଫେରୁଥିଲେ ସୁମନ୍ତ । ସେତେବେଳେ ରାସ୍ତା ମଝିରେ ଛକି ବସିଥିଲା ସେହି ଗାଁର ଅନ୍ୟ କିଛି ଯୁବକ । ଚତରୀ ପୋଖରୀ ନିକଟ ରାସ୍ତାରେ ଅଟକାଇ ସୁମନ୍ତଙ୍କୁ ଠେଙ୍ଗାରେ ଅତର୍କିତ ଭାବରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତମାନେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ରାସ୍ତାରେ ଫୋପାଡି ସେଠାରୁ ଫେରାର ହୋଇଯାଇଥିଲେ । ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁମନ୍ତ ପଡିଥିବା ଦେଖି କିଛି ଲୋକ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ପରିସ୍ଥିତି ଜଟିଳ ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଚିକିତ୍ସିତ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି । ଏନେଇ ମୃତ ଯୁବକଙ୍କ ପରିବାର ପକ୍ଷରୁ ବାଙ୍କୀ ଥାନାରେ ଏକ ଏତଲା ଦିଆଯାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ବାଙ୍କୀ ପୋଲିସ । ଉକ୍ତ ମାମଲାରେ ୬ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସେପଟେ ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।