Latest Odisha News

BREAKING NEWS

ଗୁଣି ସନ୍ଦେହରେ ୩ ଜଣଙ୍କୁ ହତ୍ୟା ମାମଲା, ଫାଶୀ ବଦଳରେ ଭୋଗିବେ ଆଜୀବନ କାରାଦଣ୍ଡ

ରାୟଗଡା: ଗୁଣି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ (ମାଆ, ବାପା ଓ ଝିଅ) ହତ୍ୟା ମାମଲାରେ ରାୟଗଡା ଜିଲ୍ଲା ପୁଟାସିଂ ଥାନା କିତୁଙ୍ଗ ଗାଁ ର ୯ ଜଣଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଥିଲେ ତଳ କୋର୍ଟ । ଏବେ ସେହି ଫାଶି ଦଣ୍ଡାଦେଶକୁ କୋହଳ କରିଛନ୍ତି ହାଇକୋର୍ଟ । ଫାଶୀ ଦଣ୍ଡାଦେଶକୁ କୋହଳ କରି ଆଜୀବନ ଦଣ୍ଡାଦେଶ ପାଇଁ ରାୟ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ । ଏଥିସହିତ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସ୍ୱାଭାବିକ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ୯ ଜଣ ଦୋଷୀ ଜେଲରେ ରହିବା ସହ ସେମାନଙ୍କ ଦଣ୍ଡାଦେଶରେ ଆଉ କୌଣସି କୋହଳ କରାଯାଇ ପାରିବନାହିଁ ବୋଲି ତାଙ୍କ ରୟରେ ସ୍ପଷ୍ଟ କରିଛନ୍ତି ହାଇକୋର୍ଟ ।

ସୂଚନାଯୋଗ୍ୟ, ୨୦୧୬ ମସିହା ସେପ୍ଟେମ୍ବର ୯ ତାରିଖରେ ରାୟଗଡା ଜିଲ୍ଲା ପୁଟାସିଂ ଥାନା କିତୁଙ୍ଗ ଗାଁର ଆସିନା ଶବର ଓ ତାଙ୍କ ସ୍ତ୍ରୀ ଆମ୍ବେୟା ଶବର ଓ ଝିଅ ଆସୁନି ଶବରଙ୍କୁ ଗୁଣି ସନ୍ଦେହରେ ଗାଁର ନଅ ଯୁବକ ହତ୍ୟା କରିଥିଲେ । ପ୍ରଥମେ ସେହି ୩ଜଣଙ୍କୁ ଆଣି ଏକ ଗୁହାଳରେ ବାନ୍ଧି ରଖିଥିଲେ । ସେଠାରେ ସେହି ୩ ଜଣଙ୍କ ସମ୍ବେଦନଶୀଳ ସ୍ଥାନରେ ବିଷ ପ୍ରୋୟଗ କରି ଜଘନ୍ୟ ଓ ବର୍ବରିତ ଭାବେ ତାଙ୍କୁ ହତ୍ୟା କରି ଗାଁ ଠାରୁ କିଛି ଦୂର ପାହାଡ ନିକଟରେ ମାଟି ତଳେ ପୋତି ଦେଇଥିଲେ । କାଳେ ଏହି ଖବର ପ୍ରଘଟ ହେବ ଭାବି ପୁଣି ମାଟି ତଳୁ ବାହାର କରି ପୋଡି ଦେଇ ମାଟି ଘୋଡେଇ ଦେଇଥିଲେ । ପୁଟାସିଂ ପୋଲିସ୍ ଏନେଇ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରି ଗାଁର ୧୦ ଜଣଙ୍କୁ ଗିରଫ୍ କରିଥିଲା । ଆଉ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ମାଟି ତଳୁ ନମୁନା ସଂଗ୍ରହ କରିଥିଲା ।

ଏହି ମାମଲାରେ ଜଣେ ବାଳ ଅପରାଧି ସହ ୧୦ ଜଣଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରାଯାଇଥିଲା । ସେଥିରୁ ଜଣେ ବାଳ ଅପରାଧିକୁ ରାୟଗଡା ସ୍ଥାନାନ୍ତର କରି ୯ ଜଣଙ୍କୁ ଗୁଣପୁର ଅଣାଯାଇଥିଲା । ସେହି ଦିନଠାରୁ ସମସ୍ତ ୯ ଜଣ ଗୁଣପୁର ଉପ କାରାଗାରରେ ବିଚାର ଦିନ ବନ୍ଦି ଭାବେ ଜୀବନ ବିତାଉଥିଲେ । ଏହି ହତ୍ୟାକାଣ୍ଡକୁ ବିଭତ୍ସ ଦର୍ଶାଇ ମାନ୍ୟବର ଜିଲ୍ଲା ଜର୍ଜ ଡ.ଶୁଭେନ୍ଦୁ କୁମାର ପତି ୯ ଜଣ ଅଭିଯୁକ୍ତଙ୍କୁ  ଗତ ୨୦୧୮ ମସିହା ଏପ୍ରିଲ ୧୩ ତାରିଖରେ  ଦୋଷି ସାବ୍ୟସ୍ତ କରିବାସହ ଫାଶୀ ଦଣ୍ଡାଦେଶ ଶୁଣାଇ ଥିଲେ । ପରେ ଫାଶୀ ଦଣ୍ଡାଦେଶ ବିରୋଧ ରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ସମସ୍ତ ଅଭିଯୁକ୍ତ । ଏବେ ହାଇକୋର୍ଟ ପୁନଃ ବିଚାର କରିବା ସହ ଜଷ୍ଟିସ ସଙ୍ଗମ ସାହୁ ଓ ଜଷ୍ଟିସ ଆର୍ କେ ପଟ୍ଟନାୟକ ଦୁଇ ଜଣିଆ ଖଣ୍ଡପୀଠ ଫାଶୀ ଦଣ୍ଡାଦେଶକୁ କୋହଳ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।

Leave A Reply

Your email address will not be published.